ଦାରିଙ୍ଗବାଡି ୩୦।୭: ଗୁଣାତ୍ମକ ଶିକ୍ଷାରେ ଯେପରି ଭିତ୍ତିଭୂମି ବାଧକ ନ ହେବ ସେଥିପାଇଁ ଶିକ୍ଷାନୁଷ୍ଠାନକୁ ସ୍ମାର୍ଟ କରାଗଲା । ବିଦ୍ୟାଳୟ ପିଛା ବହୁ ଲକ୍ଷ ଟଙ୍କା ବ୍ୟୟ ହେଲା । କିନ୍ତୁ ଶିକ୍ଷକ ଅଭାବ ସମସ୍ୟା ଏବେ ସ୍ମାର୍ଟ ସ୍କୁଲ ଉଦ୍ଦେଶ୍ୟ ପୂରଣରେ ବାଧକ ସାଜିଛି। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ଉଚ୍ଚ ବିଦ୍ୟାଳୟର ଏହାର ଏକ ଉଦାହରଣ । ସ୍କୁଲର ସମସ୍ୟା ନେଇ ବୁଡ଼ାଗୁଡା ଗ୍ରାମବାସୀ ଓ ପରିଚାଳନା କମିଟି ପକ୍ଷରୁ ବିଭାଗୀୟ ମନ୍ତ୍ରୀ, ସଚିବ, ଘୁ.ଉଦୟଗିରି ବିଧାୟକ, ସାଲୁଗା ପ୍ରଧାନ କନ୍ଧମାଳ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗପତ୍ର ମାଧ୍ୟମରେ ଅବଗତ କରାଯାଇଛି । ଏଠାରେ ୨୬୪ ପିଲା ପାଠ ପଢ଼ୁଥିବା ବେଳେ ଦୀର୍ଘ ଦିନ ହେବ ବହୁ ଶିକ୍ଷକ ପଦବୀ ଖାଲି ପଡିଛି । ପ୍ରଧାନ ଶିକ୍ଷକ ପଦବୀରେ ନିଯୁକ୍ତି ଦିଆଯାଉ ନାହିଁ ।

ଏଥିସହ କଳାରେ ଶିକ୍ଷକ ଅଭାବ, ବିଜ୍ଞାନରେ ଜଣେ, ଖେଳ ବିଭାଗରେ ଶିକ୍ଷକ ପଦବୀ ଖାଲି ପଡ଼ିଛି। ପିଅନ ପଦବୀ ମଧ୍ୟ ଖାଲି ପଡ଼ିଛି । ଏ ନେଇ ଗ୍ରାମବାସୀ ସ୍କୁଲ କମିଟି ଶିକ୍ଷାମନ୍ତ୍ରୀଙ୍କ ଯାଏ ଅଭିଯୋଗ କରିଥିଲେ । ସେହିପରି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଡାଇନିଂ ହଲ୍, ଖେଳ ପଡିଆ, ସ୍କୁଲ ପାଚେରୀ ଲ୍ୟାବ କମ୍ପ୍ୟୁଟର ପାଇଁ ବହୁବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ । ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଶୌଚାଳୟଗୁଡିକୁ ଠିକ ଭାବରେ ଜଳ ଯୋଗାଣ ହୋଇ ନଥିବା ଯୋଗୁଁ ଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫଳରେ ଅଭିଭାବକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ତୁରନ୍ତ ବିଦ୍ୟାଳୟର ସମସ୍ୟା ସମାଧାନ କରିବାକୁ ବୁଡ଼ାଗୁଡା ଗ୍ରାମବାସୀ ଦାବି କରିଛନ୍ତି ।

ଏ ସମ୍ପର୍କରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ସାହୁ କହିଛନ୍ତି, ବିଦ୍ୟାଳୟରେ ଶିକ୍ଷକ ଅଭାବ ସମସ୍ୟା ଯୋଗୁ ପାଠପଢ଼ା ବ୍ୟାହତ ହେଉଛି। ଶିକ୍ଷକ ନିଯୁକ୍ତି, ଶୌଚାଳୟ ଓ ପାନୀୟ ଜଳ ବ୍ୟବସ୍ଥା ନେଇ ବହୁବାର ବିଡିଓ, ଜଳଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ଅବଗତ କରାଯାଇଛି। କିନ୍ତୁ କେହି ଆମ କଥା ଶୁଣୁନାହନ୍ତି। ହେଲେ ବିଭାଗ ଅବଗତ ଅଛି ବୁଡ଼ାଗୁଡା ଉଚ୍ଚ ବିଦ୍ୟାଳୟର ସ୍ମାର୍ଟ ସ୍କୁଲ ରେ ଶିକ୍ଷକ ଅଭାବ ସମ୍ପର୍କରେ ଶିକ୍ଷା ବିଭାଗ ଅବଗତ ରହିଛି। ଖୁବ୍ଶୀଘ୍ର ସରକାର ନୂତନ ଶିକ୍ଷକ ନିଯୁକ୍ତି ଦେବା ପାଇଁ ଦାବି ହୋଇଛି ।

