ଚଣ୍ଡିଖୋଲ, ୦୬/୦୬: ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ନଳିପୁର ପଂଚାୟତର ସରପଞ୍ଚ ସେକ ଅବଦୁଲ ଗନୀ ଓ ପୂର୍ବତନ ସମିତିସଭ୍ୟ ବାଲିଚନ୍ଦ୍ରପୁରରୁ ଘରକୁ ଫେରୁଥିବା ସମୟରେ ନଳିପୁର ଗ୍ରାମର ସେକ ମେହେମୁଦ ଦୁହିଁଙ୍କୁ ଅପହରଣ କରିଥିଲେ । ଏକ ବନ୍ଦ କୋଠରୀରେ ରଖି ବନ୍ଧୁକ ଦେଖାଇ ୫ ଲକ୍ଷ ଟଙ୍କା ମାଗିଥିଲେ । ଟଙ୍କା ନଦେଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ସରପଞ୍ଚ ଓ ପୂର୍ବତନ ସମିତିସଭ୍ୟ ଘରକୁ ଫେରିବା ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ।
ସେକ ମେହେମୁଦଙ୍କ ଘର ପାଖରେ ଉଭୟଙ୍କ ବାଇକକୁ ଦେଖି ପରିବାର ଲୋକଙ୍କ ସନ୍ଦେହ ହେବାରୁ ପରିବାର ଲୋକେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ଉଦ୍ଧାର କରିଥିଲେ । ଏଥିସହ ବାଲିଚନ୍ଦ୍ରପୁର ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ବାଲିଚନ୍ଦ୍ରପୁର ପୋଲିସ ପହଁଚି ସେକ ମେହେମୁଦକୁ ଗିରଫ କରିଛି । ମେହେମୁଦ ନିକଟରୁ ଏକ ବନ୍ଧୁକ ସହ ୬ ରାଉଣ୍ଡ ଗୁଳି, ଖଣ୍ଡା ଓ ଅନ୍ୟ ମାରଣାସ୍ତ୍ର ଜବତ କରିଛି । ମେହେମୁଦ ଏତେସବୁ ମାରଣାସ୍ତ୍ରକୁ ଘରେ କେଉଁ ଉଦ୍ଦେଶ୍ୟରେ ରଖିଥିଲା ସେ ନେଇ କାରଣ ଖୋଜୁଛି ପୋଲିସ୍ । ଏଥି ସହିତ କୌଣସି ଅପରାଧିକ କାର୍ଯ୍ୟ କଳାପରେ ଜଡିତ ଥିଲା କି ନାହିଁ ସେ ନେଇ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି ।