ରାଜ୍ୟ ସ୍ପେଶାଲ ରିପୋର୍ଟ

ସମ୍ବଲପୁରରେ ହାଇଭୋଲ୍‌ଟେଜ୍‌ ରାଜନୀତି: ୪୨ଡିଗ୍ରି ତାତିକୁ ବଳିଗଲା ନିର୍ବାଚନୀ ତାତି

ସମ୍ବଲପୁର: ନାମାଙ୍କନପତ୍ର ଦାଖଲ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି କେହି ନାମାଙ୍କନପତ୍ର ଦାଖଲ କରିନାହାନ୍ତି। ତଥାପି, ଘମାଘୋଟ ଲଢ଼େଇ ଆରମ୍ଭ‌ ହୋଇଯାଇଛି। ସମ୍ବଲପୁର ଲୋକସଭା କ୍ଷେତ୍ରରୁ ବିଜେପି ଓ ବିଜେଡିରୁ ରାଜ୍ୟର ଶୀର୍ଷସ୍ତର ନେତା ନିର୍ବାଚନ ଲଢ଼େଇରେ ଅବତୀର୍ଣ୍ଣ ହୋଇଥିବା ବେଳେ କଂ‌ଗ୍ରେସ ମଧ୍ୟ ଜଣେ ଦମ୍‌ଦାର୍‌ ନେତା ନଗେନ୍ଦ୍ର ପ୍ରଧାନଙ୍କୁ ମଇଦାନକୁ ଓହ୍ଲାଇଛି। ଗ୍ରୀଷ୍ମପ୍ରବାହ ଯୋଗୁଁ ସମ୍ବଲପୁରରେ ଏବେ ପାରା ୪୨ ଡିଗ୍ରି ଉପରେ ରହୁଥିବା ବେଳେ ନିର୍ବାଚନୀ ତାତି କିନ୍ତୁ ତା’ଠାରୁ ବଳି ଯାଇଛି।

ସମ୍ବଲପୁର ‌ଲୋକସଭା କ୍ଷେତ୍ରରୁ ନିର୍ବାଚନ ଲଢ଼ିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବହୁ ଆଗରୁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। ‌କେବଳ ସେ ଏକା ନୁହନ୍ତି, ତାଙ୍କ ଧର୍ମପତ୍ନୀ ମଧ୍ୟ ତାଙ୍କ ବିକାଶ ଫାଉଣ୍ଡେସନ ଜରିଆରେ ପାଖାପାଖି ଗତ ଏକ ବର୍ଷ କ୍ଷେତ୍ର ପ୍ରସ୍ତୁତି କରିଚାଲିଥିଲେ। ସମ୍ଭବତଃ ବିଜେପି ଏଭଳି ପ୍ରସ୍ତୁତି ସଂପର୍କରେ ସୁରାକ୍‌ ପାଇବାପରେ ବିଜେଡି ମଧ୍ୟ ଏହାର ମୁକାବିଲା ପାଇଁ ଦଳର ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ସମ୍ବଲପୁର ଓ ଅନୁଗୁଳ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଇଥିଲା। ପ୍ରଣବ ପ୍ରକାଶ ମଧ୍ୟ ବାରମ୍ବାର ସମ୍ବଲପୁର ଲୋକସଭା କ୍ଷେତ୍ରକୁ ଗସ୍ତକରି ସଂଗଠନ ସଜାଡ଼ିବା ଲାଗି ପ୍ରୟାସ କରିଥିଲେ। ଧର୍ମେନ୍ଦ୍ର ସମ୍ବଲପୁର ଲୋକସଭା କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ନିକଟତର ହୋଇଥିଲେ। ସମ୍ବଲପୁର ସହର ମଧ୍ୟସ୍ଥଳରେ ଥିବା ଏକ ଆପାର୍ଟମେଣ୍ଟ ଫ୍ଲାଟ୍‌ ନେବାସହିତ ସମ୍ବଲପୁରରେ ତାଙ୍କ ରାଜନୈତିକ ଗତିବିଧି ପ୍ରଥମେ ଜୋରଦାର କରିଥିଲେ। କେଉଁଦିନ ସକାଳୁ ସକାଳୁ ସ୍କୁଟି ଧରି ସହରର ବିଭିନ୍ନ ଜାଗା ବୁଲି ‘ଚାଏ ପେ ଚର୍ଚ୍ଚା’ କରୁଛନ୍ତି ତ ପୁଣି ଛୋଟବଡ଼ ଦୋକାନରୁ ଆବଶ୍ୟକ ସାମଗ୍ରୀ କିଣୁଥିବା ଦେଖିବାକୁ ମିଳୁଛି। ବସ୍ତି ଅଂଚଳରେ ଥିବା ଦଳର ଏସ୍‌ସି/ଏସ୍‌ଟି ମୋର୍ଚ୍ଚାର ସଦସ୍ୟଙ୍କ ସହ ଜଳଖିଆ ଆଉ ମଧ୍ୟାହ୍ନ ଭୋଜନ ବି କରୁଛନ୍ତି। ବିଭିନ୍ନ ଜାତି, ସଂପ୍ରଦାୟର‌ ଲୋକଙ୍କ ସହ ବୈଠକ କରିବା ସହିତ ବିଭିନ୍ନ କ୍ଷେତ୍ରରେ ଉପଲବ୍ଧି ହାସଲ କରିଥିବା ଲୋକଙ୍କୁ ପାଖକୁ ଡାକି ପ୍ରଶଂସା କରିବାକୁ ଭୁଲି ନାହାନ୍ତି। ସାହିତ୍ୟିକ, ଲେଖକ, ବୁଦ୍ଧିଜୀବୀ ଆଦି ସବୁବର୍ଗର ଲୋକଙ୍କୁ ନିଜ ପଟକୁ ଆକର୍ଷିତ କରିବା ଲାଗି ଅକ୍ଳାନ୍ତ ଉଦ୍ୟମ କରୁଛନ୍ତି।

