ରାଜ୍ୟ ସ୍ପେଶାଲ ରିପୋର୍ଟ

ସରିଯିବ ପ୍ରକଳ୍ପ: ସ୍ମାର୍ଟ ହୋଇପାରିଲାନି ଭୁବନେଶ୍ବର

ଭୁବନେଶ୍ବର: ୨୦୨୪ ଜୁନ୍‌ ସୁଦ୍ଧା ‘ସ୍ମାର୍ଟ ସିଟି’ ପ୍ରକଳ୍ପ ଶେ‌ଷ ହେବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏହା ପରଠାରୁ ଆଉ ନୂଆ ପ୍ରକଳ୍ପ ପାଇଁ କେନ୍ଦ୍ରରୁ ଅନୁଦାନ ଆସିବ ନାହିଁ। ଏହି ଅବଧି ମଧ୍ୟରେ ଯାହା ଯେତିକି ପ୍ରକଳ୍ପ ହୋଇଥିବ, କେବଳ ତା’ର ରକ୍ଷଣାବେକ୍ଷଣ ପାଇଁ କେନ୍ଦ୍ର ଅର୍ଥ ଦେବ। ତେଣୁ ‘ସ୍ମାର୍ଟସିଟି’ ଅଧୀନରେ ଏବେ ଯେତେ ସବୁ ପ୍ରକଳ୍ପ ନିର୍ମାଣାଧୀନ ରହିଛି, ଆସନ୍ତା ବର୍ଷ ଜୁନ୍‌ ସୁଦ୍ଧା ସାରିବାକୁ କେନ୍ଦ୍ର ଗୃହ ନିର୍ମାଣ ଓ ନଗର ବ୍ୟାପାର ମନ୍ତ୍ରାଳୟ ସ୍ପଷ୍ଟ କରିଛି। କେନ୍ଦ୍ରର ଏ ପ୍ରକାର ଘୋଷଣା ପରେ ଏହାକୁ ନେଇ ପ୍ରଶାସନିକସ୍ତରରେ ତନାଘନା ଆରମ୍ଭ ହୋଇଛି। ମୋ’ ସାଇକେଲ, ସ୍ମାର୍ଟ କିଓସ୍କ ଭଳି ଭୁବନେଶ୍ବରରେ ଏକାଧିକ ପ୍ରକଳ୍ପ ବ୍ୟବହାର ପୂର୍ବରୁ ନଷ୍ଟ ହୋଇଯାଇଥିବା ବେଳେ ଅନେକ ପ୍ରକଳ୍ପ ବିଭିନ୍ନ ବିବାଦରେ ଫସି ରହିଛି। ହାତଗଣତି କେତୋଟି ନିର୍ଦ୍ଦିଷ୍ଟ ପ୍ରକଳ୍ପକୁ ଛାଡ଼ିଦେଲେ ଭୁବନେଶ୍ବରକୁ ସ୍ମାର୍ଟ କରିବାରେ ‘ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌)’ ଏକପ୍ରକାର ବିଫଳ ହୋଇଛି।

୨୦୨୦ ମସିହାରୁ କେତେକ ସ୍ମାର୍ଟ ସିଟି ପ୍ରକଳ୍ପକୁ ବନ୍ଦ କରିବାକୁ କେନ୍ଦ୍ର ସରକାର ଘୋଷଣା କରି ଆସୁଛନ୍ତି। ୨୦୨୧ ମସିହାରେ ପ୍ରଥମଥର ପାଇଁ ପ୍ରକଳ୍ପ ଶେଷ ହେବା ପାଇଁ ଡେଡ୍‌-ଲାଇନ୍‌ ଧାର୍ଯ୍ୟ ହୋଇଥିଲା। କିନ୍ତୁ କେତେକ ପ୍ରକଳ୍ପ ସରି ନଥିବାରୁ ସରକାର ଏହି ତାରିଖକୁ ଘୁଞ୍ଚାଇଥିଲେ। ଚଳିତ ବର୍ଷ ଜୁନ୍‌ରେ ସରିବାକୁ ସରକାର ପୁଣି ଘୋଷଣା କରିଥିଲେ। ହେଲେ ବିଭିନ୍ନ ରାଜ୍ୟର ସ୍ମାର୍ଟସିଟି କର୍ତ୍ତୃପକ୍ଷ ଅନୁରୋଧ କରିବା ପରେ ଏହି ଡେଡ୍‌‌ଲାଇନ୍‌ ୨୦୨୪ ଜୁନ୍‌କୁ ଘୁଞ୍ଚାଇ ଦିଆଯାଇଛି। ତାରିଖ ପରେ ତାରିଖ ଘୁଞ୍ଚି ଚାଲିଥିଲେ ହେଁ ଭୁବନେଶ୍ବରରେ ବିଏସ୍‌ସିଏଲ୍‌ର ଅନେକ ପ୍ରକଳ୍ପ ସରିନାହିଁ। ସହରର ପ୍ରମୁଖ ଆକର୍ଷଣ କେନ୍ଦ୍ରବିନ୍ଦୁ ହେବାକୁ ଘୋଷଣା କରାଯାଇଥିବା ‘ଲେକ୍‌ ନ୍ୟୁଟ୍ରାଲ୍‌’ ପ୍ରକଳ୍ପ ଟେଣ୍ଡର୍‌ରେ ଅଟକି ରହିଛି।

