ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରର ଅଷ୍ଟଧାତୁ କଳସରେ ଫାଟ ଓ ରାହାପାଗରେ ଫାଟ ସମସ୍ୟା ସୁଧୁରିଥିଲେ ହେଁ ଏବେ ଆଉ ଗୋଟିଏ ବଡ଼ ସମସ୍ୟା ମୁଣ୍ଡବ୍ୟଥାର କାରଣ ସାଜିଛି। ମୁଖ୍ୟ ମନ୍ଦିରରେ ଥିବା ଶ୍ରୀଲିଙ୍ଗ ଓ ଶକ୍ତିଙ୍କ ମଧ୍ୟରେ ଥିବା ସଂଯୋଗ ସ୍ଥାନ ‘କଣ୍ଠ’ରେ ଫାଟ ସୃଷ୍ଟିହୋଇ ଏବେ ସ୍ଥିତି ଗମ୍ଭୀର ହୋଇ ଯାଇଛି। ଦୀର୍ଘ ୨୫ ବର୍ଷ ହେଲା ଏଥିରେ କରାଳ ଦିଆଯାଉ ନଥିବାରୁ ପ୍ରାୟ ୧୨ ଇଞ୍ଚ ପର୍ଯ୍ୟନ୍ତ ଫାଟ ଥିବା ଦେଖାଯାଇଛି। ଫାଟ ମରାମତି ନହେଲେ ମୁଖ୍ୟଲିଙ୍ଗ କ୍ଷୟ ହୋଇଯିବା ଆଶଙ୍କା ପ୍ରକାଶ ପାଇଛି। ଶ୍ରୀଲିଙ୍ଗରାଜ ମନ୍ଦିରକୁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ ଓ ପୂଜାର୍ଚ୍ଚନା କରିବାକୁ ଆସିଥାନ୍ତି । ବହୁ ଭକ୍ତ ଶ୍ରୀଲିଙ୍ଗରାଜଙ୍କ ଉପରେ ଜଳଲାଗି, କ୍ଷୀର ଢାଳିବା, ରୁଦ୍ରାଭିଷେକ କରିବା, ମାଜଣା କରିବା ସହ ଘର୍ଷଣ ମଧ୍ୟ କରିଥାନ୍ତି । ମାନସିକ ପୂରଣ ପାଇଁ ଭକ୍ତମାନେ ଶ୍ରୀଲିଙ୍ଗ ଓ ଶକ୍ତିରେ ନୈବେଦ୍ୟ ଅର୍ପଣ କରିଥାନ୍ତି।
ଶ୍ରୀଲିଙ୍ଗ ଓ ଶକ୍ତି ମଧ୍ୟରେ ଥିବା ସଂଯୋଗ ସ୍ଥଳ କଣ୍ଠରେ ଏହିସବୁ ସାମଗ୍ରୀ ଲାଗି ରୁହେ। ଫଳରେ ଏବେ ଏଠାରେ ୧୨ ଇଞ୍ଚ ପର୍ଯ୍ୟନ୍ତ ଫାଟ ସୃଷ୍ଟି ହୋଇଛି। ଯଦିଓ ଶକ୍ତିର ସୁରକ୍ଷା ପାଇଁ ଏକ ରୂପା ଆବରଣ ଦିଆଯାଉଛି, ଏହାର ମଝିରେ ଥିବା ଖାଲିସ୍ଥାନରେ କ୍ଷୀର ଓ ପାଦୁକ ଜମି ରହୁଛି। ପାଦୁକ ଶକ୍ତି ଓ ଶ୍ରୀଲିଙ୍ଗର ଏହି ସଂଯୋଗ ସ୍ଥାନରେ ଜମି ରହି ପୁରୁଣା ହେଉଛି। ଏହି ସଂଯୋଗ ସ୍ଥାନରେ ଫାଟ ବହୁ ପୁରୁଣା କାଳରୁ ରହିଥିବା ମନ୍ଦିର ଟ୍ରଷ୍ଟି ଅଗାଧୁ ପୂଜାପଣ୍ଡା କହିଛନ୍ତି। ଏହି ସ୍ଥାନରେ ଦେଖା ଦେଉଥିବା ଫାଟକୁ କରାଳ ଲଗାଯାଇ ବନ୍ଦ କରାଯାଏ। ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ କରାଳ ଯୋଗାଇବା ପରେ ସେବାୟତମାନେ କରାଳ ଲଗାଇଥାନ୍ତି।
