କଳା ଓ ସଂସ୍କୃତି ଧର୍ମ

ସଫଳା ଏକାଦଶୀ

ଆମ ପୁରାଣ ଶାସ୍ତ୍ରଗୁଡ଼ିକରେ ମାସର ଶୁକ୍ଳ ଏକାଦଶୀର ମାହାତ୍ମ୍ୟ ସଂପର୍କରେ ବହୁଳ ବର୍ଣ୍ଣନା ରହିଛି। କିନ୍ତୁ ପୌଷ କୃଷ୍ଣ ଏକାଦଶୀ ସର୍ବୋତ୍କୃଷ୍ଟ ଏକାଦଶୀ ଭାବରେ କଥିତ। ଏହାର ନାମ ‘ସଫଳା ଏକାଦଶୀ’। ଏହିଦିନ ଭଗବାନ ବିଷ୍ଣୁଙ୍କୁ ‘ନାରାୟଣ’ ରୂପରେ ପୂଜା କରାଯାଇଥାଏ। ଯେପରି ନାଗମାନଙ୍କ ମଧ୍ୟରେ ଶେଷନାଗ, ପକ୍ଷୀମାନଙ୍କ ମଧ୍ୟରେ ଗରୁଡ଼ ଓ ଦେବତାମାନଙ୍କ ମଧ୍ୟରେ ଶ୍ରୀବିଷ୍ଣୁ, ଠିକ୍ ସେହିପରି ବ୍ରତମାନଙ୍କ ମଧ୍ୟରେ ଏକାଦଶୀ ତିଥି ଶ୍ରେଷ୍ଠ। ସେ ମଧ୍ୟରେ ସଫଳା ଏକାଦଶୀ ସର୍ବଶ୍ରେଷ୍ଠ। କାରଣ ଏହି ଏକାଦଶୀ ବ୍ରତ କଲେ ମନୁଷ୍ୟ ସର୍ବୋତ ଭାବରେ ସଫଳ ହୋଇଥାଏ। ଜୀବଦ୍ଦଶାରେ ଧନଧାନ୍ୟ ଭୋଗ କରି ମୃତ୍ୟୁ ପରେ ବୈକୁଣ୍ଠ ପ୍ରାପ୍ତ ହୁଏ। ଏହି ଦିନ ଉଜାଗର ଓ ଉପବାସ ରହି ନଡ଼ିଆ, କଦଳୀ, ଅଁଳା ଆଦି ଫଳମୂଳ ସହିତ ଧୂପ ଦୀପ ଦେଇ ନାରାୟଣଙ୍କୁ ପୂଜା କରାଯାଏ। ରାତି ସାରା ଉଜାଗର ରହି ଦୀପ ଦାନ କରାଯାଏ। ପରଦିନ ପାରାୟଣ ପରେ କେବଳ ଫଳ ପ୍ରସାଦ ଗ୍ରହଣ କରାଯାଏ। ଏହି ଏକାଦଶୀ ସଂପର୍କରେ ଏକ ସୁନ୍ଦର କଥାର ବର୍ଣ୍ଣନା ରହିଛି।

ଚମ୍ପାବତୀ ନଗରୀର ରାଜା, ରାଜର୍ଷି ମହିଷ୍ମତୀଙ୍କର ପୁତ୍ର ଲୁମ୍ବକ ଦୁରାଚାରୀ ହେବାରୁ, ରାଜା ତାଙ୍କୁ ରାଜ୍ୟରୁ ବାହାର କରି ଦେଇଥିଲେ। ସେ ଜଙ୍ଗଲରେ ରହି, ଫଳ, ମୂଳ ଓ ପଶୁପକ୍ଷୀଙ୍କର ମାଂସ ଖାଇ ଏକ ପୁରୁଣା ଅଶ୍ୱତ୍‌ଥ ବୃକ୍ଷ ତଳେ ବାସ କରୁଥିଲେ। ଥରେ ଶୀତଦିନରେ ପ୍ରବଳ ଶୀତ ଓ ଖାଦ୍ୟଭାବରୁ ସାରା ରାତି କାତର ହୋଇ ସେ ନିଜର ସମସ୍ତ ପାପକର୍ମ ନିମିତ୍ତ ଅନୁତାପ କରୁ କରୁ ଭଗବାନ ବିଷ୍ଣୁଙ୍କ ନାମ ଉଚ୍ଚାରଣ କରି ନିଜର ପାପ ନିମିତ୍ତ ତାଙ୍କୁ କ୍ଷମା କରି ଦେବାକୁ ପ୍ରାର୍ଥନା କଲେ। ରାତି ଶେଷ ହେଲା ବେଳକୁ, ସେହିପରି ଜପ କରୁ କରୁ, ପ୍ରବଳ ଶୀତରେ ତାଙ୍କର ଚେତନା ଲୋପ ପାଇଗଲା। ଚେତନା ଫେରିବା ବେଳକୁ ଦ୍ୱିପ୍ରହର ହୋଇ ଯାଇଥିଲା। ଦୁର୍ବଳ ପାଦରେ ଉଠି, କିଛି ଫଳ ସଂଗ୍ରହ କରି, ସେ ସେହି ଫଳକୁ ଶ୍ରୀନାରାୟଣଙ୍କୁ ସମର୍ପଣ କରି ଭୋଜନ କଲେ। ସେଦିନଟି ଥିଲା ପୌଷ କୃଷ୍ଣ ଏକାଦଶୀ। ତାଙ୍କର ଅଜାଣତରେ ଏହି ଏକାଦଶୀ ବ୍ରତ ପାଳନ କରିଥିବାରୁ ତାଙ୍କର ହୃଦୟ ପରିବର୍ତ୍ତନ ହେଲା ଏବଂ ସେ ପବିତ୍ର ଜୀବନଯାପନ କଲେ। ରାଜା ତାହା ଜାଣି ପୁତ୍ରକୁ ରାଜ୍ୟକୁ ଫେରାଇନେଲେ। ଲୁମ୍ବକ ରାଜା ହୋଇ, ରାଜସୁଖ ଭୋଗକରି, ବୈକୁଣ୍ଠପ୍ରାପ୍ତ ହେଲେ।

କଥିତ ଅଛି ଯେ ଏହି ଏକାଦଶୀ ବ୍ରତ ପାଳନ କଲେ, ସହସ୍ର ବର୍ଷର ତପ ଓ ଅଶ୍ୱମେଧ ଯଜ୍ଞର ଫଳ ମିଳେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