ସ୍ମାର୍ଟସିଟି ଗଠନ ପୂର୍ବରୁ ବିଏମ୍‌ସି ୪୫୩୭ କୋଟି ଟଙ୍କା ବ୍ୟୟରେ ୮୧ଟି ପ୍ରକଳ୍ପର ତାଲିକା କେନ୍ଦ୍ର ସରକାରଙ୍କ ସ୍ମାର୍ଟ ସିଟି ମିସନ୍‌ ନିକଟରେ ଦାଖଲ କରିଥିଲା। ହେଲେ ୬ ବର୍ଷରେ ସ୍ମାର୍ଟ ସିଟିକୁ ମାତ୍ର ୭୮୪(କେନ୍ଦ୍ର ଓ ରାଜ୍ୟର ୩୯୨ କୋଟି ଲେଖାଏଁ)ମିଳିଥିଲା। ଏଣୁ ଏହି ଅର୍ଥ ଆଧାରରେ ବିଏସ୍‌ସିଏଲ୍‌ ୮୧ ପ୍ରକଳ୍ପ ମଧ୍ୟରୁ ମାତ୍ର ୨୮ଟି ପ୍ରକଳ୍ପ କରିବାକୁ ଯୋଜନା କରିଥିଲା। ସେଥିରୁ ବି ଶତପ୍ରତିଶତ ହୋଇପାରିଲା ନାହିଁ।

ଖତ ଖାଉଛି ସ୍ମାର୍ଟ କିଓସ୍କ
ସହରବାସୀଙ୍କୁ ସ୍ମାର୍ଟ ସେବା ପ୍ରଦାନ କରିବା ପାଇଁ ୫କୋଟି ଟଙ୍କା ବିନିମୟରେ ସହରର ବିଭିନ୍ନ ସ୍ଥାନରେ ସ୍ମାର୍ଟ କିଓସ୍କ ସ୍ଥାପନ କରାଯାଇଥିଲା। ଟ୍ରେଡ୍‌ ଲାଇସେନ୍ସ ଆବେଦନ, ଅଭିଯୋଗ ପଞ୍ଜୀକରଣ, ଜନ୍ମ, ମୃତ୍ୟୁ ଓ ବିବାହ ପ୍ରମାଣପତ୍ର ପାଇଁ ଆବେଦନ ସହ ପାଣି, ଫୋନ୍‌ ଓ ବିଦ୍ୟୁତ୍‌ ବିଲ୍‌ ପଇଠ, କମନ୍‌ ପେମେଣ୍ଟ କାର୍ଡ ରିଚାର୍ଜ, ମୋ’ ବସ୍‌ ଟିକେଟ୍‌ କିଣିବା, ପ୍ରିଣ୍ଟ ଆଉଟ୍‌ କାଢ଼ିବା, ମୋବାଇଲ୍‌ ଚାର୍ଜ ଓ ରିଚାର୍ଜ କରିବା ଭଳି ବିଭିନ୍ନ ପ୍ରକାରର ସେବା ହାତପାଆନ୍ତାରେ ଯୋଗାଇଦେବାକୁ ସ୍ମାର୍ଟ ସିଟି ସ୍ବପ୍ନ ଦେଖାଇଥିଲା। ୫୦୦ କୋଟି ଟଙ୍କାର ‘ସ୍ମାର୍ଟ ସଲ୍ୟୁସନ୍ ପ୍ରକଳ୍ପ’ ଅଧୀନରେ ଏହା କାର୍ଯ୍ୟକ୍ଷମ ହୋଇଥିଲା। ୭୫ଟି କିଓସ୍କ (୫୦ଟି ଇନ୍‌ଡୋର୍‌ ଓ ୨୫ଟି ଆଉଟଡୋର୍‌) କାର୍ଯ୍ୟକ୍ଷମ କରିବାକୁ ଯୋଜନା ଥିଲେ ମଧ୍ୟ ୬୨ଟି କାର୍ଯ୍ୟକ୍ଷମ ହୋଇଥିଲା। ଏହା ବ୍ୟବହାର ନ ହେବାରୁ କେତେକ ଏଥିରେ ଅଶ୍ଲୀଳ ୱେବ୍‌ସାଇଟ୍‌ ସର୍ଚ୍ଚ କରୁଥିଲେ। ଏଭଳି ବାଦବିବାଦରେ ଫସିଯିବା ପରେ ଏଥିରୁ ଏବେ ଗୋଟିଏ ହେଲେ କାମ କରୁନାହିଁ। ଏହା କିଭଳି ବ୍ୟବହାର ଉପଯୋଗୀ ହୋଇପାରିବ, ସେ ନେଇ ସ୍ମାର୍ଟସିଟି କର୍ତ୍ତୃପକ୍ଷ ମଧ୍ୟ ଚିନ୍ତା କରୁନାହାନ୍ତି। ୫ କୋଟି ଟଙ୍କାର ପ୍ରକଳ୍ପ ଏବେ ଖତ ଖାଉଛି।

