ଖଣ୍ଡଗିରି : ବୁଧବାର ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା ଉଦ୍ଯାପିତ ହୋଇଯାଇଛି। ଏହି ଅବସରରେ ଦିନ ତମାମ ଭାଗବତ ପାଠ କରାଯାଇଥିଲା। ମନ୍ତ୍ର ଧ୍ବନି ଓ ନାମ ସଂକୀର୍ତ୍ତନରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ଯଜ୍ଞକୁଣ୍ଡମାନଙ୍କରୁ ନିଃସୃତ ହୋମ ଧୂଆଁର ମହକରେ ପୂରା ଖଣ୍ଡଗିରି ମହକି ଉଠିଥିଲା। ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ସାଧୁସନ୍ଥଙ୍କ ସାନ୍ନିଧ୍ୟପ୍ରାପ୍ତି ପାଇଁ ପହଞ୍ଚିଥିଲେ। ସ୍ଥାନୀୟ ସବୁ ମଠରେ ଅନ୍ନ ପ୍ରସାଦ ଓ ଖିରି ଭୋଗ ଲାଗି କରାଯାଇଥିଲା। ସୂର୍ଯ୍ୟାସ୍ତ ପରେ ହୋଇଥିଲା ପୂର୍ଣ୍ଣାହୁତି ପର୍ବ। ଏହା ପରେ ମେଲାଣି ନେଇଥିଲେ ସାଧୁସନ୍ଥମାନେ। ଭାବବିହ୍ବଳ ପରିବେଶରେ ଶ୍ରଦ୍ଧାଳୁମାନେ ସାଧୁସନ୍ଥମାନଙ୍କୁ ବିଦାୟ ଦେଇଥିଲେ।
ବୁଧବାର ଦିନ ମା’ ବାରଭୁଜାଙ୍କ ପୀଠରେ ବିଶ୍ବଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ପର୍ବ ପ୍ରଥମେ ଆରମ୍ଭ ହୋଇଥିଲା। ପରେ ପରେ ସବୁ ଯଜ୍ଞକୁଣ୍ଡରେ ଏହି ପର୍ବ ସମାହିତ ହୋଇଥିଲା। ନିୟମାନୁସାରେ ପୂର୍ଣ୍ଣାହୁତି ପରେ ସମସ୍ତ ସାଧୁସନ୍ଥ ମେଳାରୁ ବାହୁଡ଼ି ଯା’ନ୍ତି। କିନ୍ତୁ ଏଥର କିଛି ସନ୍ଥ ରହିଯାଇଛନ୍ତି। ଆସନ୍ତାକାଲି ଗୁରୁବାର ପଡ଼ୁଥିବାରୁ ସେମାନେ ଆହୁରି ଗୋଟିଏ ଦିନ ଖଣ୍ଡଗିରିରେ ରହିବେ। କିନ୍ତୁ ଅନେକ ସନ୍ଥ ବିଦାୟ ନେଇଛନ୍ତି। ଗୁରୁଦେବଙ୍କୁ ଶ୍ରଦ୍ଧାଳୁମାନେ ଭକ୍ତିଭରା ବିଦାୟ ଦେଉଥିବାର ଦୃଶ୍ୟ ଭାବାବେଗପୂର୍ଣ୍ଣ ଥିଲା। ନାଗା ବାବାଙ୍କୁ ଭକ୍ତମାନେ କୁଣ୍ଢାଇ କାନ୍ଦି ପକାଉଥିବା ଦେଖିବାକୁ ମିଳିଥିଲା। କାନ୍ଦୁଥିବା ଶ୍ରଦ୍ଧାଳୁଙ୍କୁ ଗୁରୁଦେବ ସାନ୍ତ୍ବନା ଦେଉଥିଲେ। ସୂଚନାଯୋଗ୍ୟ, କୁମ୍ଭମେଳାର ଉଦ୍ଯାପନୀ ପର୍ବ ମଙ୍ଗଳବାରଠାରୁ ଆରମ୍ଭ ହୋଇଯାଇଥିଲା। କୃଷ୍ଣ ମହାରାଜାଙ୍କ ୧୬ ସଂକୀର୍ତ୍ତନ ମଣ୍ଡଳୀରୁ ୫ ମଣ୍ଡଳୀ ଆସି ନାମ ସଂକୀର୍ତ୍ତନ କରିଥିଲେ।