ଜଟଣୀ: ଜଟଣୀ ବ୍ଲକ ବେଣାପଞ୍ଜରୀ ପଞ୍ଚାୟତ ପାଣ୍ଡିଆବିଲି ଓ ତିରିମଲ ଅଞ୍ଚଳରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ଆଜି ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସମୀକ୍ଷା କରିଛନ୍ତି। ପ୍ରଥମେ ପାଣ୍ଡିଆବିଲି ଅଞ୍ଚଳରେ ପ୍ରବାହିତ ହୋଇଥିବା ଦୟାନଦୀର ସମ୍ଭାବ୍ୟ ବନ୍ୟାସ୍ଥିତିକୁ ସମୀକ୍ଷା କରିଛନ୍ତି। ବନ୍ୟାଜଳ ପ୍ରବାହିତ ହେଉଥିବା ଦୟା ଓ ରାଜୁଆ ନଦୀର ସଙ୍ଗମସ୍ଥଳ ପାଣ୍ଡିଆବିଲି ଠାରେ ଗତ ୨୬ ତାରିଖରେ ଅସ୍ଥାୟୀ ନଦୀବନ୍ଧ ରାସ୍ତା ଭାଙ୍ଗି ୬୦ ଫୁଟ୍ର ଘାଇ ସୃଷ୍ଟି ହୋଇଥିଲା। ଫଳରେ ଦୁଇଟି ଜିଲ୍ଲାର ୩ଟି ପଞ୍ଚାୟତର ହଜାର ହଜାର ଲୋକେ ଯାତାୟାତ ଲାଗି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପଟେ ଗ୍ରାମବାସୀମାନେ ଡଙ୍ଗା ସାହାଯ୍ୟରେ ଯାତାୟତ କରୁଛନ୍ତି। କାଳକ୍ରମେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିବା ପାଣ୍ଡିଆବିଲି ଅଞ୍ଚଳକୁ ଯାଇ ଜିଲ୍ଲାପାଳ ସମୀକ୍ଷା କରିଥିଲେ। ଏଥିସହିତ ଉକ୍ତ ନଦୀରେ ଆସିଥିବା ଜଳସ୍ତର ଉପରେ ଦୃଷ୍ଟି ଦେବାକୁ ବିଡିଓ, ଜଳସେଚନ ଅଧିକାରୀ, ପଞ୍ଚାୟତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ଭାବ୍ୟ ବନ୍ୟାସ୍ଥିତି ଲାଗି ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ପ୍ରସ୍ତୁତ କରାଯାଇଛି। ବନ୍ୟାସ୍ଥିତିର ମୁକାବିଲା କରିବାକୁ ପ୍ରଶାସନ ପ୍ରସ୍ତୁତ ରହିଛି ବୋଲି ରହିଛି ବୋଲି ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ କହିଛନ୍ତି।
ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ଜିଲ୍ଲାପାଳଙ୍କ ସମୀକ୍ଷା