କାମ କଲାନି ଇଣ୍ଟିଗ୍ରେଟେଡ୍‌ ଟ୍ରାଫିକ୍‌ କଣ୍ଟ୍ରୋଲ ସିଷ୍ଟମ୍‌
ଭୁବନେଶ୍ବରର ଜଟିଳ ଟ୍ରାଫିକ୍‌ ନିୟନ୍ତ୍ରଣ କରିବାକୁ ସ୍ମାର୍ଟସିଟି ପ୍ରସ୍ତୁତ କରିଥିଲା ଇଣ୍ଟିଗ୍ରେଟେଡ୍‌ ଟ୍ରାଫିକ୍‌ କଣ୍ଟ୍ରୋଲ ସିଷ୍ଟମ୍‌(ଆଇଟିସିଏସ୍‌)। ଏହାର ସ୍ବତନ୍ତ୍ରତା ହେଲା, ଯଦି ଗୋଟିଏ ଟ୍ରାଫିକ୍‌ ଛକରେ ସବୁଜ ସଂକେତ ମିଳୁଛି, ତେବେ ଚାଳକ ଏହାର ପରବର୍ତ୍ତୀ ଛକଗୁଡ଼ିକରେ ବି ସବୁଜ ସଂକେତ‌ରେ ଆରାମରେ ଛକ ପାର ହୋଇଯିବେ। ଚାଳକ ଗୋଟିଏ ଛକରୁ ମୁକୁଳିବା ପରେ ଆର ଛକରେ ଆଉ ତାକୁ ଅଟକିବାକୁ ପଡ଼ିବ ନାହିଁ। ଏହାଦ୍ବାରା ଟ୍ରାଫିକ୍‌ ନିୟନ୍ତ୍ରଣ ସହଜ ହେବ ଓ ସହର ଭିତରେ ଟ୍ରାଫିକ୍‌ ଜାମ୍‌ ସମସ୍ୟାରୁ ଲୋକଙ୍କୁ ମୁକ୍ତି ମିଳିବ। ବହୁ ମାନସମନ୍ଥନ କରିବା ପରେ ବିଏସ୍‌ସିଏଲ୍‌ ଏହି ଆଇଟିସିଏସ୍‌ ପ୍ରସ୍ତୁତ କରିଥିଲା। ହେଲେ ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ। କିଛି ସ୍ଥାନରେ ମୂଳରୁ ହିଁ ସିଗନାଲ କାମ କରୁନାହିଁ। ଦିନରାତି ହଳଦିଆ ଲାଇଟ୍‌ ଜଳୁଛି। ତେଣୁ ସେଠାରେ ଟ୍ରାଫିକ୍‌ ପୁଲିସକୁ ନିୟୋଜିତ କରାଯାଇଛି। ବିଭିନ୍ନ ଫ୍ଲାଏଓଭର୍‌ ତଳେ ଏହି ବ୍ୟବସ୍ଥା ଲାଗିଥିଲେ ହେଁ ସେଠାରେ ଟ୍ରାଫିକ୍‌ ପରିଚାଳନା ଅତି ଜଟିଳ ହୋଇପଡ଼ିଛି। ସହରର ଗୁରୁତ୍ବପୂର୍ଣ୍ଣ ଛକଗୁଡ଼ିକ ଅତିକ୍ରମ କରିବା ବେଳକୁ ଆବଶ୍ୟକତାଠାରୁ ଢେର୍‌ ଅଧିକ ସମୟ ଲାଗି ଯାଉଛି।

