ନୂଆଦିଲ୍ଲୀ ୦୪/୦୬: ଆଇପିଏଲ ୨୦୨୨ରେ ଗୋଟିଏ ହେଲେ ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇନଥିଲେ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର । ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୩୦ ଲକ୍ଷ ଟଙ୍କାରେ କ୍ରୟ କରିଥିଲା । କିନ୍ତୁ ପୁରା ସିଜିନରେ ସେ ବସି ବସି ଆସିଥିଲେ । ମୁମ୍ବାଇ ଗତ ସିଜିନରେ ରିକିତ୍ ସୌକିନ୍, କୁମାର କାର୍ତ୍ତିକେୟ ସିଂଙ୍କ ଭଳି ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଖିଲା । କିନ୍ତୁ ଅର୍ଜୁନଙ୍କୁ ଗୋଟିଏ ହେଲେ ମ୍ୟାଚରେ ଚାନ୍ସ ମିଳିନଥିଲା । ଅର୍ଜୁନଙ୍କୁ ବହୁତ କିଛି ଶିଖିବାର ଆବଶ୍ୟକତା ଥିବା ମଧ୍ୟ କହିଥିଲେ ବୋଲିଂ କୋଚ୍ ସେନ ବଣ୍ଡ୍ । ଏବେ ଏହି ମାମଲାରେ ଦଳର ପୂର୍ବତନ ଅଧିନାୟକ କପିଲ ଦେବ ବଡ ପ୍ରତିକ୍ରିୟା ଦେଇଛନ୍ତି ।
କପିଲ ଦେବ କହିଛନ୍ତି ଯେ, ଅର୍ଜୁନଙ୍କ ନାଁ ପଛରେ ତେନ୍ଦୁଲକର ଲାଗିଛି । ତେଣୁ ସେ ସଦାବେଳେ ଅତିରିକ୍ତ ଚାପ ଅନୁଭବ କରିବେ । ସଚିନ ଯେଉଁ କୀର୍ତ୍ତିମାନ ସ୍ଥାପନା କରିଛନ୍ତି ତାହାକୁ ହାସଲ କରିବା ଆଜିକା ଦିନରେ କୌଣସି ଖେଳାଳିଙ୍କ ପାଇଁ ସହଜ ନୁହେଁ । ଅର୍ଜୁନଙ୍କୁ ଏମାମଲାରେ ବିଚାରକୁ ନେବାର ଆବଶ୍ୟକତା ନାହିଁ । ଅର୍ଜୁନଙ୍କୁ ତାଙ୍କ ପିତାଙ୍କ ସହ ତୁଳନା କରିବା ଅନୁଚିତ । ତାଙ୍କ ଉପରେ ଚାପ ବଦଳରେ ଖୋଲାଖୋଲି ଭାବେ ଖେଳିବାକୁ ସୁଯୋଗ ଦିଆଯାଉ ।
କପିଲ ଆହୁରି କହିଛନ୍ତି ଯେ, ଅର୍ଜୁନଙ୍କ ନାଁରେ ତେନ୍ଦୁଲକର ଥିବାରୁ ଅଧିକ ଫାଇଦା ଓ କ୍ଷତି ମଧ୍ୟ ରହିଛି । ଡନ୍ ବ୍ରାଡମ୍ୟାନଙ୍କ ପୁଅ ମଧ୍ୟ ନିଜର ସରନେମ୍ ବଦଳାଇ ଦେଇଥିଲେ । କାରଣ ସେ ଚାପ ସହି ପାରିନଥିଲେ । ସେ ମଧ୍ୟ ନିଜ ପିତାଙ୍କ ଭଳି ମହାନ ଖେଳିଳି ହେବେ ବୋଲି ସମସ୍ତେ ଆଶା କରୁଥିଲେ ।
ଭାରତୀୟ ଦଳର ପୂର୍ବତନ କ୍ୟାପ୍ଟେନ୍ କହିଛନ୍ତି ଯେ, ଅର୍ଜୁନ ଯଦି ପିତାଙ୍କର ୫୦ ପ୍ରତିଶତ ବି ହୋଇଯାଆନ୍ତି ତେବେ ବହୁତ ଭଲ ହେବ । ଏହାଠୁ ବଡ କଥା ଆଉ କିଛି ନୁହେଁ । ଯେତେବେଳେ ତେନ୍ଦୁଲକରଙ୍କ ନାଁ ଆସେ ସମସ୍ତଙ୍କ ଆଶା ବଢିଯାଏ । କାରଣ ସଚିନ ସେତେ ମହାନ ହୋଇପାରିଥିଲେ ବୋଲି କପିଲ କହିଛନ୍ତି ।