ରାଜ୍ୟ ସ୍ପେଶାଲ ରିପୋର୍ଟ

ସମ୍ବାଦ ବ୍ୟାଙ୍କିଙ୍ଗ୍‌ ଆଣ୍ଡ୍‌ ଫାଇନାନ୍ସ ସେମିନାର: ବ୍ୟାଙ୍କ ସେବାକୁ ସହଜ କରିଛି ପ୍ରଯୁକ୍ତି

ଭୁବନେଶ୍ବର : ବ୍ୟାଙ୍କ ଓ ଆର୍ଥିକ ପ୍ରତିଷ୍ଠାନରେ ପୂର୍ବରୁ ସବୁ ପ୍ରକାର କାର୍ଯ୍ୟ କାଗଜ କଲମରେ ହେଉଥିଲା। ଆୟବ୍ୟୟ ହିସାବଫର୍ଦ୍ଦ ମିଳେଇବା ଠାରୁ ଆରମ୍ଭ କରି ସୁଧ ହିସାବକୁ ଅଧିକାରୀମାନେ ହାତରେ କରୁଥିଲେ। ଏହା ସମୟସାକ୍ଷେପ ଥିଲା। କିନ୍ତୁ ଏବେ ପ୍ରାୟ ସବୁ କାର୍ଯ୍ୟ କମ୍ପ୍ୟୁଟରରେ ହେଉଛି। ପ୍ରଯୁକ୍ତି ଆସିବା ପରେ ଗ୍ରାହକମାନେ ୨୪ ଘଣ୍ଟା ବ୍ୟାଙ୍କିଂ ସେବା ପାଇ ପାରୁଛନ୍ତି। ଏପରିକି ଲୋକଙ୍କୁ ଆଉ ବ୍ୟାଙ୍କକୁ ଯିବାପାଇଁ ପଡ଼ୁନାହିଁ। ଆକାଉଣ୍ଟରେ କେତେ ଟଙ୍କା ଜମା ଅଛି ତାହା ମୋବାଇଲ ଫୋନ ମାଧ୍ୟମରେ ଜାଣି ହେଉଛି। ଅନ୍ୟପକ୍ଷରେ ଅନଲାଇନରେ ଆବେଦନ କରିଲେ ବ୍ୟାଙ୍କ ବି ଗ୍ରାହକଙ୍କ ଖାତାକୁ ଋଣ ବାବଦ ଅର୍ଥରାଶି ପଠାଇ ଦେଉଛି। ତେଣୁ ଆଜି ଜଣେ ବ୍ୟକ୍ତି ଗୋଟିଏ ଶାଖାରେ ଆକାଉଣ୍ଟ ଖୋଲି ଯେତେବେଳେ ଡିଜିଟାଲ ବ୍ୟାଙ୍କିଂ ସହିତ ଯୋଡ଼ି ହେଉଛି ସେ କେବଳ ସେହି ଶାଖାର ଗ୍ରାହକ ହୋଇ ରହୁନାହିଁ ବରଂ ସଂପୂର୍ଣ୍ଣ ବ୍ୟାଙ୍କର ଗ୍ରାହକ ହେଉଛି ବୋଲି ସମ୍ବାଦ ପକ୍ଷରୁ ଗୁରୁବାର ବ୍ୟାଙ୍କିଂ ଆଣ୍ଡ୍ ଫାଇନାନ୍ସ ସେମିନାରର ଡିଜିଟାଲ ନବସୃଜନ: ସୁଯୋଗ ଏବଂ ଆହ୍ବାନ ଶୀଷର୍କ ଦ୍ବିତୀୟ ଅଧିବେଶନରେ ବକ୍ତାମାନେ ଯୋଗଦେଇ ଏଭଳି ମତ ରଖିଛନ୍ତି।

