ରାଉରକେଲା ୧୯।୦୫: ରାଉରକେଲା ଷ୍ଟେସନ ନିକଟରେ ଥିବା କ୍ରସ ରୋଡ୍ ମଲରେ ଦେଖିବାକୁ ମିଳିଛି ଅଜବ ଘଟଣା। ସପିଂ ମଲ୍କୁ ବୁଲିବାକୁ ଆସି ହଟହଟା ହୋଇଛନ୍ତି ଯୁବତୀ । ଏପରିକି କ୍ଷତିପୂରଣ ଆଦାୟ କରିବା ପାଇଁ ମଲ୍ କର୍ତ୍ତୃପକ୍ଷ ତାଙ୍କୁ ୫ ଘଣ୍ଟା ଧରି ଭିତରେ ଅଟକ ରଖିବା ଚର୍ଚ୍ଚାର ବିଷୟ ପାଲଟିଛି । ପରେ ପୋଲିସ ଘଟଣା ବାବଦରେ ପଚାରିବୁଝିବା ସହ ଯୁବତୀଙ୍କୁ ଉଦ୍ଧାର କରିଛି ।
ଖବର ଅନୁଯାୟୀ, କୋରାପୁଟର ଜଣେ ଯୁବତୀ ରାଉରକେଲାରେ ରହି ନର୍ସିଂ ଟ୍ରେନିଂ ନେଉଥିଲେ । ଯୁବତୀ ତାଙ୍କର ଜଣେ ବନ୍ଧୁଙ୍କ ସହ କିଣା କିଣି କରିବା ପାଇଁ ମଲ୍କୁ ଯାଇଥିଲେ । ମହିଳାଜଣକ ଛତା ଖୋଲିବା ସମୟରେ ତାହା ସ୍ଲାଇଡିଂ ଡୋରରେ ବାଜିଯିବାରୁ କାଚ ଡୋରଟି ଭାଙ୍ଗିଯାଇଥିଲା । ପରେ ମଲ୍ କର୍ତ୍ତୃପକ୍ଷ ସଂପୃକ୍ତ ଯୁବତୀଙ୍କୁ କ୍ଷତିପୂରଣ ବାବଦକୁ ଦେଢ ଲକ୍ଷ ଟଙ୍କା ମାଗିଥିଲେ । କ୍ଷତି ପୂରଣ ନଦେଲେ ଛାଡିବୁନି କହି ଧମକ ବି ଦେଇଥିଲେ । କିନ୍ତୁ ସେ ଦେଢ ଲକ୍ଷ ଟଙ୍କା ଅକ୍ଷମତା ପ୍ରକାଶ କରିଥିଲେ । ମଲ୍ ଦାୟିତ୍ବରେ ଥିବା କର୍ତ୍ତୃପକ୍ଷ ଭୁଲିଯାଇଛଥିଲେ ମଣିଷ ପଣିଆ । ସଂପୃକ୍ତ ମହିଳାଙ୍କୁ ୫ ଘଣ୍ଟା କାଳ ଏକ ରୁମ୍ରେ ବନ୍ଦ କରି ରଖିଥିଲେ ।
ସେପଟେ ଯୁବତୀଙ୍କ କହିବାନୁଯାୟୀ, ବାହାରିବା ବେଳକୁ ସ୍ଲାଇଡିଙ୍ଗ ଡୋର୍ ଟି ପରସ୍ପର ମଧ୍ୟରେ ପିଟି ହୋଇ ଭାଙ୍ଗିଯାଇଛି । କିନ୍ତୁ ମଲ୍ କର୍ତ୍ତୃପକ୍ଷ କହିବା କଥା ଯେ, ଯୁବତୀ ଜଣକ ହିଁ କାଚ ଭାଙ୍ଗିଛନ୍ତି । ପରେ ଦେଢ ଲକ୍ଷ ଟଙ୍କା କ୍ଷତିପୂରଣ ବାବଦକୁ ଦେବା ପାଇଁ ଦାବି କରିଥିଲେ । ପରେ ରଫାଦଫା କରି ୫୦ ହଜାର ଏବଂ ପରେ ୨୫ ହଜାର ଦେବାକୁ କହିଥିଲେ । ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରିବା ସହ ଯୁବତୀ ଜଣଙ୍କ ତାଙ୍କ ପିନ୍ଧିଥିବା ସୁନା ଚେନ୍ ଦେଇ ଛାଡି ଦେବାକୁ ନେହୁରା ହୋଇଥିଲେ । କିନ୍ତୁ କେହି ଶୁଣି ନଥିଲେ। ପରେ ଯୁବତୀ ଜଣଙ୍କ ତାଙ୍କ ବନ୍ଧୁଙ୍କୁ ଖବର ଦେଇଥିଲେ । ଖବର ପାଇ ପୋଲିସ ସେଠାରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଥିଲେ ।