ନୂଆଦିଲ୍ଲୀ ୨୦/୦୫: ଚଳିତ ଆଇପିଏଲ୍ର ୬୮ତମ ଲିଗ୍ ମୁକାବିଲାରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ । ରୟାଲ୍ସ ପାଇଁ ବିଜୟ ଜରୁରି । ଆଜି ଜିତିଲେ ରୟାଲ୍ସ ତୃତୀୟ ଦଳ ଭାବେ ପ୍ଲେ-ଅଫରେ ପ୍ରବେଶ କରିବ । ବଡ଼ ବ୍ୟବଧାନରେ ପରାଜିତ ହେଲେ ପ୍ଲେ-ଅଫ୍ରେ ପ୍ରବେଶ କରିବା ପାଇଁ ରନ୍ ରେଟ୍ ଓ ଅନ୍ୟ ଦଳର ପ୍ରଦର୍ଶନକୁ ଦେଖିବାକୁ ପଡ଼ିବ । ସୁପରକିଙ୍ଗ୍ସ ପ୍ଲେ- ଅଫ ଦୌଡରୁ ବାଦ ପଡ଼ି ସାରିଛି । ଆସନ୍ତା କାଲି ରୟାଲ୍ସକୁ ଅଟକାଇବାର ସୁଯୋଗ ସୁପରକିଙ୍ଗ୍ସ ନିକଟରେ ରହିଛି । ଫଳରେ ମ୍ୟାଚ୍ଟି ତୀବ୍ର ସଂଘର୍ଷପୂର୍ଣ୍ଣ ହେବ ।
ରୟାଲ୍ସକୁ ହରାଇବାକୁ ହେଲେ ସୁପରକିଙ୍ଗ୍ସକୁ ପ୍ରଥମେ ଦୁର୍ଦ୍ଦର୍ଷ ବ୍ୟାଟର ଜୋସ ବଟଲରଙ୍କୁ ଅଟକାଇବାକୁ ହେବ । ବଟଲର ଚଳିତ ସିଜନରେ ୩ଟି ଶତକ ଅର୍ଜନ କରିଛନ୍ତି । ଅରେଞ୍ଜ କ୍ୟାପ ମଧ୍ୟ ତାଙ୍କ ନିକଟରେ ରହିଛି । ତାଙ୍କୁ ସହଳ ଆଉଟ୍ କରିପାରିଲେ ରୟାଲ୍ସ ବଡ ସ୍କୋରରୁ ବଞ୍ଚିତ ହେବ । ରୟାଲ୍ସର ବୋଲିଂ ବିଭାଗ ମଧ୍ୟ ସନ୍ତୁଳିତ ।
ପ୍ରସିଦ୍ଧ କ୍ରିଷ୍ଣା, ଟ୍ରେଣ୍ଟ ବୋଲ୍ଟ, ୟୁଝବେନ୍ଦ୍ର ଚହଲ ଓ ରବିଚନ୍ଦ୍ରନ ଅଶ୍ୱିନ ଫର୍ମରେ ରହିଛନ୍ତି । ସୁପରକିଙ୍ଗ୍ସ ଚଳିତ ସିଜନରେ ଉନ୍ନତ ପ୍ରଦର୍ଶନ କରିପାରି ନ ଥିଲେ ହେଁ କିଛି ଯୁବ ପ୍ରତିଭାବାନ ଖେଳାଳିଙ୍କୁ ପାଇଛି । ବିଶେଷ କରି ପେସ୍ ବୋଲର ମୁକେଶ ଚୌଧୁରୀଙ୍କ ପ୍ରଦର୍ଶନ ବେଶ୍ ପ୍ରଭାବଶାଳୀ ରହିଛି । ଆସନ୍ତା କାଲି ଦୁଇ ଓପନର ଋତୁରାଜ ଗାଏକୱାଡ୍ ଓ ଡେଭନ କନୱେଙ୍କ ବ୍ୟାଟ୍ରୁ ବଡ ଇନିଂସ ଆଶା କରାଯାଉଛି ।