ଜୟପୁର : ଦୁଇ ହଜାରରୁ ଊର୍ଦ୍ଧ୍ବ କର୍ମଚାରୀଙ୍କ ଜୀବନ ଜୀବିକାର ମାଧ୍ୟମ ପାଲଟିଥିବା ଜୟପୁର କାଗଜକଳ ଏବେ ସଙ୍କଟରେ। ପରିଚାଳନାଗତ ତ୍ରୁଟି, କଞ୍ଚାମାଲ ଅଭାବ ସମସ୍ୟା ଏକ ଦଶନ୍ଧି ଧରି କାଗଜକଳର ଉତ୍ପାଦନରେ ବାଧକ ସାଜିଛି। ବାରମ୍ବାର ମାଲିକାନାରେ ପରିବର୍ତ୍ତନ, ରାଜ୍ୟ ସରକାରଙ୍କ ଅଣଦେଖା କାଗଜକଳର ସ୍ଥାୟିତ୍ବକୁ ନେଇ ସୃଷ୍ଟି କରିଛି ପ୍ରଶ୍ନବାଚୀ। ଜିଲ୍ଲାର ଏକ ମାତ୍ର ବେସରକାରୀ ଶିଳ୍ପ ପୂର୍ବ ସ୍ଥିତିକୁ ଫେରିବା ପାଇଁ ସଂଘର୍ଷ କରୁଥିବାରୁ ଶିଳ୍ପ ମାନଚିତ୍ରରୁ ଜୟପୁର ହଜିଯିବା ଭଳି ସମ୍ଭାବନା ସୃଷ୍ଟି ହୋଇଛି। ୧୯୮୫ରେ ଉତ୍ପାଦନ ଆରମ୍ଭ କରିଥିଲା ବିଲ୍ଟ ସେବା ପେପର ମିଲ୍। କମ୍ପାନିରେ ୬୦୦ରୁ ଊର୍ଦ୍ଧ୍ବ ସ୍ଥାୟୀ, ୮୦୦ରୁ ଊର୍ଦ୍ଧ୍ବ ଚୁକ୍ତିଭିତ୍ତିକ, ଶହେରୁ ଊର୍ଦ୍ଧ୍ବ ଅଧିକାରୀ କାର୍ଯ୍ୟରତ ଅଛନ୍ତି। କମ୍ପାନି ଦ୍ବାରା ପ୍ରତ୍ୟକ୍ଷ ଓ ପରୋକ୍ଷରେ ୧୦ ହଜାରରୁ ଊର୍ଦ୍ଧ୍ବ ଲୋକେ ଉପକୃତ ହୋଇ ଆସୁଥିଲେ। ୨୦୧୬ ପରଠାରୁ କାଗଜକଳ ପରିଚାଳନାରେ ଅଚଳାବସ୍ଥା ଲାଗି ରହିଥିବାରୁ ଶହ ଶହ କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି।
ଚାକିରି ହରାଇ ଦୁର୍ଦ୍ଦିନରେ ଦିନ କାଟୁଥିବା କିଛି କର୍ମଚାରୀ ଇତି ମଧ୍ୟରେ ନିଜ ବକେୟା ଦରମା, ପେନସନ୍, ପିଏଫ୍ ଟଙ୍କାକୁ ଚାହିଁ ଚାହିଁ ଚାହିଁ ଆରପାରିକୁ ଚାଲିଗଲେଣି। ଆଉ କିଛି କର୍ମଚାରୀ ଏବେ ଦୁଇ ଓଳି ପେଟକୁ ଦାନା ଯୋଗାଡ଼ କରିବାରେ ସକ୍ଷମ ହୋଇପାରୁନାହାନ୍ତି। ଉଦାହରଣ ଭାବେ କାଗଜକଳରେ କାର୍ଯ୍ୟରତ ସ୍ବର୍ଗତ ଘାସିରାମ ମାଣ୍ଡିଙ୍କ ପରିବାରର ବର୍ତ୍ତମାନ ଦୁଃସ୍ଥିତିକୁ ନିଆଯାଇପାରେ। ଘାସିରାମ କାଗଜକଳରେ ମେକାନିକାଲ୍ ଭାବେ କାମ କରୁଥିଲେ। କାଗଜକଳ କ୍ଷତି ସହିବା ପରେ ବିନା ଦରମାରେ କାମ କରି ଚାଲିଥିଲେ ଘାସିରାମ। ହେଲେ ୨୦୧୬ରେ କମ୍ପାନି ବନ୍ଦ ହେବା ପରେ ୫ ବର୍ଷର ବକେୟା ଦରମା ଚିନ୍ତାରେ ରୋଗଶଯ୍ୟାରେ ପଡ଼ି ଆରପାରିକୁ ଚାଲିଗଲେ ଘାସିରାମ। ଏବେ ଦୁଇ ଝିଅଙ୍କ ଭବିଷ୍ୟତ ସହ ପରିବାର ପରିଚାଳନା ନେଇ ଚିନ୍ତାରେ ଦିନ କାଟୁଛନ୍ତି ଘାସିରାମଙ୍କ ପତ୍ନୀ କୁନି ମାଣ୍ଡି।

ସେହିପରି କମ୍ପାନିରେ ସିନିୟର୍ ଅପରେଟର୍ ଭାବେ କାମ କରୁଥିବା ନାରାୟଣ ସ୍ବାଇଁଙ୍କ ପରିବାରର ଅବସ୍ଥା ମଧ୍ୟ ସମାନ। ଦରମା ଓ ଭତ୍ତା ଟଙ୍କାରୁ ବଞ୍ଚିତ ହୋଇ ରୋଗଶଯ୍ୟାରେ ପଡ଼ି ନାରାୟଣ ଆଖି ବୁଜିବା ପରେ ଏବେ ପତ୍ନୀ ସ୍ନେହଲତା ସ୍ବାଇଁ ପରିବାର ଚଳାଇବାକୁ ନେଇ ଚିନ୍ତିତ। ଘାସିରାମ, ନାରାୟଣଙ୍କ ଭଳି ୧୩୦ରୁ ଊର୍ଦ୍ଧ୍ବ ଅବସରପ୍ରାପ୍ତ କର୍ମଚାରୀଙ୍କ ପରିବାର ଏବେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। କିନ୍ତୁ କାଗଜକଳ ପରିଚାଳନା ନେଇ ସ୍ଥାୟୀ ସମାଧାନର ରାସ୍ତା ବାହାରି ପାରୁନଥିବାରୁ ବକେୟା ଦରମା, ପେନସନ୍ ଓ ପିଏଫ୍ ଟଙ୍କା କର୍ମଚାରୀଙ୍କ ପରିବାର ପାଇଁ ଦିବା ସ୍ବପ୍ନ ସଦୃଶ୍ୟ ହୋଇଛି।
କାଗଳକଳ ପ୍ରତିଷ୍ଠା ପରଠାରୁ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି। କାର୍ଯ୍ୟକ୍ଷମର ଦୁଇ ବର୍ଷ ପରେ ୧୯୮୭ରେ ୮୦ ଲକ୍ଷର ବିଦ୍ୟୁତ୍ ବିଲ୍ ବକେୟା ପାଇଁ କମ୍ପାନିରୁ ବିଦ୍ୟୁତ୍ ବିଚ୍ଛିନ୍ନ ହୋଇଥିଲା। ତତ୍କାଳନୀ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ୧୯୯୧ ମସିହାରେ ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇଥିବା କାଗଜକଳର ପୁନରୁଦ୍ଧାର କରିଥିଲେ। ଏହାପରେ ୨୦୧୬ରେ କମ୍ପାନି ପୁଣି ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିଲା। ୨୦୧୭ରେ ଉତ୍ପାଦନ ଆରମ୍ଭ ହୋଇ ପୁଣି ୨୦୧୯ରେ ବନ୍ଦ ହୋଇ ଯାଇଥିଲା। ଅଳ୍ପ ସଂଖ୍ୟକ କର୍ମଚାରୀକୁ ନେଇ କମ୍ପାନି ଚାଲିଥିବା ବେଳେ ୨୦୨୦ ମାର୍ଚ୍ଚରେ କରୋନା ଯୋଗୁ କମ୍ପାନି ବହୁ କର୍ମଚାରୀଙ୍କୁ ଛଟେଇ କରିଥିଲା। ୨୦୨୨ ନଭେମ୍ବରରେ କମ୍ପାନିର ମାଲିକାନା ଏମ୍ଇଆରପିଏଲ୍ ହାତକୁ ଯିବା ପରେ ବକେୟା ପ୍ରାପ୍ୟ ପାଇଁ ଅବସରପ୍ରାପ୍ତ କର୍ମଚାରୀ ଦାବି କରି ଆସୁଛନ୍ତି। ମାସିକ ଉତ୍ପାଦନ ୫୫୦୦ ଟନକୁ ବୃଦ୍ଧି ପାଇଲେ ବକେୟା ପ୍ରାପ୍ୟକୁ ପର୍ଯ୍ୟାୟକ୍ରମେ ଦେବା ପାଇଁ କମ୍ପାନି ରାଜି ହୋଇଛି। କମ୍ପାନି ପରିଚାଳନାରେ ସୃଷ୍ଟି ହୋଇଥିବା ସମସ୍ୟା କେବେ ଦୂର ହେବ ଏବଂ କମ୍ପାନି କେବେ ବକେୟା ପ୍ରଦାନ କରିବ ସେ ଦିଗରେ ରାଜ୍ୟ ସରକାର ଦୃଷ୍ଟି ଦେବା ପାଇଁ କାଗଜକଳ ଶ୍ରମିକ ସଂଘ ସଭାପତି ପ୍ରମୋଦ ମହାନ୍ତି ଦାବି କରିଛନ୍ତି।