ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସରକାରୀ ସ୍କୁଲ ମୁହାଁ ଛାତ୍ରଛାତ୍ରୀ: ଭରସା ଫେରୁଛି, ଭିତ୍ତିଭୂମି ଲୋଡ଼ା

ଭୁବନେଶ୍ବର: ଚକାଚକ୍‌ ସ୍କୁଲ। ଲ୍ୟାବ୍‌, ଲାଇବ୍ରେରି, କମ୍ପ୍ୟୁଟର ଶିକ୍ଷା ମିଳୁଛି। କ୍ୟାମ୍ପସ ବି ସବୁଜିମା ମୟ ହୋଇଛି। ତେଣୁ ରାଜଧାନୀର ସରକାରୀ ସ୍କୁଲଗୁଡ଼ିକରେ ପଢ଼ିବାକୁ ପିଲାମାନେ ଆଗ୍ରହ ଦେଖାଉଛନ୍ତି। କରୋନା ଦ୍ବାରା ଅଭିଭାବକଙ୍କ ଆର୍ଥିକ ସ୍ଥିତି ବିଗିଡ଼ିଥିବା ବେଳେ ୫-ଟି କାର୍ଯ୍ୟକ୍ରମ ମାଧ୍ୟମରେ ସରକାରୀ ବିଦ୍ୟାଳୟ ରୂପ ବଦଳିବା ମାଗଣା ଶିକ୍ଷା ପ୍ରତି ପିଲା ଓ ଅଭିଭାବକଙ୍କୁ ଆକୃଷ୍ଟ କରୁଛି। ପରିଣାମ ସ୍ବରୂପ ଏବେ ସରକାରୀ ସ୍କୁଲରେ ପିଲାଙ୍କ ସଂଖ୍ୟା ହଠାତ୍‌ ବଢ଼ିଯାଇଛି। ୨୦୨୧ ପରି ୨୦୨୨ରେ ମଧ୍ୟ ସରକାରୀ ସ୍କୁଲରେ ପଢ଼ିବା ଲାଗି ବହୁ ସଂଖ୍ୟାରେ ପିଲା ଆଗ୍ରହ ଦେଖାଇଛନ୍ତି। ଘରୋଇ ସ୍କୁଲ ଛାଡ଼ି ପିଲାମାନେ ସରକାରୀ ବିଦ୍ୟାଳୟ ମୁହାଁ ହୋଇଥିବା ଖୁସି ଖବର। ମାତ୍ର ସରକାରୀ ସ୍କୁଲଗୁଡ଼ିକ ଲାଗି ଏହା ଏବେ ଚିନ୍ତାର କାରଣ ପାଲଟିଛି। ପିଲା ସିନା ଆସିଲେ ହେଲେ ସେମାନଙ୍କୁ ପଢ଼ାଇବା ଲାଗି ଆବଶ୍ୟକ ଶିକ୍ଷକ ଶିକ୍ଷୟିତ୍ରୀ ନାହାନ୍ତି। କ୍ଲାସରୁମ୍‌ର ଅଭାବ ପରିଲକ୍ଷିତ ହେଲାଣି। କେଉଁଠି ପିଲା ବାରଣ୍ଡାରେ ପଢ଼ୁଥିବାର ଚିତ୍ର ସାମ୍ନାକୁ ଆସିଲାଣି ତ ଆଉ କେଉଁଠି ଶିକ୍ଷକ ନ ଥିବାରୁ ପିଲାଙ୍କ ପାଠପଢ଼ା ପ୍ରଭାବିତ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ୨୦୨୧-୨୨ ଶିକ୍ଷାବର୍ଷରେ ୫ ହଜାର ୩୦୦ ଛାତ୍ରଛାତ୍ରୀ ଘରୋଇ ବିଦ୍ୟାଳୟ ଛାଡ଼ି ସରକାରୀ ବିଦ୍ୟାଳୟରେ ନାମ ଲେଖାଇଥିଲେ। କରୋନା ଯୋଗୁଁ ଅଭିଭାବକଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଥିବାରୁ ପିଲାମାନେ ସରକାରୀ ହାଇସ୍କୁଲ ମୁହାଁ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା। ଏମିତିକି ସରକାରୀ ସ୍କୁଲରେ ପଢୁଥିବା ପିଲାଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂ କଲେଜରେ ୧୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଥିବାରୁ ଏଭଳି ଦେଖିବାକୁ ମିଳିଥିବା ନେଇ ଶିକ୍ଷାବିତ୍‌ମାନେ ମତପୋଷଣ କରିଥିଲେ। ମାତ୍ର ଏଥର ବି ସମାନ ସ୍ଥିତି ଲାଗିରହିଛି। ୨୦୨୨-୨୩ ଶିକ୍ଷାବର୍ଷରେ ନାମଲେଖା ଚାଲିଛି। ଏବେ ସୁଦ୍ଧା ଘରୋଇ ସ୍କୁଲର ପାଖାପାଖି ୩୭୦୦ ପିଲା ସରକାରୀ ବିଦ୍ୟାଳୟରେ ପଢ଼ିବାକୁ ଆସିଛନ୍ତି। ଏପ୍ରିଲ ୩୦ ଯାଏ ନାମଲେଖା ପ୍ରକ୍ରିୟା ଚାଲିବାକୁ ଥିବାରୁ ଆହୁରି ୫୦୦ରୁ ହଜାରେ ପିଲା ନାମ ଲେଖାଇବାର ସମ୍ଭାବନା ରହିଛି। ସରକାରୀ ବିଦ୍ୟାଳୟ ଉପରେ ଭରସା କରି ଅଭିଭାବକ ସେମାନଙ୍କ ପିଲାଙ୍କୁ ସରକାରୀ ସ୍କୁଲ ପଠାଉଥିବା ବେଳେ ଭିତ୍ତିଭୂମି ଏବେ ସମସ୍ୟା ସୃଷ୍ଟି କରିଛି।

ରାଜଧାନୀର କିିଛି ବିଦ୍ୟାଳୟକୁ ଅତ୍ୟାଧୁନିକ ରୂପ ଦିଆଯାଇଛି। ଯେଉଁଥିପାଇଁ ଘରୋଇ ସ୍କୁଲ ପିଲା ଏବେ ସରକାରୀ ବିଦ୍ୟାଳୟ ମୁହଁା ହୋଇଛନ୍ତି। ମାତ୍ର ଯେଉଁଭଳି ପିଲାଙ୍କ ଆଗ୍ରହ ବଢ଼ୁଛି ସେହି ଅନୁଯାୟୀ ଭିତ୍ତିଭୂମି ଏପର୍ଯ୍ୟନ୍ତ ପ୍ରସ୍ତୁତ କରାଯାଇ ନାହିଁ। ରାଜଧାନୀର ଅଧିକାଂଶ ସ୍କୁଲରେ ଏବେ ବିି ଦୁର୍ବଳ ଭିତ୍ତିଭୂମି ରହିଛି। ଶିକ୍ଷକ ଶିକ୍ଷୟିତ୍ରୀ ଅଭାବ ସବୁଠାରୁ ବଡ଼ ସମସ୍ୟା ପାଲଟିଛି। ଗୋଟିଏ କି ଦୁଇଟି ସ୍କୁଲ ନୁହେଁ। ବରଂ ଅଧିକାଂଶ ବିଦ୍ୟାଳୟରେ ପିଲା ଅନୁଯାୟୀ ଶିକ୍ଷକ ନାହାନ୍ତି।

ଭୁବନେଶ୍ବର ମହାନଗର ନିଗମ ଅଧୀନ ବିଦ୍ୟାଳୟଗୁଡ଼ିକରେ ୨୩୮ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅଭାବ ରହିଛି। ଯେତେବେଳେ କି ଭୁବନେଶ୍ବର ବ୍ଲକ ଅଧୀନ ବିଦ୍ୟାଳୟରେ ପ୍ରାୟ ୭୦ ଶିକ୍ଷକ ନାହାନ୍ତି। ପ୍ରତି ମାସରେ ଶିକ୍ଷକ ଅବସର ନେଉଥିଲେ ମଧ୍ୟ ସେହି ଅନୁଯାୟୀ ନିଯୁକ୍ତି ଦିଆଯାଉ ନାହିଁ। ଡୁମୁଡୁମା ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଖଣ୍ଡଗିରି ହାଇସ୍କୁଲ, ପ୍ରେସ୍‌ କଲୋନି ହାଇସ୍କୁଲ, ପ୍ରଶାନ୍ତିବିହାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ କ୍ଲାସରୁମ୍‌ ସମସ୍ୟା ରହିଛି। ଯେଉଁଥିପାଇଁ ପିଲାଙ୍କୁ ଉପଯୁକ୍ତ ଶିକ୍ଷା ଦେବା ସମ୍ଭବ ହେଉ ନାହିଁ। ଯେଉଁ ବିଦ୍ୟାଳୟରେ ୨୦୦ ପିଲା ହେବା କଷ୍ଟକର ହୋଇପଡ଼ୁଥିଲା ଏବେ ସେଠାରେ ୪୫୦ରୁ ଅଧିକ ପିଲା। ଘରୋଇ ବିଦ୍ୟାଳୟରୁ ଆସୁଥିବା ପିଲାଙ୍କ ମଧ୍ୟରୁ ଅଧିକାଂଶ ଓଡ଼ିଶା ମାଧ୍ୟମ ବିଦ୍ୟାଳୟର ହୋଇଥିବା ବେଳେ ଇଂରାଜୀ ମାଧ୍ୟମ ସ୍କୁଲର ପିଲା ମଧ୍ୟ ରହିଛନ୍ତି।

