ଅପରାଧ ରାଜ୍ୟ

ସକାଳେ ଫୁଲତୋଡ଼ା, ମଧ୍ୟାହ୍ନରେ ଗୁଳି

ଜଗତସିଂହପୁର : ନୂଆବର୍ଷରେ ବନ୍ଦର ନଗରୀ ପାରାଦୀପ ଅଶାନ୍ତ ହୋଇଛି। ତାରିଣୀଗଡ଼ାର ପ୍ଲଟ୍-୪୭୯ରେ ଥିବା ‘ବ୍ରିଜ୍ ଆଣ୍ତ୍ ରୁଫ୍’ କମ୍ପାନିର ଗେଷ୍ଟ୍‌ ହାଉସ୍‌ରେ ଗୁଳିକାଣ୍ଡ ହୋଇଛି। ଜଣେ ଦୁର୍ବୃତ୍ତ ସକାଳେ ଆସି ମ୍ୟ‌ାନେଜର୍‌ଙ୍କୁ ଫୁଲତୋଡ଼ା ଦେଇ ଯିବାପରେ ଅପରାହ୍ନରେ ଗୁଳିମାଡ଼ କରିଛି। ‌ସୌଭାଗ୍ୟକ୍ରମେ କାହାର କିଛି କ୍ଷତି ଘଟିନାହିଁ। ଏହି ଖବର ପ୍ରଚାରିତ ହେବାପରେ ସେହି କମ୍ପାନି ମ୍ୟାନେଜର୍‌ ଓ ଅନ୍ୟ କର୍ମଚାରୀମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି।

ସୂଚନା ଅନୁସା‌ରେ, ଏହି ଗେଷ୍ଟ୍‌ ହାଉସ୍‌ରେ କମ୍ପାନିର ମ୍ୟାନେଜର ଏକେ ଗୋସ୍ବାମୀଙ୍କ ସମେତ ଅନ୍ୟ ଯନ୍ତ୍ରୀମାନେ ରୁହନ୍ତି। ଗୁରୁବାର ଦିନ ନୂଆବର୍ଷ ଥିବାରୁ ସକାଳେ ଜଣେ ଯୁବକ ହାତରେ ଫୁଲତୋଡ଼ା ଧରି ଗେଷ୍ଟ ହାଉସ୍‌ରେ ପହଁଚିଥିଲା। ସେଠାରେ ଉପସ୍ଥିତ ପିଅନକୁ ସେ ଫୁଲତୋଡ଼ା ଦେବାସହ ଏହାକୁ ମ୍ୟାନେଜର୍‌ ଗୋସ୍ବାମୀଙ୍କ ନିକଟକୁ ପହଁଚାଇଦେବା ପାଇଁ କହିଥିଲା। ହେଲେ, ନିଜେ ଗୋସ୍ବାମୀଙ୍କୁ ନଭେଟି ଚାଲିଯାଇଥିଲା। ମଧ୍ୟାହ୍ନ ପ୍ରାୟ ଗୋଟାଏ ସମୟରେ ପୁଣିଥରେ ସେଠାକୁ ଆସି ପିଅନଙ୍କ ସହ ପାଟିତୁଣ୍ତ କରିଥିଲା। ଗୋସ୍ବାମୀଙ୍କ ନିକଟକୁ କାହିଁକି ଏହି ଫୁଲତୋଡ଼ା ପଠାଇ ନାହଁ ବୋଲି ପଚାରିବା ସହ ତାଙ୍କୁ ମାଡ଼ ବି ମାରିଥିଲା। ଏହାପରେ, ଦୁର୍ବୃତ୍ତଜଣକ ହଠାତ୍ ଅଣ୍ଟାରୁ ଏକ ବନ୍ଧୁକ ବାହାର କରି ଦୁଇରାଉଣ୍ତ ଗୁଳି ଚଳାଇଥିଲା। ଏଥିରେ ପିଅନ ଜଣକ ଭୟଭୀତ ହୋଇ ସେଠାରୁ ଦୌଡ଼ି ପଳାଇଥିଲେ। ପରେ, ଉକ୍ତ ଯୁବକ ଜଣକ ସେଠାରୁ ଅନ୍ତର୍ଦ୍ଧାନ ହୋଇଯାଇଥିଲା।

ଘଟଣା ସମୟରେ ଉପର ମହଲାରେ ମ୍ୟାନେଜର ଗୋସ୍ବାମୀ ଶୋଇଥିଲେ। ପିଅନ ଜଣକ ଭୟଭୀତ ଅବସ୍ଥାରେ ତାଙ୍କ ପାଖରେ ପହଁଚି ସବୁ କଥା କହିଥିଲେ। ଏହାପରେ ସେ ଥାନାକୁ ଖବର ଦେବାସହ ତୁରନ୍ତ ପଦକ୍ଷେପ ନେବାପାଇଁ ନିବେଦନ କରିଥିଲେ। ଗୋସ୍ବାମୀଙ୍କ ସୂଚନା ମୁତାବକ, ସେହି ଯୁବକଙ୍କୁ ଅଫିସ୍‌ ପିଅନ ପୂର୍ବରୁ କେବେ ଦେଖିନଥିଲେ। ଦାଦାବଟି ସଂକ୍ରାନ୍ତରେ ମତ ଦେଇ ସେ କହିଛନ୍ତି, ଏଠାକୁ ନୂଆ କମ୍ପାନି ଆସିଲେ ସବୁଆଡ଼ୁ ଦାଦାବଟି ମଗାଯାଉଛି। ତାଙ୍କୁ ବି ଏକାଧିକ ଲୋକ ବଟି ମାଗୁଛନ୍ତି। ବୋଧହୁଏ ସେମାନଙ୍କ ମଧ୍ୟରୁ କେହି ଜଣେ ଏମିତି କାଣ୍ତ ଘଟାଇଥାଇପାରନ୍ତି। ତଥାପି ପୁଲିସ ଉପରେ ତାଙ୍କର ଭରସା ଅଛି, ନିଶ୍ଚିତ ଉକ୍ତ ଯୁବକକୁ ଗିରଫ କରାଯିବ ବୋଲି ସେ କହିଛନ୍ତି।

ଏହି ଖବର ପ୍ରଚାର ହେବା ପରେ ସେହି କମ୍ପାନି ମ୍ୟାନେଜର ଓ ଅନ୍ୟ କର୍ମଚାରୀମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ଖବର ପାଇ ଘଟଣାସ୍ଥଳରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ନିମାଇଁ ଚରଣ ସେଠୀ ଓ ଥାନା ଇନ୍ସପେକ୍ଟର ସବ୍ୟସାଚୀ ରାଉତ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ସେଠାରେ ପହଞ୍ଚି ପ୍ରମାଣ ସଂଗ୍ରହ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।