ଅଧାରେ ଅଟକିଗଲା ‘ମୋ ସାଇକେଲ୍‌’
ପରିବେଶ ସୁରକ୍ଷା ସହ ସାଇକେଲ୍‌ର ଆଦର ବଢ଼ାଇବାକୁ ସ୍ମାର୍ଟ ସିଟି ମୋ’ ସାଇକେଲ୍‌ ଯୋଜନା କରିଥିଲା। ଗୋଟିଏ ସାଇକେଲ୍‌କୁ ୨୫ହଜାର ହିସାବରେ ୨୦୦୦ ସାଇକେଲ୍‌ କିଣିବାରେ ଖର୍ଚ୍ଚ ହୋଇଥିଲା ୫କୋଟି ଟଙ୍କା। ହେଲେ କର୍ତ୍ତୃପକ୍ଷ ଏଭଳି ଅବହେଳା କଲେ ଯେ ପରିଚାଳନା ଦାୟିତ୍ବ ନେଇଥିବା ଘରୋଇ ସଂସ୍ଥା ସାଇକେଲ୍‌କୁ କାଟି କବାଡ଼ିଆଙ୍କୁ ବିକିଦେଲା। ବହୁ ବାଦବିବାଦ ପରେ ବିକ୍ରି ହୋଇଥିବା ସବୁ ସାଇକେଲ୍‌ ସମ୍ପୃକ୍ତ ସଂସ୍ଥାଠାରୁ ଆଦାୟ କରାଗଲା। ହେଲେ ଏହି ସାଇକେଲ୍‌ କିଭଳି ଜନାଦୃତ ହେବ, ସେ ନେଇ ସ୍ମାର୍ଟସିଟି କର୍ତ୍ତୃପକ୍ଷ କୌଣସି ବ୍ୟବସ୍ଥା କଲେ ନାହିଁ। ଫଳରେ ସେଗୁଡ଼ିକ ଏବେ ରାସ୍ତାକଡ଼ରେ ପଡ଼ି ଖତ ଖାଉଛି। ନିକଟ ଅତୀତ‌ରେ ବସିଥିବା ବିଏମ୍‌ସି ମାସିକ ବୈଠକରେ ବସ୍ତି ପିଲାଙ୍କୁ ଦେଇ ଦେବା ପାଇଁ ନିଷ୍ପତ୍ତି ହୋଇଥିଲା। ହେଲେ ବିଏସ୍‌ସିଏଲ୍‌ ଏହି ନିଷ୍ପତ୍ତିକୁ ନେଇ ଚିହିଁକି ଉଠିଲା। ସାଇକେଲ୍‌କୁ ଲୋକାଦୃତ କରିବା ପାଇଁ ଏକ ଏସ୍‌ଓପି ପ୍ରସ୍ତୁତ କରିବାକୁ ସ୍ମାର୍ଟ ସିଟି ଘୋଷଣା କଲା। ହେଲେ ୪ ମାସ ବିତିଲାଣି କୌଣସି ନିଷ୍ପତ୍ତି ନିଆଯାଇ ପାରୁନି। କେତେ ସାଇକେଲ୍‌ ଅଛି, ତାହାର ମଧ୍ୟ ହିସାବ ନାହିଁ। ସ୍ମାର୍ଟ ଜନପଥ, ‌ମୋ’ ସେବା କେନ୍ଦ୍ର ଭଳି କେତୋଟି ହାତଗଣତି ପ୍ରକଳ୍ପ ଦେଖାଇ ବିଏସ୍‌ସିଏଲ୍‌ କେବଳ ବାହାବା ନେବାକୁ ବସିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।