ରାଜ୍ୟ

ଶ୍ରୀଲିଙ୍ଗରାଜ ମନ୍ଦିରରେ କାଉଡ଼ିଆଙ୍କ ଶ୍ରାବଣୀ ପୂଜା : ୮ ନୁହେଁ, ୪ ସୋମବାରରେ ହିଁ ଜଳଲାଗି ହେବ

ପୁରୁଣା ଭୁବନେଶ୍ବର: ଚଳିତ ବର୍ଷ ଦୁଇଟି ଶ୍ରାବଣ ଅର୍ଥାତ୍ ଯୋଡ଼ା ଶ୍ରାବଣ ରହିଛି। କିନ୍ତୁ ମହାଦେବଙ୍କଠାରେ ବୋଲବମ୍‌ ଭକ୍ତମାନେ ୮ ନୁହେଁ ୪ ସୋମବାରରେ ହିଁ ଜଳଲାଗି କରିବେ। ପ୍ରଥମ ଶ୍ରାବଣର ପ୍ରଥମ ସୋମବାର ଜୁଲାଇ ୧୦ ଓ ଦ୍ବିତୀୟ ସୋମବାର ଜୁଲାଇ ୧୭ରେ କାଉଡ଼ିଆମାନେ ଜଳ ଲାଗି କରିବେ। ଏହାପରଠୁ ମଳ ମାସ ଆରମ୍ଭ ‌ହେଉଥିବାରୁ ଆଉ ଜଳାଭିଷେକ ବିଧି ନାହିଁ। ତେଣୁ ଦ୍ବିତୀୟ ଶ୍ରାବଣର ଶେଷ ଦୁଇ ସୋମବାର ଅଗଷ୍ଟ ୨୧ ଓ ୨୮ତାରିଖରେ ପୁଣି ଜଳାଭିଷେକ ହେବ। ପୂର୍ବ ବର୍ଷଗୁଡ଼ିକରେ କରୋନା କଟକଣା ପାଇଁ କାଉଡ଼ିଆ ସଂଖ୍ୟା କମ ଥିଲା। ମାତ୍ର ଚଳିତ ବର୍ଷ ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ପାଣି ଲାଗି କରିବେ। ପୂର୍ବ ରେକର୍ଡ ଅନୁସାରେ ଶ୍ରାବଣ ସୋମବାର ପାଳିରେ ୨୦ ହଜାରରୁ ୫୦ ହଜାର ମଧ୍ୟ‌ରେ ବୋଲବମ୍ ଭକ୍ତ ଆସିଥାନ୍ତି। ଏଥିପାଇଁ ଶ୍ରୀଲିଙ୍ଗରାଜ ମନ୍ଦିରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଏସ୍‍ଆଇ ପକ୍ଷରୁ ମନ୍ଦିର ସିଂହଦ୍ବାରରୁ ଦୁଇ ପାର୍ଶ୍ବ ରାସ୍ତା କଡ଼ରେ ବ୍ୟାରିକେଡ୍‌ ବନ୍ଧା ଯିବାକୁ ଲୁହା ରଡ଼ ଆଣି ରଖାଯାଇଛି। ମନ୍ଦିରର ବାଇଶି ପାହାଚଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ବ୍ୟାରିକେଡ୍‌ କାମ କରାଯିବ। ଶ୍ରାବଣୀ ନୀତି ନିର୍ଘଣ୍ଟ ଅନୁଯାୟୀ ମନ୍ଦିର ଭୋର୍‌ ୩ଟାରୁ ଖୋଲାଯିବ। ଭୋର୍‌ ସାଢ଼େ ୩ଟାରେ ମଙ୍ଗଳ ଆଳତି ଓ ଅବକାଶ କରାଯିବା ପରେ ୪ଟାରେ ସାହାଣମେଲା ଦର୍ଶନ ଆରମ୍ଭ ହେବ। ଆଡ଼ କାଠ ନିକଟରୁ ଗର୍ଭଗୃହ ପର୍ଯ୍ୟନ୍ତ ଏକ ତମ୍ୱା ପାତ୍ରର ନଳ ରହିବ। କାଉଡ଼ିଆମାନେ ଧାଡ଼ି ବାନ୍ଧି ଆଡ଼କାଠ ନିକଟରେ ଠିଆ ହୋଇ ସେହି ତମ୍ୱା ପାତ୍ରରେ ଜଳ ଢାଳିବେ। ଏହି ପାତ୍ରରୁ ତୀର୍ଥ ଜଳ ଯାଇ ସିଧା ଠାକୁରଙ୍କ ଶକ୍ତି ଉପରେ ପଡ଼ିବ।