ସରକାରୀ ସ୍କୁଲକୁ ଆସୁଥିବା ପିଲାମାନେ ଟିସି ଦାଖଲ କରିପାରୁ ନାହାନ୍ତି। ଘରୋଇ ସ୍କୁଲରେ ଫି’ ଦାଖଲ କରି ନ ଥିବାରୁ ସେଠାରୁ ସେମାନଙ୍କୁ ଟିସି ମିଳି ନାହିଁ। ଅଭିଭାବକଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଥିବାରୁ ସେମାନେ ଘରୋଇ ସ୍କୁଲରେ ପିଲାଙ୍କୁ ଉଚ୍ଚତର ଶିକ୍ଷା ଦେଇପାରୁ ନାହାନ୍ତି। ବାଧ୍ୟ ହୋଇ ଅଧାରୁ ପିଲାଙ୍କୁ ସରକାରୀ ବିଦ୍ୟାଳୟରେ ପଢ଼ାଇବାକୁ ନିଷ୍ପତ୍ତି ନେଉଛନ୍ତି। ନ ହେଲେ ପାଠପଢ଼ା ବନ୍ଦ କରୁଛନ୍ତି। ତେଣୁ ସରକାରୀ ବିଦ୍ୟାଳୟରେ ସେମାନଙ୍କ ନାମଲେଖା କରାଯାଉଥିବା ନେଇ ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି।

ଶିକ୍ଷାବିତ୍‌ ବାସୁଦେବ ଛାଟୋଇଙ୍କ ମତରେ କେବଳ ୫-ଟି ସ୍କୁଲର ରୂପାନ୍ତର ଯୋଗୁଁ ସରକାରୀ ବିଦ୍ୟାଳୟରେ ପିଲାଙ୍କ ସଂଖ୍ୟା ବଢ଼ୁଥିବା କହିବା ଠିକ୍‌ ନୁହେଁ। ସରକାରୀ ସ୍କୁଲ ଓ ଜୁନିଅର କଲେଜରୁ ପାସ୍‌ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂ କଲେଜରେ ୧୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ହୋଇଛି। ଏଥର କିଛି ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି। ତେଣୁ ଅଭିଭାବକ ସେମାନଙ୍କ ପିଲାଙ୍କୁ ସରକାରୀ ବିଦ୍ୟାଳୟରେ ପଢ଼ାଇବାକୁ ଆଗ୍ରହ ଦେଖାଉଛନ୍ତି। ସେହିପରି କରୋନା ଯୋଗୁଁ ଯେଉଁ ଅଭିଭାବକଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହୋଇଯାଇଛି ସେମାନେ ନିଜ ପିଲାଙ୍କୁ ଘରୋଇ ବିଦ୍ୟାଳୟରୁ ଆଣି ସରକାରୀ ସ୍କୁଲରେ ନାମ ଲେଖାଉଛନ୍ତି। ତେଣୁ ପିଲାଙ୍କ ସଂଖ୍ୟା ବଢ଼ିଯାଉଛି। ମାତ୍ର ଆମକୁ ସେଭଳି ଭାବେ ଭିତ୍ତିଭୂମି ସୁଦୃଢ଼ କରିବାକୁ ପଡ଼ିବ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି