ରାଜ୍ୟ

ଶ୍ରୀଲିଙ୍ଗରାଜ ମନ୍ଦିରରେ ‘ଅବଢ଼ା ଶୋଷଣ’, ଅନନ୍ତ ବାସୁଦେବଙ୍କ ଦରର ୩ଗୁଣା ଅଧିକ

ଭୁବନେଶ୍ବର: ସମ୍ପ୍ରତି ଶ୍ରୀଲିଙ୍ଗରାଜ ମନ୍ଦିରରେ ଅବଢ଼ା ଦର ବେଲଗାମ୍‌ ହୋଇପଡ଼ିଛି। ଅବଢ଼ାର ଆକାଶଛୁଆଁ ଦରକୁ ନେଇ ଭକ୍ତ ଓ ଶ୍ରଦ୍ଧାଳୁ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ୩ ଶହ ଟଙ୍କାର ଅବଢ଼ାରେ ଜଣଙ୍କ ପେଟ ପୂରୁନାହିଁ। ପ୍ରସାଦ ବିକ୍ରି ନାଁରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଶୋଷଣ କରାଯାଉଛି ବୋଲି ଅଭିଯୋଗ ହେଉଛି। ମାତ୍ର ୨ ଶହ ମିଟର ଦୂରରେ ପ୍ରଭୁ ଅନନ୍ତ ବାସୁଦେବଙ୍କ ଅବଢ଼ା ଦରର ୩ଗୁଣା ଅଧିକରେ ଶ୍ରୀଲିଙ୍ଗରାଜଙ୍କ ଅବଢ଼ା ବିକ୍ରି ହେଉଛି। ଅବଢ଼ା ବିକ୍ରେତାଙ୍କ ଉପରେ ମନ୍ଦିର ପ୍ରଶାସନର ନିୟନ୍ତ୍ରଣ ନଥିବାରୁ ସେମାନେ ଏଭଳି ମନମାନି କରୁଥିବା ଅଭିଯୋଗ ହୋଇଛି।

ଶ୍ରଦ୍ଧାଳୁମାନଙ୍କ ଅଭିଯୋଗ ଅନୁସାରେ ଏବେ ଆନନ୍ଦ ବଜାରରେ ଶୃଙ୍ଖଳା ମୋଟେ ନାହିଁ। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ସାରି ଭକ୍ତ ତଥା ଶ୍ରଦ୍ଧାଳୁ ବଡ଼ ଆଗ୍ରହରେ ଅବଢ଼ା କିଣିବାକୁ ମନ ବଳାଉଛି। କିନ୍ତୁ ଦର ଶୁଣିବା ପରେ ଆପେଆପେ ତଣ୍ଟି ଶୁଖିଯାଉଛି। ଜଣଙ୍କ ପାଇଁ କିଣିଲେ, ୩ ଶହ ଟଙ୍କାରୁ କମ ହେଉନାହିଁ। ପୁଣି ଯେତିକି ପରିମାଣର ପ୍ରସାଦ ମିଳୁଛି, ସେଥିରେ ପେଟ ପୂରିବା ନାଁ ଧରୁନାହିଁ। ଗୋଟିଏ ଯୋଡ଼ିଏ ମୁଠା ଅନ୍ନ ପ୍ରସାଦରେ ତରକାରୀ ଶେଷ। ବରଂ ଶ୍ରୀଅନନ୍ତ ବାସୁଦେବ ମନ୍ଦିରରେ ଜଣେ ଅଧିକ ଖାଇବା ଲୋକ ଶହେ ଟଙ୍କାର ପ୍ରସାଦ କିଣିଲେ, ସବୁତକ ଖାଇବା ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ। ଗତକାଲି ଥିଲା ସୋମବାର। ତେଣୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ପ୍ରବଳ ଭିଡ଼ ହୋଇଥିଲା। ଏହି ମଉକାରେ ଅବଢ଼ା ବିକ୍ରେତାଙ୍କ ମନମାନି ସବୁ ସୀମା ଟପିଯାଇଥିଲା।