recommended by

LIMELIGHT MEDIA

जानिए नागराज मंजुले को लेकर रिंकू राजगुरु का क्या कहना है

और जानें

ପ୍ରତିବର୍ଷ ଏକାମ୍ର କ୍ଷେତ୍ରରେ ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ମେଘେଶ୍ବର, ବ୍ରହ୍ମେଶ୍ବର, ଭାସ୍କରେଶ୍ବର, ନାଗେଶ୍ବର, ରାମେଶ୍ବର, ଗୋସାଗରେଶ୍ବର, କୁକ୍କୁଟେଶ୍ବର, କପିଳେଶ୍ବର, ସୂକ୍ଷ୍ମେଶ୍ବର, ମୁକ୍ତେଶ୍ବର, ପର୍ଶୁରାମେଶ୍ବର, ଡାକରା ବିଭୀଷଣେଶ୍ବର, ଖରାଖିଆ ବୈଦ୍ୟନାଥ, ତୀର୍ଥେଶ୍ବର, ଭବାନୀଶଙ୍କର, ଚିନ୍ତାମଣିଶ୍ବର ଓ ଜମେଶ୍ବର ମନ୍ଦିରରେ ବୋଲବମ୍‌ ଶ୍ରଦ୍ଧାଳୁମାନେ ହଜାର ହଜାର ସଂଖ୍ୟାରେ ଆସି ଜଳ ଢାଳନ୍ତି। ପୂର୍ବରୁ ବର୍ଷା ହେଲେ ମନ୍ଦିର ନିକଟସ୍ଥ ଦୋକାନ ବଜାର, ଭଜନ ମଣ୍ଡପ, ମାର୍କେଟ୍‌ କୋଠା ତଳେ କାଉଡ଼ିଆମାନେ ଆଶ୍ରୟ ନେଉଥିଲେ। କିନ୍ତୁ ଏବେ ସେପରି ସୁବିଧା ନାହିଁ। ତେଣୁ ସେମାନଙ୍କ ପାଇଁ ଛାମୁଣ୍ଡିଆ ବ୍ୟବସ୍ଥା ହେବା ଉଚିତ ବୋଲି କଂଗ୍ରେସ ନେତ୍ରୀ ରଶ୍ମୀ ମହାପାତ୍ର କହିଛନ୍ତି। ଚଳିତ ବର୍ଷ ଭଲ ବେପାର ହେବା ଆଶାରେ ପୂଜା ସାମଗ୍ରୀ ବେପାରୀମାନେ ଦୋକାନ ଭର୍ତ୍ତି କରିସାରିଲେଣି। ସେମାନେ ବିନା ପଲିଥିନ୍‌ ମୁଣାରେ ବିକ୍ରିବଟା କରିବେ ବୋଲି କହିଛନ୍ତି। ଟ୍ରାଫିକ୍‍ ନିୟନ୍ତ୍ରଣ ଓ କାଉଡ଼ିଆମାନଙ୍କ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯିବ ଏବଂ ରବିବାର ରାତିରୁ ପୁଲିସ ମନ୍ଦିର ସିଂହଦ୍ବାର ଓ ଆଖପାଖ ଅଞ୍ଚଳରେ ପଇଁତରା ମାରିବେ ବୋଲି ଲିଙ୍ଗରାଜ ଥାନା ଆଇଆଇସି ଶରତ ଚନ୍ଦ୍ର ପାତ୍ର କହିଛନ୍ତି।

ଚଳିତ ବର୍ଷ ମନ୍ଦିର ଭିତରକୁ ପ୍ଲାଷ୍ଟିକ୍‌ ଡବା ଓ ଜରି ଛଡ଼ାଯିବ ନାହିଁ। ସେହିପରି କାଉଡ଼ିଆମାନେ ରଶି, ବାହୁଙ୍ଗି ଆଦିକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପକାଇବେ ବୋଲି ବ୍ୟବସ୍ଥା କରାଯାଇଛି। ଏଥିପାଇଁ ମନ୍ଦିର ପରିସରରେ ସ୍ବତନ୍ତ୍ର ପାତ୍ର ରଖାଯିବ। ପାଣି ଲାଗି ପରେ ମାଟି ପାତ୍ରଗୁଡ଼ିକ ପାଇଁ ମଧ୍ୟ ମନ୍ଦିର ପରିସରରେ ବିଭିନ୍ନ ପାତ୍ର ରଖାଯିବ। ଏହାକୁ ସେଚ୍ଛାସେବୀମାନଙ୍କ ସହଯୋଗରେ ବାହାରେ ଫିଙ୍ଗାଯିବ। କାଉଡ଼ିଆଙ୍କଠାରୁ ମୁଣ୍ଡ ପିଛା ୧୦ଟଙ୍କା ଶ୍ରାବଣୀ ପାଉଣା ଆଦାୟ କରାଯିବ ବୋଲି ଟ୍ରଷ୍ଟ ବୋର୍ଡ ସଭ୍ୟ ଅବନୀକାନ୍ତ ପଟ୍ଟନାୟକ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।