ଯୋଧପୁର ୧୫/୦୨ : ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ସାରା ଦେଶରେ ସମର୍ପଣ ନିଧି ସଂଗ୍ରହ ଅଭିଯାନ ଚାଲିଛି। ରାମ ମନ୍ଦିର ନିର୍ମାଣ ପାଇଁ ଲୋକେ ନିଜ ଇଚ୍ଛା ଅନୁସାରେ ରାଶି ଦାନ କରୁଛନ୍ତି। ରାଜସ୍ଥାନ ଯୋଧପୁରରୁ ଏକ ନିଆରା ମାମଲା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କ ଶେଷ ଇଚ୍ଛା ଅନୁସାରେ ତାଙ୍କ ଦେହାନ୍ତ ପରେ ପରିବାର ଲୋକେ ତାଙ୍କ ଗହଣା ବିକ୍ରି କରି ୭ ଲକ୍ଷରୁ ଅଧିକ ଧନରାଶି ମନ୍ଦିର ନିର୍ମାଣ ପାଇଁ ଦାନ କରିଛନ୍ତି।
ସୂଚନା ଅନୁଯାୟୀ, ସମର୍ପଣ ନିଧି ଅଭିଯାନରେ ଯୋଧପୁର ଟିମର ଆରଏସଏସର ପ୍ରଦେଶ ପ୍ରଚାରର ମୁଖ୍ୟ ହେମନ୍ତ ଗୋଷ୍ଠଙ୍କ ପାଖକୁ ଏକ ଫୋନ ଆସିଥିଲା। ଫୋନ କରିଥିବା ବ୍ୟକ୍ତି ଜଣକ କହିଥିଲେ ଯେ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଯାଇଛି। ତାଙ୍କ ଗହଣା ବିକ୍ରି କରି ରାମ ମନ୍ଦିର ନିର୍ମାଣ ପାଇଁ ଦାନ କରିବାକୁ ପତ୍ନୀଙ୍କ ଅନ୍ତିମ ଇଚ୍ଛା ଥିଲା। ପତ୍ନୀଙ୍କ ଅନ୍ତିମ ଇଚ୍ଛା ଅନୁସାରେ ତାଙ୍କ ଗହଣା ବିକି ଆମେ ରାମ ମନ୍ଦିର ନିର୍ମାଣ ପାଇଁ ରାଶି ଦାନ କରିବାକୁ ଚାହୁଁଛୁ ବୋଲି ମହିଳାଙ୍କ ସ୍ୱାମୀ ବିଜୟ ସିଂହ କହିଥିଲେ। ହେମନ୍ତ ଗୋଷ୍ଠ କହିଥିଲେ ଆପଣ ପ୍ରଥମେ ପତ୍ନୀଙ୍କ ଅନ୍ତିମ ସଂସ୍କାର କରନ୍ତୁ, ତାପରେ ତାଙ୍କ ଅନ୍ତିମ ଇଚ୍ଛା ପୂରଣ କରିବେ।
ଯୋଧପୁରରେ ରହୁଥିବା ଆଶାଙ୍କର ୫୪ ବର୍ଷ ବୟସରେ କୌଣସି ରୋଗ ଯୋଗୁଁ ଦେହାନ୍ତ ହୋଇଛି। ଆଶା ଫେବୃଆରୀ ୧ ତାରିଖରେ ସ୍ୱାମୀ ଓ ପୁଅ ଆଖରେ ନିଜ ଶେଷ ଇଚ୍ଛା ଜାହିର କରିଥିଲେ। ମଧ୍ୟବିତ୍ତ ପରିବାର ହୋଇଥିବା ସତ୍ତ୍ୱେ ସ୍ୱାମୀ ଓ ପୁଅ ରାମଙ୍କ ପ୍ରତି ଥିବା ଆଶାଙ୍କ ଭାବନାକୁ ସ୍ୱୀକାର କରିଥିଲେ ଓ ତାଙ୍କ ଶେଷ ଇଚ୍ଛା ପୂରଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ଫେବୃଆରୀ ୩ ତାରିଖରେ ଫୁସଫୁସ ସଂକ୍ରମଣ ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆରଦିନ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ଆଶା ଦେବୀଙ୍କ ଅନ୍ତିମ ସଂସ୍କାର ପରେ ଶ୍ରୀରାମ ସମର୍ପଣ ନିଧି ଅଭିଯାନ ସଦସ୍ୟ ଆଶା ଦେବୀଙ୍କ ଘରେ ପହଞ୍ଚିଥିଲେ। ପରିବାର ସଦସ୍ୟ ଆଶାଙ୍କ ଅନ୍ତିମ ଇଚ୍ଛା ସମ୍ପର୍କରେ ସବୁ କଥା କହିଥିଲେ। ପରିବାର ଲୋକେ କହିଥିଲେ ଯେ ଆଶାଙ୍କ ଗହଣା ବିକି ୭ ଲକ୍ଷ ୮ ହଜାର ଟଙ୍କା ମିଳିଛି। ପରିବାର ଲୋକ ଏହି ରାଶି ମନ୍ଦିର ନିର୍ମାଣ ପାଇଁ ଦାନ କରିଛନ୍ତି। ସମର୍ପଣ ନିଧି ସଦସ୍ୟ ଏସବୁ ଦେଖି ଭାବବିହ୍ୱଳ ହୋଇଯାଇଥିଲେ। ଶ୍ରୀରାମଙ୍କ ପ୍ରତି ଆଶାଙ୍କ ଭକ୍ତିକୁ ସେମାନେ ଅନନ୍ୟ ବୋଲି କହିଛନ୍ତି ଓ ସମ୍ମାନ ଜଣାଇଛନ୍ତି।