ଏହି ଅବସରରେ ହୋଇଥିବା ସାଧୁ ସମ୍ମିଳନୀରେ ସନ୍ଥମାନେ ଜ୍ଞାନ ବିତରଣ କରିଥିଲେ। ଗୋସ୍ବାମୀ ପୀତାମ୍ବର ଦାସଙ୍କ ଶିଷ୍ୟ ରବିନାରାୟଣ ଦାସ, ଉମାକାନ୍ତ ମହାପାତ୍ରଙ୍କ ସମେତ ଅନେକ ବ୍ୟକ୍ତି ଉପସ୍ଥିତ ଥିଲେ। ବାରଭୁଜା ମ୍ୟାନେଜିଂ ଟ୍ରଷ୍ଟର କୋଷାଧ୍ୟକ୍ଷ ଦୀନବନ୍ଧୁ ଜେନାଙ୍କ ତତ୍ତ୍ବାବଧାନରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସମାହିତ ହୋଇଥିଲା। ସେହିପରି ଓଡ଼ିଶା ବୈଦିକ ବ୍ରାହ୍ମଣ ସମାଜ ଟ୍ରଷ୍ଟ ପକ୍ଷରୁ ବିଶ୍ଵଶାନ୍ତି ଗୀତା ମହାଯଜ୍ଞର ପୂର୍ଣ୍ଣାହୁତି ଦିଆଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଡ. ଆଦିତ୍ୟ ପ୍ରସାଦ ଦାଶ ପୂର୍ଣ୍ଣାହୁତି ପ୍ରଦାନ କରିବା ସହ ଅଗ୍ନି ଉତ୍ସବ କାର୍ଯ୍ୟକ୍ରମରେ ଅଗ୍ନି ସଂଯୋଗ କରିଥିଲେ। ଟ୍ରଷ୍ଟର ସଭାପତି ପଣ୍ଡିତ ସତ୍ୟବ୍ରତ ମିଶ୍ର ବର୍ମା ଅତିଥିଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଟ୍ରଷ୍ଟର ସମ୍ପାଦକ ରଶ୍ମିରଞ୍ଜନ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୃତୁଞ୍ଜୟ ମହାପାତ୍ର, ବିଜୟ ପତ୍ରୀ, ଶଶିକାନ୍ତ ମିଶ୍ର, ମନୋଜ ଷଡ଼ଙ୍ଗୀ, ଜଗନ୍ନାଥ ପଣ୍ଡା, ହରିବନ୍ଧୁ ରଥ, ଶରତ ଦାଶ, ଦେବବ୍ରତ ଦାଶ, ସୁବାସ ଦାଶ, ସତ୍ୟନାରାୟଣ ଉପାଧ୍ୟାୟ, ନୃସିଂହ ପତି ପ୍ରମୁଖ ଉପସ୍ଥିତ ଥିଲେ। ବୈଦିକ ବ୍ରାହ୍ମଣମାନେ ସମବେତ ବେଦ ପାଠ କରିଥିଲେ।
ବିଶ୍ବ ସନାତନ ବୈଦିକ ଧର୍ମ ପରିଷଦର ଦାବି: ଖଣ୍ଡଗିରି ମାଘମେଳାକୁ ସରକାରୀ ମାନ୍ୟତା ମିଳୁ
