ଭୁବନେଶ୍ବର : ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବଙ୍କୁ ନେଇ ବିବାଦ ଦେଖାଦେଇଛି। ସଚିବ ବିଭାଗର କର୍ମଚାରୀଙ୍କୁ ଅଶାଳୀନ ମନ୍ତବ୍ୟ ଦେବାସହ ଅାକ୍ରୋଶମୂଳକ ବ୍ୟବହାର କରିଥିବା ନେଇ ଅଭିଯୋଗ ଉଠିଛି। ଯାହାକୁ ନେଇ ଆଜି ଦିନସାରା ଏକାଡେମୀରେ ଅଶାନ୍ତି ଦେଖିବାକୁ ମିଳିଛି। କର୍ମଚାରୀମାନେ ସଚିବଙ୍କୁ ବିରୋଧ କରି କାର୍ଯ୍ୟବନ୍ଦ କରିବା ସହ ବିଭାଗୀୟ ନିର୍ଦ୍ଦେଶକ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଦାବିପତ୍ର ଦେଇଛନ୍ତି।
କର୍ମଚାରୀମାନଙ୍କ ଅଭିଯୋଗ ହେଉଛି ଯେ, ଏକାଡେମୀ ପକ୍ଷରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମକୁ କର୍ମଚାରୀମାନେ ନିଷ୍ଠାର ସହ ତୁଲାଇ ଆସୁଛନ୍ତି। କିନ୍ତୁ, ପ୍ରାୟ ବର୍ଷେ ହେବ ସାହିତ୍ୟ ଏକାଡେମୀ ସଚିବ ପ୍ରବୋଧ ରାଉତ କର୍ମଚାରୀମାନଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେବାସହ ଅାକ୍ରୋଶମୂଳକ ବ୍ୟବହାର କରୁଛନ୍ତି। ହଇରାଣ ହରକତ କରୁଥିବାରୁ କର୍ମଚାରୀମାନେ ମାନସିକ ସ୍ତରରେ ନିର୍ଯାତନାର ଶିକାର ହେଉଛନ୍ତି। ସଚିବଙ୍କ ଯୋଗୁଁ ବହୁ ପୁସ୍ତକ ପ୍ରକାଶନ ଓ ବହୁ କାର୍ଯ୍ୟକ୍ରମ ହୋଇ ପାରୁନାହିଁ। ଏକାଡେମୀ ପକ୍ଷରୁ ଆୟୋଜନ ହେଉଥିବା ସାରସ୍ବତ କାର୍ଯ୍ୟକ୍ରମକୁ ଠିକ୍ ଭାବେ କରାଯାଉନାହିଁ। ସାରସ୍ବତ କାର୍ଯ୍ୟକ୍ରମ କରୁଥିବା ସଂସ୍ଥାମାନଙ୍କୁ ଅର୍ଥ ପ୍ରଦାନ କରାଯାଉନାହିଁ। ଏକାଡେମୀର ପୁରସ୍କାର ବିଚାରାଧୀନ ରହିଛି।
ପ୍ରତ୍ୟେକ ମାସରେ କାର୍ଯ୍ୟକାରୀ ପରିଷଦ ଆହ୍ବାନ ନକରି ମନମୁଖି କାର୍ଯ୍ୟ କରାଯାଉଛି। ସଚିବ ଏକାଡେମୀକୁ ସବୁବେଳେ ଆସୁ ନଥିବାରୁ କାମରେ ବିଳମ୍ବ ହେଉଛି ବୋଲି କର୍ମଚାରୀମାନେ ଅଭିଯୋଗ କରି ଚିଠି ଦେଇଛନ୍ତି।
ଏହାପରେ କର୍ମଚାରୀମାନେ ସଂସ୍କୃତି ଭବନରେ ଥିବା ଗାନ୍ଧୀମୂର୍ତ୍ତି ଆଗରେ ଧାରଣାରେ ବସିଥିଲେ। ବିବାଦ ପରେ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ମଧୁସୂଦନ ଦାଶଙ୍କୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ତାଙ୍କ ନିଜ ଦାୟିତ୍ବ ସହ ଓଡ଼ିଶା ସାହିତ୍ୟ ଏକାଡେମୀର ସମସ୍ତ କାର୍ଯ୍ୟ ଯଥାଶୀଘ୍ର ସୁପରିଚାଳନା ନିମନ୍ତେ ସରକାରଙ୍କ ପକ୍ଷରୁ ଆଦେଶ ଦିଆଯାଇଛି। କିନ୍ତୁ, ଏହି ଚିଠିରେ ସଚିବଙ୍କ ସମ୍ପର୍କରେ କିଛି ଲେଖା ଯାଇନାହିଁ। ତେଣୁ, ଅତିରିକ୍ତ ଶାସନ ସଚିବ ଶ୍ରୀ ଦାଶ ଏକାଡେମୀର କି ଦାୟିତ୍ବ ତୁଲାଇବେ, ତାହା ବୁଝାପଡ଼ୁ ନାହିଁ।
ତେବେ, ଏହି ଅଭିଯୋଗ ସମ୍ପର୍କରେ ସଚିବ ଶ୍ରୀ ରାଉତଙ୍କ ସହ ଯୋଗାଯୋଗ କରାଯାଇଥିଲେ ହେଁ ତାଙ୍କର ଫୋନ୍ ସୁଇଚ୍ ଅଫ୍ ଥିଲା।