ଭୁବନେଶ୍ବର : ରାଜ୍ୟ ସରକାର ଦୀର୍ଘ ମାସ ହେଲା ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ମନ୍ତ୍ରୀ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଯାତାୟାତ ପାଇଁ ଏକ ଦୁଇ ଇଞ୍ଜିନ ବିଶିଷ୍ଟ ଟର୍ବୋ ପ୍ରପ୍ ଏୟାରକ୍ରାଫ୍ଟକୁ ଭଡ଼ାରେ ଆଣିବାକୁ ଟେଣ୍ଡର ଆହ୍ବାନ କରୁଛନ୍ତି। ହେଲେ କୌଣସି ବିମାନ କମ୍ପାନି ରାଜ୍ୟ ସରକାରଙ୍କୁ ଭଡ଼ାରେ ବିମାନ ଦେବାକୁ ରାଜି ହେଉନାହାନ୍ତି। ଯେଉଁଥିପାଇଁ ଗତ ବର୍ଷକ ମଧ୍ୟରେ ପ୍ରାୟ ୫ଥର ଟେଣ୍ଡର ପରେ ଟେଣ୍ଡର ଆହ୍ବାନ ହେଉଥିଲେ ହେଁ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇପାରୁନି। ସମାନ ସର୍ତ୍ତରେ ରାଜ୍ୟ ସରକାର କାହିଁକି ବାରମ୍ବାର ଟେଣ୍ଡର ଆହ୍ବାନ କରୁଛନ୍ତି ସେନେଇ ଏବେ ପ୍ରଶ୍ନ ଉଠିଲାଣି। ଟେଣ୍ଡର ହୋଇ ବିମାନ ଆସୁନଥିେଲ ହେଁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ କିଛି ଅଧିକାରୀ ଏବେବି ସ୍ବତନ୍ତ୍ର ବିମାନ ଓ ହେଲିକପ୍ଟରରେ ବିଭିନ୍ନ ଜିଲ୍ଲା ଗସ୍ତ କରୁଥିବା ଦେଖିବାକୁ ମିଳୁଛି।
ଆଗକୁ ସାଧାରଣ ନିର୍ବାଚନ ରହିଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗର ମନ୍ତ୍ରୀ ଓ କିଛି ଅଧିକାରୀ ଘନଘନ ଜିଲ୍ଲା ଗସ୍ତ କରିପାରନ୍ତି। ଏହାକୁ ନଜରରେ ରଖି ରାଜ୍ୟ ସରକାର ଗୋଟିଏ ଦୁଇ ଇଞ୍ଜିନ ବିଶିଷ୍ଟ ଚାର୍ଟର ବିମାନ ଭଡ଼ାରେ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ବିମାନରେ ଯେପରି ଖାଦ୍ୟପେୟରୁ ଆରମ୍ଭ କରି ଆରାମଦାୟକ ସେବା ଉପଲବ୍ଧ ହୋଇପାରୁଥିବ ସେହିଭଳି ବିମାନ ଆଣିବାକୁ ରାଜ୍ୟ ସରକାର ଟେଣ୍ଡର ଆହ୍ବାନ କରିଛନ୍ତି।
ବାଣିଜ୍ୟ ଓ ପରିବହନ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଜ୍ୟ ସରକାର ଭିଆଇପିଙ୍କ ଯାତାୟାତ ପାଇଁ ଏକ ୬ସିଟ୍ ବିଶିଷ୍ଟ ଟର୍ବୋ ପ୍ରପ୍ ଏୟାରକ୍ରାଫ୍ଟ ଭଡ଼ାରେ ଆଣିବେ। ବିମାନରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ଭଳି ଭିଆଇପିମାନଙ୍କ ଯାତାୟାତ କରିବାକୁ ଥିବାରୁ ଏହାର ଉଡ଼ାଣ ପାଇଁ ଦୁଇ ଜଣ ପାଇଲଟ୍ ରହିବା ବାଧ୍ୟତାମୂଳକ କରାଯାଇଛି। ଏହାସହ ବିମାନରେ ଏକଜିକ୍ୟୁଟିଭ୍ ଏସି କ୍ୟାବିନ୍, ଅତ୍ୟାଧୁନିକ ଇଣ୍ଟେରିୟର ସୁବିଧା ସହ ବିମାନଟି ୧୦ବର୍ଷରୁ କମ୍ ପୁରୁଣା ହୋଇଥିବା ଦରକାର ବୋଲି କୁହାଯାଇଛି। ଯଦି ଆବେଦନ କରିଥିବା ସଂସ୍ଥାଙ୍କ ମଧ୍ୟରେ କାହା ପାଖରେ
