ନୂଆଦିଲ୍ଲୀ: ଦିଲ୍ଲୀର ଏକ ହସ୍ପିଟାଲରେ ସଦ୍ଗୁରୁ ଜାଗି ବାସୁଦେବଙ୍କ ମସ୍ତିଷ୍କରେ ଜରୁରୀ ଅସ୍ତ୍ରୋପଚାର କରାଯାଇଛି। ମସ୍ତିସ୍କରେ ରକ୍ତସ୍ରାବ ହେବାରୁ ଅସ୍ତ୍ରୋପଚାର କରାଯାଇଛି ବୋଲି ସଦ୍ଗୁରୁଙ୍କ ‘ଈଶ’ ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି। ‘ସେ ସୁସ୍ଥ ହେଉଛନ୍ତି ଏବଂ ଦ୍ରୁତ ଆରୋଗ୍ୟ ଲାଭ କରୁଛନ୍ତି’ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। । ସଦ୍ଗୁରୁ ଟ୍ବିଟ୍କରି ପରିହାସରେ କହିଛନ୍ତି, ‘ଆପୋଲୋ ହସ୍ପିଟାଲର ନ୍ୟୁରୋ ସର୍ଜନମାନେ ମୋ ମୁଣ୍ଡକୁ କାଟି କିଛି ଖୋଜିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେମାନେ କିଛି ପାଇଲେ ନାହିଁ…ଏହା ପୂରା ଖାଲି। ଅସ୍ତ୍ରୋପଚାର ପରେ ଡାକ୍ତରଖାନା ଶଯ୍ୟାରେ ଅଛି।’ ସୂଚନାଯୋଗ୍ୟ, ଗତ ୪ ସପ୍ତାହ ହେବ ସଦ୍ଗୁରୁ ପ୍ରବଳ ମୁଣ୍ଡବିନ୍ଧାରେ ପୀଡ଼ିତ ଥିଲେ। ଯନ୍ତ୍ରଣାର ଗମ୍ଭୀରତା ସତ୍ତ୍ୱେ ସେ ନିଜର କାର୍ଯ୍ୟସୂଚୀ ଓ କାର୍ଯ୍ୟକଳାପ ଜାରି ରଖିଥିଲେ ଏବଂ ମାର୍ଚ୍ଚ ୮ ତାରିଖରେ ମହାଶିବରାତ୍ରି ଉତ୍ସବ ମଧ୍ୟ ଆୟୋଜନ କରିଥିଲେ। ମାର୍ଚ୍ଚ ୧୪ ତାରିଖ ଅପରାହ୍ନରେ ଦିଲ୍ଲୀରେ ପହଞ୍ଚିବା ବେଳକୁ ମୁଣ୍ଡବିନ୍ଧା ତୀବ୍ର ହୋଇଯାଇଥିଲା। ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲର ଡାକ୍ତର ବିନୀତ ସୁରିଙ୍କ ପରାମର୍ଶକ୍ରମେ ଗତ ୧୭ ତାରିଖରେ ସଦ୍ଗୁରୁଙ୍କ ଅସ୍ତ୍ରୋପଚାର କରାଯାଇଛି।