ଭାରତୀୟ ଷ୍ଟେଟ ବ୍ୟାଙ୍କର ଡିଜିଏମ୍‌ (ଫାଇନାନ୍ସ ଆଣ୍ଡ୍‌ ଅପରେସନ) ପ୍ରସାଦ ଗଜାନନ ଦେଓଧର ଯୋଗଦେଇ ଦେଶରେ ବ୍ୟାଙ୍କିଂ ‌ବ୍ୟବସ୍ଥାରେ ମାନୁଆଲରୁ ଡିଜିଟାଲର ଯାତ୍ରା କିଭଳି ରହିଛି ସଂପର୍କିତ ଏକ ପ୍ରଶ୍ନରେ କହିଥିଲେ କେବଳ ବ୍ୟାଙ୍କିଂ ନୁହେଁ ପ୍ରତ୍ୟେକ କ୍ଷେତ୍ରରେ ଏଭଳି ପରିବର୍ତ୍ତନ ଦେଖିବାକୁ ମିଳିଛି। ଆର୍ଥିକ ପ୍ରଯୁକ୍ତି ବ୍ୟବହାର ଦ୍ବାରା ବ୍ୟାଙ୍କିଂ ସେବା ଲୋକଙ୍କ ପାଇଁ ସହଜ ହୋଇଛି। ବ୍ୟାଙ୍କଗୁଡ଼ିକ ମଧ୍ୟ ଅଧିକ ଦକ୍ଷତାର ସହ ଲୋକଙ୍କୁ ସେବା ଯୋଗାଇ ପାରୁଛନ୍ତି। ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ଜେନେରାଲ ମ୍ୟାନେଜର ସୁରେଶ ଷଡ଼ଙ୍ଗୀ ଯୋଗଦେଇ କହିଥିଲେ, ଯେଉଁ ଚିନ୍ତାଧାରା କାର୍ଯ୍ୟକାରୀ ହେବାର ସମୟ ଆସିଯାଇଛି ତାହାକୁ କେହି ରୋକିପାରିବେ ନାହିଁ। ‌ତେଣୁ ବ୍ୟାଙ୍କିଂ କ୍ଷେତ୍ରରେ ଡିଜିଟାଲ ପ୍ରଯୁକ୍ତିର ବ୍ୟବହାର ସେହିଭଳି ଏକ ଚିନ୍ତାଧାରା ଯାହାକୁ ଏବେ ବ୍ୟାପକ ମାତ୍ରାରେ କାର୍ଯ୍ୟକାରୀ କରାଯାଉଛି। ଜଣେ ବ୍ୟକ୍ତି ଯେକୌଣସି ସ୍ଥାନରୁ ଯେକୌଣସି ସମୟରେ ବ୍ୟାଙ୍କିଂ ସୁବିଧା ପାଇପାରୁଛି। ଗ୍ରାହକ ଏବେ ଆଉ ଏକ ନିର୍ଦ୍ଦିଷ୍ଟ ଶାଖାର ଗ୍ରାହକ ନହୋଇ ସଂପୂର୍ଣ୍ଣ ବ୍ୟାଙ୍କର ଗ୍ରାହକ ହୋଇଯାଇଛି ବୋଲି ସେ କହିଥିଲେ। ପ୍ରଯୁକ୍ତି କ୍ଷେତ୍ରରେ ଆସିଥିବା ନବସୃଜନ ଯୋଗୁ ଏହା ସମ୍ଭବ ହୋଇଛି। ସ୍ମାର୍ଟଫୋନ ଓ ଇଣ୍ଟରନେଟର ଉପଯୋଗ କରି ଜଣେ ଡିଜିଟାଲ ବ୍ୟାଙ୍କିଂର ଲାଭ ନେଇପାରୁଛି। ଆର୍ଥିଫିସିଆଲ ଇଣ୍ଟେଲିଜେନ୍ସ, ମେସିନ ଲର୍ଣ୍ଣିଂ ଏବଂ ଆଲଗରିଦିମ ଆଦିର ବ୍ୟବହାର କରି ବ୍ୟାଙ୍କ ସେବାକୁ ଉନ୍ନତ କରାଯାଇ ପାରିଛି ବୋଲି ସେ ମତ ଦେଇଥିଲେ।

ସେହିଭଳି ବ୍ୟାଙ୍କ ଅଫ ମହାରାଷ୍ଟ୍ରର ପୂର୍ବତନ ମହାପ୍ରବନ୍ଧକ ତଥା ଚିଫ୍‌ ଭିଜିଲାନ୍ସ ଅଫିସର ଏଲ୍‌ ଏନ୍‌ ରଥ ଯୋଗଦେଇ କହିଥିଲେ ଆବଶ୍ୟକତାରୁ ଆବିଷ୍କାର ହୋଇଥାଏ। ଡିଜିଟାଲ ବ୍ୟାଙ୍କିଂ ଜରିଆରେ ଉଭୟ ଗ୍ରାହକ ଓ ବ୍ୟାଙ୍କର ସୁବିଧା ହେଉଛି। ଡିଜିଟାଲ ବ୍ୟାଙ୍କିଂ ଯୋଗୁ କୋଭିଡ-ମହାମାରୀ ସମୟରେ ଲୋକମାନେ ଆର୍ଥିକ କାରବାରରେ ଅନେକ ସୁବିଧା ପାଇ ପାରିଥିଲେ। ପୂର୍ବରୁ ଡ୍ରାଫ୍ଟ ଓ ଅର୍ଥ ପ୍ରେରଣ ପାଇଁ ଲୋକଙ୍କୁ ଟଙ୍କା ଦେବାକୁ ପଡ଼ୁଥିବାବେଳେ ଏବେ ଡିଜିଟାଲ କାରବାର ଜରିଆରେ ବିନା ମୂଲ୍ୟରେ ଟଙ୍କା ପଠାଯାଇ ପାରୁଛି ବୋଲି ସେ କହିଥିଲେ। ତେଣୁ ଡିଜିଟାଲ ପ୍ରଯୁକ୍ତି ବ୍ୟାଙ୍କିଂ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିଛି ବୋଲି ସେ କହିଥିଲେ। ତେବେ ଆର୍ଥିକ ପ୍ରଯୁକ୍ତିର ଖରାପ ଦିଗ ମଧ୍ୟ ରହିଛି। ସଚେତନ ନରହିଲେ ଏବଂ ଲୋଭଙ୍କୁ ନିୟନ୍ତ୍ରଣ ନକରିଲେ ବଡ଼ ଧରଣର ଠକେଇରେ ପଡ଼ିବା ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ପାରିବ ନାହିଁ ବୋଲି ବକ୍ତାମାନେ ମତ ଦେଇଥିଲେ। ଏହି ଅବସରରେ ଅତିଥିମାନଙ୍କୁ ସମ୍ବାଦର ସିଓଓ କମଳାକାନ୍ତ ମହାପାତ୍ର ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମକୁ କନକ ନ୍ୟୁଜର ପ୍ରଡ୍ୟୁସର ସ୍ବସ୍ତିକା ପଣ୍ଡା ସଂଯୋଜନା କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।