ଖଣ୍ଡଗିରି : ଖଣ୍ଡଗିରି ମାଘମେଳାକୁ ରାଜ୍ୟ ସରକାର ମାନ୍ୟତା ଦେବା ସହିତ ଏହାର ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟ କରନ୍ତୁ। ମାଘମେଳାରେ ଖଣ୍ଡଗିରି ପାହାଡ଼ରେ ଆୟୋଜିତ ବିଶ୍ବ ସନାତନ ବୈଦିକ ଧର୍ମ ପରିଷଦର ସାଧୁସନ୍ଥ ସମ୍ମିଳନୀରେ ଏହି ମତ ପ୍ରକାଶ ପାଇଛି। ବୁଧବାର ଦିନ ଏହି ସମ୍ମିଳନୀରେ ୫ଟି ଦାବି ଉପସ୍ଥାପନ କରାଯିବା ସହିତ ଏକ ଦାବିପତ୍ର ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଏଏସ୍ଆଇ ଅଧୀକ୍ଷକ ଅରୁଣ କୁମାର ମଲ୍ଲିକ ଏବଂ ସଂସ୍କୃତି ମନ୍ତ୍ରଣାଳୟକୁ ଦିଆଯାଇଛି। ଦାବିପତ୍ରରେ ପ୍ଲଟ୍ ନଂ ୪୪ ଖାତା ନଂ ୧୧୫୨ ଖଣ୍ଡଗିରି ପାହାଚର ଉପରକୁ ଉଠିବାର ବାମ ପାର୍ଶ୍ଵ ଖଣ୍ଡଗିରି ପାଦଦେଶ ଜାଗାରେ ଏକ ପିଣ୍ଡି ବା ସନାତନ ବୈଦିକ ଧର୍ମ ସାଂସ୍କୃତି ମଣ୍ଡପ କରାଯାଉ। ବାହାର ରାଜ୍ୟକୁ ଆସୁଥିବା ସାଧୁସନ୍ଥମାନଙ୍କ ପାଇଁ ଅତିଥିଶାଳା କରାଯାଉ। ପ୍ରତିବର୍ଷ ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ସାଧୁସନ୍ଥଙ୍କୁ ପ୍ରୋତ୍ସାହନ ଓ ଅନୁଦାନ ସହିତ ସମସ୍ତ ବ୍ୟବସ୍ଥା କରାଯାଉ। ବିଶ୍ଵ ସନାତନ ବୈଦିକ ଧର୍ମ ପରିଷଦକୁ ଓଡ଼ିଶା ସରକାର ଓ ଭାରତ ସରକାରଙ୍କ ସଂସ୍କୃତି ବିଭାଗରେ ଅନ୍ତର୍ଭୁକ୍ତ ପୂର୍ବକ ମାନତା ପ୍ରଦାନ କରାଯାଉ। ଓଡ଼ିଶାର ସମସ୍ତ ସାଧୁସନ୍ଥଙ୍କୁ ମାସିକ ପ୍ରୋତ୍ସାହନ ୫ ହଜାରରୁ ଊର୍ଦ୍ଧ୍ବ ଅର୍ଥରାଶି ପ୍ରଦାନ କରାଯାଉ। ସମ୍ମିଳନୀରେ ବିଶ୍ବ ସନାତନ ଧର୍ମ ପରିଷଦର ଅଧ୍ୟକ୍ଷ ବାବା ପଞ୍ଚଦେବ, ପରିଷଦର ଧାର୍ମିକ ଅନୁଷ୍ଠାନର ମୁଖ୍ୟ ସ୍ବାମୀ ବିଷ୍ଣୁ ଗିରି ମହାରାଜ, ସ୍ବାମୀ ବମ୍ବନ୍ଧୁପୁରୀ, ବାବା ଚନ୍ଦନ ଦାସ ମହାରାଜ, ବାବା ଆଲୋକ ଦାସ, ହରିଓଁ ବାବା ପ୍ରମୁଖ ଉପସ୍ଥିତ ଥିଲେ।