ଠିକ୍ ସେହିପରି ପ୍ରଣବ ପ୍ରକାଶଙ୍କ କ୍ଷେତ୍ରରେ ବି ଘଟୁଛି। ସେ ମଧ୍ୟ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ସହିତ ମିଶୁଛନ୍ତି। ଗତକିଛି ଦିନ ହେଲା ପ୍ରଣବ ପ୍ରକାଶ ଆକ୍ରମଣାତ୍ମକ ଶୈଳୀରେ ନିଜର ପ୍ରଚାର ଆରମ୍ଭ କରିଛନ୍ତି। ନୂଆ, ପୁରୁଣା ସମସ୍ତ କର୍ମୀ ଓ ଦଳୀୟ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ବଢ଼ାଇବା ସହିତ ବିଜେଡିକୁ ବିଜୟୀ କରିବାକୁ ଆହ୍ବାନ ଦେଇଛନ୍ତି। ଉଭୟ ନେତା ସମ୍ବଲପୁର ସହିତ ‌ସେମାନଙ୍କ ପୁରୁଣା ସଂପର୍କ ବାବଦରେ ‌ଲୋକଙ୍କୁ ଅବଗତ କରିବାର ସୁଯୋଗ ହାତଛଡ଼ା କରୁନାହାନ୍ତି। ସ୍ଥାନୀୟ କଳକାରମାନଙ୍କ ଦ୍ବାରା ପ୍ରସ୍ତୁତ ସୁନ୍ଦର ସମ୍ବଲପୁରୀ ଭାଷାରେ ପ୍ରଚାର ଗୀତ ଜରିଆରେ ଉଭୟ ଲୋକଙ୍କ ମନ ଜିଣିବାକୁ ପ୍ରୟାସ କରୁଛନ୍ତି। ସଭାସମିତିରେ ବକ୍ତବ୍ୟ ରଖି ଧର୍ମେନ୍ଦ୍ର ବିଭିନ୍ନ ତଥ୍ୟ ସହିତ ରାଜ୍ୟ ସରକାରଙ୍କୁ ଘେରୁଥିବା ବେଳେ ପ୍ରଣବ ପ୍ରକାଶ ବି ଏହାର ପାଲଟା ଜବାବ ରଖୁଛନ୍ତି।
ଉଭୟଙ୍କ ପକ୍ଷରୁ ଜୋରଦାର ବାକ୍‌ଯୁଦ୍ଧ ଚାଲିଛି। ଲଢ଼େଇ ଏମିତି ଚାଲିଛି ଯେ ପ୍ରାୟଦିନ ବିଜେପି ଓ ବିଜେଡି ପକ୍ଷରୁ ଏକାଧିକ ଥର ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ପରସ୍ପରକୁ ଆକ୍ରମଣ କରାଯାଉଛି। କେହି ବି କାହାଠାରୁ ପଛରେ ପଡ଼ିବାର ସୁଯୋଗ ତିଆରି ହେବାକୁ ଦେଉନାହାନ୍ତି। ଆସନ୍ତାକାଲି ପ୍ରଣବ ପ୍ରକାଶ ବିଶାଳ ଶୋଭାଯାତ୍ରାରେ ଯାଇ ନାମାଙ୍କନପତ୍ର ଦାଖଲ କରିବେ। ଆସନ୍ତା ୨ ତାରିଖ ଦିନ ଧର୍ମେନ୍ଦ୍ର ନାମାଙ୍କନପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି। ନାମାଙ୍କନପତ୍ର ଦାଖଲ ପରେ ଲଢ଼େଇ ଆହୁରି ତୀବ୍ର ହେବ ବୋଲି ଅନୁମାନ କରାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।