୧୦ବର୍ଷରୁ କମ୍ ପୁରୁଣା ବିମାନ ନଥିବ ତେବେ ରାଜ୍ୟ ସରକାର ୧୦ବର୍ଷରୁ ଅଧିକ ବିମାନକୁ ଭଡ଼ାରେ ନେବା ପାଇଁ ବିଚାର କରିବେ। ଏହାସହ ବିମାନଟି ୩ହଜାର ଫୁଟର ରନ୍ୱେରେ ଅବତରଣ କରିପାରିବାର କ୍ଷମତା ଥିବା ଦରକାର ବୋଲି କୁହାଯାଇଛି। ଏପରିକି ବର୍ଷକ ପାଇଁ ବିମାନ ଭଡ଼ାରେ ଆସିବାକୁ ଥିବାବେଳେ ବିମାନଟି ବର୍ଷକୁ ୨୪୦ଘଣ୍ଟା ଉଡ଼ାଣ କରିବ ବୋଲି ଆକଳନ କରାଯାଇଛି। ଏହାଠାରୁ କମ୍ ଉଡ଼ାଣ କଲେ ବି ଏହି ୨୪୦ ଘଣ୍ଟା ପାଇଁ ଭଡ଼ା ଦିଆଯିବ। ଏହାଠାରୁ ଅଧିକ ହେଲେ ଘଣ୍ଟା ପିଛା ଉଡ଼ାଣ ଭଡ଼ା ଦିଆଯିବ।
ସେହିପରି ବିମାନଟି ବର୍ଷତମାମ୍ ଭୁବନେଶ୍ବର ବିମାନବନ୍ଦରରେ ପାର୍କିଂ ହୋଇ ରହିବ। ଯେତେବେଳେ ଯେଉଁ ମୁହୂର୍ତ୍ତରେ ରାଜ୍ୟ ସରକାର ଚାହିଁବେ ବିମାନ ବ୍ୟବହାର କରିବେ। ଯଦି ବିମାନଟି ବିମାନବନ୍ଦରରେ ନଥିବ ତେବେ ସଂସ୍ଥା କର୍ତ୍ତୃପକ୍ଷ ତୁରନ୍ତ ବିମାନ ଯୋଗାଇଦେବେ। ଏହାନହେଲେ ରାଜ୍ୟ ସରକାର ଯେଉଁ ବିମାନ ଭଡ଼ାରେ ନେବେ ତା’ର ଖର୍ଚ୍ଚ ଉକ୍ତ ସଂସ୍ଥା ବହନ କରିବ। ଏହାସହ ବିମାନ ଉଡ଼ାଣ କରିବାକୁ ଥିବା ସଂସ୍ଥା ପକ୍ଷରୁ ଏକ ସ୍ବତନ୍ତ୍ର ଗାଡ଼ି ବିମାନବନ୍ଦର ପରିସରରେ ରହିବ। ଯାହା ଭିଆଇପିମାନଙ୍କୁ ଏୟାରକ୍ରାଫ୍ଟ ପର୍ଯ୍ୟନ୍ତ ନେବାଆଣିବା କରିବ। ଅପରପକ୍ଷେ ପାଇଲଟ୍ମାନଙ୍କ ରହଣି ଖର୍ଚ୍ଚ ଉକ୍ତ ସଂସ୍ଥା କରିବ ବୋଲି କୁହାଯାଇଛି। ବିମାନର ମରାମତି ପାଇଁ ବି ଇଞ୍ଜିନିୟର ଭୁବନେଶ୍ବରରେ ରହିବେ।
ହେଲେ କୌଣସି ସଂସ୍ଥା ବର୍ଷତମାମ୍ ବିମାନକୁ ଗୋଟିଏ ବିମାନବନ୍ଦରରେ ପାର୍କିଂ କରିବାକୁ ଚାହୁଁନାହାନ୍ତିି। ଭଡ଼ା ଖର୍ଚ୍ଚ ଯେତିକି ହେବ ପ୍ରାୟ ସେତିକି ଖର୍ଚ୍ଚ ବିମାନର ରହଣି, କ୍ରିଉ ସଦସ୍ୟ, ଇଞ୍ଜିନିୟରଙ୍କ ଦରମା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ହେବ। ଏହାକୁ ରାଜ୍ୟ ସରକାର ଭରଣା କରିବାକୁ ଚାହୁଁନାହାନ୍ତି। ଯେଉଁଥିପାଇଁ ଆବେଦନ ଆସୁନି। ଏହାବାଦ୍ ଦେଶରେ ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ବ୍ୟବହାର ପାଇଁ ବିମାନ ଭଡ଼ାରେ ଆଣୁଛନ୍ତି। ଏହାଦ୍ବାରା ବିମାନ ଭଡ଼ା ବାବଦକୁ ସେମାନଙ୍କୁ ଅଧିକ ଅର୍ଥ ମିଳିବ। ତେଣୁ ବର୍ଷକ ପାଇଁ ରାଜ୍ୟ ସରକାରଙ୍କ ପାଖରେ କେହି ବିମାନ ରଖିବାକୁ ଚାହୁଁନାହାନ୍ତି। ଅପରପକ୍ଷେ ରାଜ୍ୟ ସରକାର ସର୍ତ୍ତ ରଖିଛନ୍ତି ଯେ ଯଦି ଭଡ଼ାରେ ଅାସିଥିବା ବିମାନ ରାଜ୍ୟ ସରକାରଙ୍କ ବ୍ୟବହାରରେ ନଆସିବ ତେବେ ଯେଉଁ ବିମାନ ରାଜ୍ୟ ସରକାର ବ୍ୟବହାର କରିବେ ତା’ର ଭଡ଼ା ଟେଣ୍ଡର ପାଇଥିବା ସଂସ୍ଥାର ପ୍ରାପ୍ୟରୁ କଟା ହେବ। ଏହାହେଲେ ବିମାନ କମ୍ପାନିର କ୍ଷତି ହେବ ବୋଲି ସେମାନେ କହୁଛନ୍ତି। ଯେଉଁଥିପାଇଁ ଟେଣ୍ଡରରେ ଆବେଦନ ଆସୁନି।
ତେଣୁ ଏବେ ବିଭିନ୍ନ ବିଭାଗର ମନ୍ତ୍ରୀ, ୫-ଟି ସଚିବ ଏବଂ ଅନ୍ୟ ଅଧିକାରୀଙ୍କ ପାଇଁ ହେଲିକପ୍ଟର ଭଡ଼ାରେ ଆଣି ବିଭିନ୍ନ ଜିଲ୍ଲା ଗସ୍ତରେ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ଗତ କିଛି ମାସ ହେଲା ବିଭିନ୍ନ ଜିଲ୍ଲା ଗସ୍ତରେ ଯାଇନଥିବାରୁ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସ୍ବତନ୍ତ୍ର ବିମାନ ଭଡ଼ାେର ଆସିନି। ହେଲେ ଗତ ବିଧାନସଭା ଅଧିବେଶନରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ ଯେ ଗତ ୩୪ମାସ ଭିତରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ୭୬ଥର ହେଲିକପ୍ଟର ବ୍ୟବହାର କରିଥିବାବେଳେ ଏଥିରେ ମୁଖ୍ୟମନ୍ତ୍ରୀ କେବଳ ୩୬ଥର ହେଲିକପ୍ଟରରେ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଯାଇଛନ୍ତି। ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ହେଲିକପ୍ଟର ଭଡ଼ା ବାବଦକୁ ରାଜ୍ୟ ସରକାର ୧୭କୋଟି ୮୯ଲକ୍ଷ ୧୩ହଜାର ୭୧୩ଟଙ୍କା ଖର୍ଚ୍ଚ କରିଛନ୍ତି। ଏହାବାଦ୍ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ରାଜ୍ୟ ଭିତରେ ବିଭିନ୍ନ ସ୍ଥାନକୁ ଯିବା ପାଇଁ ସ୍ବତନ୍ତ୍ର ଏୟାରକ୍ରାଫ୍ଟ ବ୍ୟବହାର କରିଛନ୍ତି।
ଗତ ୩୪ମାସରେ ୨୨ଥର ଏୟାରକ୍ରାଫ୍ଟ ବ୍ୟବହାର ହୋଇଥିବାବେଳେ ଏହା ବାବଦକୁ ୭କୋଟି ୯୩ଲକ୍ଷ ୬ହଜାର ୪୫୧ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ୧୨ଥର ଏୟାରକ୍ରାଫ୍ଟ ବ୍ୟବହାର କରିଛନ୍ତି। ଏହାଭିତରେ ଥରଟିଏ ଭୁବନେଶ୍ବରରୁ ଦିଲ୍ଲୀ ଗସ୍ତ ସାମିଲ୍ ଅଛି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁର, ହାଇଦ୍ରାବାଦ ଗସ୍ତରେ ୧୬ଥର ଯାଇଥିବାବେଳେ ଏଥିପାଇଁ ସ୍ବତନ୍ତ୍ର ଏୟାରକ୍ରାଫ୍ଟ ଭଡ଼ା ବାବଦକୁ ୪କୋଟି ୪୮ଲକ୍ଷ ୯୦ହଜାର ଟଙ୍କା ଖର୍ଚ୍ଚ ହୋଇଛି।