ଖେଳ ଦେଶ ବିଦେଶ

ଷ୍ଟାର୍କଙ୍କ ୨୫୦ତମ ଶିକାର ହେଲେ ପନ୍ତ ୧୫୦ ଟେଷ୍ଟ୍‌ ଡିସ୍‌ମିସାଲରେ ପେନ୍‌ ଦ୍ରୁତତମ

ମେଲ୍‌ବର୍ନ: ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଭାରତ ବିପକ୍ଷ ବକ୍ସିଂ ଡେ’ ଟେଷ୍ଟ୍‌ରେ ଶନିବାର ୨୫୦ ୱିକେଟ୍‌ କ୍ଲବ୍‌ରେ ସାମିଲ ହୋଇଛନ୍ତି। ଭାରତର ପ୍ରଥମ ପାଳିରେ ୱିକେଟ୍‌ରକ୍ଷକ ଋଷଭ ପନ୍ତ୍‌ଙ୍କୁ ଆଉଟ୍‌ କରି ଷ୍ଟାର୍କ ନିଜର ୫୯ତମ ମ୍ୟାଚ୍‌ରେ ୨୫୦ତମ ୱିକେଟ୍‌ ଦଖଲ କରିଥିଲେ। ଏହିକ୍ରମରେ ସେ ମଧ୍ୟ ଅଷ୍ଟ୍ରେଲିଆର ପଞ୍ଚମ ଦ୍ରୁତତମ ବୋଲର ରହିଛନ୍ତି। ସଂଯୋଗବଶତଃ ପନ୍ତ୍‌ଙ୍କ କ୍ୟାଚ୍‌ ଅଷ୍ଟ୍ରେଲୀୟ ଅଧିନାୟକ ଟିମ୍‌ ପେନ୍‌ ଧରିଥିଲେ। ଆଉ ସେହି କ୍ୟାଚ୍‌ ନେଇ ପେନ୍‌ ମଧ୍ୟ ଟେ‌ଷ୍ଟ୍‌ କ୍ରିକେଟ୍‌ରେ ୧୫୦ ଡିସ୍‌ମିସାଲରେ ଦ୍ରୁତତମ କୀର୍ତ୍ତିମାନ ରଚିଥିଲେ। ଷ୍ଟାର୍କଙ୍କ ପୂର୍ବରୁ ପୂର୍ବତନ ଦ୍ରୁତ ବୋଲର ଡେନିସ୍‌ ଲିଲି ୪୮ ମ୍ୟାଚ୍‌ରେ ୨୫୦ ୱିକେଟ୍‌ ନେଇ ଅଷ୍ଟ୍ରେଲିଆର ଦ୍ରୁତତମ ବୋଲର ରହିଛନ୍ତି। କିଂବଦନ୍ତି ସ୍ପିନର ସେନ୍‌ ୱର୍ନ ଏବଂ ଦ୍ରୁତ ବୋଲର ଗ୍ଲେନ୍‌ ମ୍ୟାକ୍‌ଗ୍ରା ସମାନ ୫୫ ଲେଖାଏଁ ମ୍ୟାଚ୍‌ରେ ୨୫୦ ୱିକେଟ୍‌ ନେଇ ଦ୍ରୁତତମ ଅଷ୍ଟ୍ରେଲୀୟ ଭାବେ ଏହି ମାଇଲଖୁଣ୍ଟରେ ପହଞ୍ଚିଥିଲା ବେଳେ ପୂର୍ବତନ ଦ୍ରୁତ ବୋଲର ମିଚେଲ ଜନ୍‌ସନ୍‌ଙ୍କୁ ଏହି ମାଇଲଖୁଣ୍ଟରେ ପହଞ୍ଚିବା ପାଇଁ ୫୭ ମ୍ୟାଚ୍‌ ଖେଳିବାକୁ ପଡ଼ିଥିଲା। ତେବେ ଭାରତୀୟ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ୪୫ ମ୍ୟାଚ୍‌ରେ ୨୫୦ ୱିକେଟ୍‌ ନେଇ ଦ୍ରୁତତମ ବିଶ୍ବ କୀର୍ତ୍ତିମାନ ନିଜ ନାମରେ ରଖିଛନ୍ତି। ଅଶ୍ବିନ୍‌ ୨୦୧୭ରେ ଲିଲିଙ୍କ କୀର୍ତ୍ତିମାନକୁ ଟପି ଯାଇଥିଲେ।

୧୫୦ ଟେଷ୍ଟ୍‌ ଡିସ୍‌ମିସାଲରେ ପେନ୍‌ ଦ୍ରୁତତମ
ଅଷ୍ଟ୍ରେଲୀୟ ଅଧିନାୟକ ଟିମ୍‌ ପେନ୍‌ ୱିକେଟ୍‌ରକ୍ଷକ ଭାବେ ଟେଷ୍ଟ୍‌ରେ ୧୫୦ ଡିସ୍‌ମିସାଲ କରିବାରେ ଦ୍ରୁତତମ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ମିଚେଲ ଷ୍ଟାର୍କଙ୍କ ବଲ୍‌ରେ ଋଷଭ ପନ୍ତ୍‌ଙ୍କ କ୍ୟାଚ୍‌ ଧରି ପେନ୍‌ ଏହି ମାଇଲଖୁଣ୍ଟରେ ପହଞ୍ଚିଛନ୍ତି। ଆଉ ଏହି ବିଶ୍ବ କୀର୍ତ୍ତିମାନରେ ପହଞ୍ଚିବା ପାଇଁ ପେନ୍‌ଙ୍କୁ ମାତ୍ର ୩୩ ପାଳି ଖେଳିବାକୁ ପଡ଼ିଛି। ଏକ୍ଷେତ୍ରରେ ପେନ୍‌ ମଧ୍ୟ ଦକ୍ଷିଣ ଆଫ୍ରିକୀୟ ୱିକେଟ୍‌ରକ୍ଷକ କ୍ବିଣ୍ଟନ ଡି’କକ୍‌ଙ୍କୁ ଅତିକ୍ରମ କରିଯାଇଛନ୍ତି। ଡି’କକ୍‌ ୧୫୦ ଡିସ୍‌ମିସାଲ ପାଇବା ପାଇଁ ୩୪ ପାଳି ଖେଳିଥିଲେ। ତାଙ୍କ ବ୍ୟତୀତ ପୂର୍ବତନ ଅଷ୍ଟ୍ରେଲୀୟ ୱିକେଟ୍‌ରକ୍ଷକ ଆଦାମ୍‌ ଗିଲ୍‌ଖ୍ରୀଷ୍ଟ ୩୬ ଏବଂ ଦକ୍ଷିଣ ଆଫ୍ରିକାର ମାର୍କ ବୌଚର ୩୮ ପାଳିରେ ୧୫୦ ଡିସ୍‌ମିସାଲ ପାଇଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