ସୂଚନା ଅନୁଯାୟୀ, ନୂଆ ଗାମୁଛା, ଝୁଣା, ଲାଖ, ଗୁଡ଼, ରାଶିତେଲ ଓ କର୍ପୂର ମିଶ୍ରଣରେ କରାଳ ପ୍ରସ୍ତୁତ କରାଯାଇଥାଏ। କରାଳ ଦୀର୍ଘଦିନ ହେବ ଦିଆଯାଇ ନଥିବାରୁ କଣ୍ଠ ଫାଙ୍କା ଦେଖାଯାଉଛି ବୋଲି ଶ୍ରୀ ପୂଜାପଣ୍ଡା କହିଛନ୍ତି। ତାଙ୍କ କହିବା ଅନୁଯାୟୀ, ଏହି ଫାଙ୍କରେ ପାଦୁକ ଜମି ରହି ବେଳେ ବେଳେ ଦୁର୍ଗନ୍ଧ ସୃଷ୍ଟି ହେଉଛି। ସେହିପରି ଫଳ, ପଞ୍ଚାମୃତ, ଘିଅ, କ୍ଷୀର ଆଦି ସେଠାରେ ଜମି ରହିବା ଦ୍ବାରା ଫାଙ୍କ ଦିନକୁ ଦିନ ବୃଦ୍ଧି ପାଉଛି। ଏଥିପ୍ରତି ଧ୍ୟାନ ଦିଆ ନଗଲେ ମୁଖ୍ୟଲିଙ୍ଗ ପ୍ରଭାବିତ ହେବାର ସବୁ ପ୍ରକାର ଆଶଙ୍କା ରହିଛି। ଏନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି କହନ୍ତି, ‘‘ଆମେ ପିଲାବେଳୁ ଦେଖି ଆସିଛୁ, ବରିଷ୍ଠ ବଡ଼ୁ ସେବାୟତମାନେ ଶ୍ରୀଲିଙ୍ଗରାଜଙ୍କ କଣ୍ଠରେ କରାଳ ଦେଇଥାନ୍ତି। ଏହି କରାଳ ନଦେବାରୁ ଲିଙ୍ଗରେ ପ୍ରାୟ ଏକ ଫୁଟ୍ ଫାଟ ସୃଷ୍ଟି ହେଲାଣି। ଶକ୍ତି ଅସୁରକ୍ଷିତ ହୋଇପଡ଼ୁଛି। ଟ୍ରଷ୍ଟ ବୋର୍ଡ ଓ ପ୍ରଶାସନ ଏଥିପାଇଁ ତୁରନ୍ତ ପଦକ୍ଷେପ ନେବା ଉଚିତ୍। ବଡ଼ୁ ସେବାୟତମାନେ ଯଥାଶୀଘ୍ର ଅଭିଜ୍ଞ ସେବାୟତଙ୍କ ମତ ନେଇ କରାଳ କରିବା ଆବଶ୍ୟକ ହୋଇପଡ଼ିଛି।’’
ଏ ସମ୍ପର୍କରେ ପୂଜାପଣ୍ଡା ନିଯୋଗ ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା କହନ୍ତି, ‘‘କରାଳ ଲଗାଇବା ବଡ଼ୁ ସେବାୟତଙ୍କ କାର୍ଯ୍ୟ। କରାଳ ଲଗାଇବା ପାଇଁ ଏଏସ୍ଆଇର ଅନୁମତି ରହିଛି। ମନ୍ଦିର ପ୍ରଶାସନ ସବୁ ଯୋଗାଇବ ବୋଲି ଘୋଷଣା କରିଛି। ଏହା ନହେବାରୁ ଶକ୍ତିରେ ଫାଟ ବୃଦ୍ଧି ପାଉଛି।’’ ସେହିପରି ବଡ଼ୁ ନିଯୋଗର ସଂପାଦକ କମଳାକାନ୍ତ ବନ୍ଧୁ କହନ୍ତି, ‘‘ଲିଙ୍ଗଙ୍କ ସୁରକ୍ଷା କରାନଗଲେ ଲିଙ୍ଗ ନଷ୍ଟ ହୋଇଯିବେ। ପୂର୍ବରୁ ୧୯୯୮ ମସିହାରେ କରାଳ ଦିଆଯାଇଥିଲା। କରାଳ ଲାଗିବା ପାଇଁ ମନ୍ଦିର ଟ୍ରଷ୍ଟବୋର୍ଡ ନିଷ୍ପତ୍ତି ପରେ ଏହାର ନକଲ ନେଇ ଦେବୋତ୍ତର ବିଭାଗ ଅନୁମତି ଆଣି କରାଳ ତିଆରି ହେବ ବୋଲି ଯୋଜନା ରହିଛି।’’ ମନ୍ଦିର କାର୍ଯ୍ୟନିର୍ବାହୀ ତଥା ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ମହାପାତ୍ରଙ୍କୁ ପଚାରିବାରୁ ସେ କହିଲେ, ‘‘ଦୀର୍ଘକାଳ ହେଲା କରାଳ ଦିଆଯାଇ ନଥିବା ସଂପର୍କରେ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏଏସ୍ଆଇକୁ ଜଣାଇ ଅନୁମତି ଅଣାଯିବ। ଏହାପରେ ବଡ଼ୁ ନିଯୋଗଙ୍କୁ ଏହାକୁ ଲଗାଇବା ପାଇଁ କୁହାଯିବ।’’