ପାଟିକୁ ଯାହା ଆସିଲା, ସେହି ଦର କଷିଲେ। ସେପଟେ ଅପରାହ୍ଣ ୨ଟା ସୁଦ୍ଧା ଅନନ୍ତ ବାସୁଦେବଙ୍କ ମନ୍ଦିରରେ ହଠାତ୍ ପ୍ରସାଦ ସରିଗଲା। ତେଣୁ ସବୁ ଲୋକଙ୍କ ଭିଡ଼ ଲିଙ୍ଗରାଜ ମନ୍ଦିରରେ ହେଲା। ଏଠାରେ ଅବଢ଼ା ବିକ୍ରେତାଙ୍କ ସଂଖ୍ୟା କମ ହେତୁ ଗ୍ରାହକଙ୍କ ସଂଖ୍ୟା ଯଥେଷ୍ଟ ପରିମାଣରେ ବଢ଼ିଗଲା। ଜଣେ ଜଣେ ବିକ୍ରେତାଙ୍କ ନିକଟରେ ୨୫ରୁ ୩୦ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଲା। ହଠାତ୍ ଗ୍ରାହକଙ୍କ ଭିଡ଼ ଦେଖି ବିକ୍ରେତାମାନେ ମନଇଛା ଦର ବଢ଼ାଇଦେଲେ। ବେସର, ମହୁର, ଶାଗର ଛୋଟ କୁଡ଼ୁଆ ଦାମ୍‌ ୨ ଶହରୁ ୩ ଶହ ଟଙ୍କା ହୋଇଗଲା।

ଏକ ତିନି ଜଣିଆ ପରିବାର ହଜାରେ ଟଙ୍କା ଗଣିବାକୁ ବାଧ୍ୟ ହେଲେ। ବଡ଼ କଥା ହେଉଛି, ଏଠାରେ ପ୍ରସାଦ ବାହାରି ବିକ୍ରି ହେବା ପାଇଁ ଆସିବା ବେଳକୁ ୩ଟା ବାଜି ସାରିଥିଲା। ତେଣୁ ପିଲାଛୁଆ ଓ ବୟସ୍କମାନେ ଭୋକରେ ଆଉଟୁପାଉଟୁ ହୋଇପଡ଼ିଥିଲେ। ଏଭଳି ସ୍ଥିତିରେ ମନ୍ଦିର ବାହାରକୁ ଆସି ଅନ୍ୟ କେଉଁଠି ଖାଇବା ପାଇଁ ପ୍ରାୟ ସମସ୍ତେ ଧୈର୍ଯ୍ୟ ହରାଇ ସାରିଥିଲେ। ତେଣୁ ମନ ନଥିଲେ ବି ଦର ଯାହା ହେଉ ପଛେ, ମନ୍ଦିରରୁ ପ୍ରସାଦ କିଣିବାକୁ ବହୁ ଲୋକ ବାଧ୍ୟ ହେଲେ। ତେବେ ପଇସାବାଲା ସିନା ବର୍ଦ୍ଧିତ ଦରରେ କିଣି ଖାଇଲେ, ବହୁ ଶ୍ରଦ୍ଧାଳୁ ମନ ମାରି ଫେରିବାକୁ ବାଧ୍ୟ ହେଲେ। ଅବଢ଼ା କିଣିନପାରି ସେମାନେ ଭୋକ ଉପାସରେ ମନ୍ଦିରରୁ ହତାଶ ହୋଇ ଫେରିଥିଲେ। ମନ୍ଦିର ଭିତରେ ଅବଢ଼ା ବିକ୍ରେତାମାନେ ବଡ଼ ନିର୍ଦ୍ଦୟ ଭାବେ ଏଭଳି ଶୋଷଣ କରୁଥିବା ବେଳେ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିଲା।

ଏନେଇ ଜଣେ ସେବାୟତଙ୍କ କହିବା କଥା ଯେ ଏହା ବଡ଼ ଖରାପ କଥା। ମନ୍ଦିରକୁ ନେଇ ବାହାରେ ଖରାପ ଚିତ୍ର ଆଙ୍କିହୋଇଯିବ। ତେବେ ସବୁଦିନ ଏମିତି ହୁଏ ନାହିଁ ବୋଲି ସେ କହିଥିଲେ। ପ୍ରବଳ ଭିଡ଼ର ଫାଇଦା ନେଇ ବିକ୍ରେତାମାନେ ଏଭଳି କରିଥିବେ। ରେଟ୍‌ ଚାର୍ଟ ଥିଲେ, ଏମିତି ପରିସ୍ଥିତି ହୋଇନଥାଆନ୍ତା। ତେଣୁ ତଦନ୍ତ କଲେ, ଜଣାପଡ଼ିବ ବୋଲି ସେ କହିଥିଲେ। ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି କହିଛନ୍ତି ଯେ ଚଢ଼ା ଦର ନେଇ ଶୋଷଣ କରୁଥିବା ବିକ୍ରେତାଙ୍କୁ ନୋଟିସ୍‌ କରାଯିବ। ସେହିଭଳି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଭବାନୀ ପ୍ରସାଦ ମିଶ୍ର କହିଛନ୍ତି ଯେ ଏନେଇ ପଦକ୍ଷେପ ନେବାକୁ ଟ୍ରଷ୍ଟ ବୋର୍ଡରେ ପ୍ରସ୍ତାବ ରଖିବୁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।