ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀମନ୍ଦିର ମରାମତିକୁ ଅଭାବ ପଡ଼ିବ ପଥର, ଖାଲି ହେବାରେ ଲାଗିଛି ନରଣଗଡ଼ ପଥରଖଣି

ପୁରୀ : ଶ୍ରୀମନ୍ଦିର କାରୁକାର୍ଯ୍ୟ ଓ ଗଠନ ଶୈଳୀ ସମ୍ପୂର୍ଣ୍ଣ ଭିନ୍ନ। ଦୀର୍ଘସ୍ଥାୟୀ ଓ ଉତ୍ତମ ମାନର ଖାଣ୍ଡେଲାଇଟ୍‌ ପଥର ପାଇଁ ପ୍ରାୟ ହଜାରେ ବର୍ଷ ହେଲାଣି ଶ୍ରୀମନ୍ଦିର ଅକ୍ଷତ ଅବସ୍ଥାରେ ରହିଛି। କାଁ ଭାଁ କାରୁକାର୍ଯ୍ୟକୁ ଛାଡ଼ିଦେଲେ ବାକି ସେହିଭଳି ଅକ୍ଷତ ରହିଛି। ତଥାପି ଶ୍ରୀମନ୍ଦିରର ଭବିଷ୍ୟତ ଆବଶ୍ୟକତା ତଥା ମରାମତି ପାଇଁ ଅତୀତରେ ଗଜପତି ମହାରାଜ ଖୋର୍ଦ୍ଧା ଜିଲ୍ଲା ନରଣଗଡ଼ ପଥରଖଣିକୁ ମହାପ୍ରଭୁଙ୍କ ନାମରେ ନାମିତ କରିଥିଲେ। ଯେହେତୁ ନରଣଗଡ଼ର ଖାଣ୍ଡେଲାଇଟ୍‌ (ବଉଳମାଳିଆ) ପଥର ଉଚ୍ଚମାନର ଓ ସଶକ୍ତ, ସେ ଦୃଷ୍ଟିରୁ ଏହାକୁ ଶ୍ରୀମନ୍ଦିର ମରାମତି କାମରେ ବି ଲଗାଯାଉଛି। ମାତ୍ର, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସହ ଅନ୍ୟ ପ୍ରକଳ୍ପରେ ଏହି ପଥରକୁ ବିନିଯୋଗ କରାଯାଉଛି। ଯାହାଫଳରେ, ଶ୍ରୀମନ୍ଦିର ପାଇଁ ପଥର ଅଭାବର ପରିସ୍ଥିତି ସୃଷ୍ଟି କରିଛି। ଯଦି ଏବେଠୁ ବିଚାର କରାନଯାଏ, ଆଗାମୀଦିନରେ ଯେ ଶ୍ରୀମନ୍ଦିର ମରାମତି ନିମ୍ନମାନର ପଥରରେ ହେବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।
ମୁଖ୍ୟତଃ ଓଡ଼ିଶାରେ ଦୁଇଟି ଜାଗାରେ ଖାଣ୍ଡେଲାଇଟ୍‌ ପଥର ମିଳେ। ଗୋଟିଏ ଅବିଭକ୍ତ ପୁରୀ ଜିଲ୍ଲା ଓ ବର୍ତ୍ତମାନର ଖୋର୍ଦ୍ଧା ଜିଲ୍ଲାର ନରଣଗଡ଼ରେ ଥିବାବେଳେ ଅନ୍ୟଟି ଯାଜପୁର ଜିଲ୍ଲାରେ ରହିଛି। ଯାଜପୁର ଜିଲ୍ଲାରୁ ମିଳୁଥିବା ଖାଣ୍ଡେଲାଇଟ୍‌ ପଥରର ମାନ ସେତେଟା ଭଲ ନ ଥିବାରୁ ନରଣଗଡ଼ ପଥରକୁ ହିଁ ପ୍ରାଥମିକତା ଭିତ୍ତିରେ ଶ୍ରୀମନ୍ଦିରରେ ବ୍ୟବହାର କରାଯାଇ ଆସୁଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୯୫୮ ମସିହାରେ ଜାତୀୟ କୀର୍ତ୍ତିରାଜିର ସୁରକ୍ଷା ପାଇଁ ଆମ୍‌ସାର୍‌ ଆକ୍ଟ ଲାଗୁ ପରେ ଶ୍ରୀମନ୍ଦିରକୁ ଜାତୀୟ କୀର୍ତ୍ତିରାଜିର ମାନ୍ୟତା ମିଳିଥିଲା। ୧୯୭୫ ମସିହା ଫେବ୍ରୁଆରି ୩ ତାରିଖରେ ଏ ସମ୍ପର୍କିତ ଗେଜେଟ୍‌ ନୋଟିଫିକେସନ୍‌(୨/୩୪/୭୨-ଏମ/୩.୨.୧୯୭୫) ପରେ ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ୧୯୭୯ ଅଗଷ୍ଟ ୨୨ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ସହ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ଏକ ଏମ୍‌ଓୟୁ ସ୍ବାକ୍ଷର ହୋଇଥିଲା। ଏମ୍‌ଓୟୁ ଅନୁଯାୟୀ, ଗତ ୪୩ ବର୍ଷ ଧରି ଶ୍ରୀମନ୍ଦିର ସହ କୁରୁମ ବେଢ଼ା, ବେଢ଼ା ଭିତରେ ଥିବା ୯୫ଟି ପାର୍ଶ୍ବ ଦେବାଦେବୀ ମନ୍ଦିର, ମେଘନାଦ ପାଚେରିର ରକ୍ଷଣାବେକ୍ଷଣ ଦାୟିତ୍ବ ନେଇଛି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ। ସେବେଠୁ ନରଣଗଡ଼ ପଥରଖଣିରୁ ଖାଣ୍ଡେଲାଇଟ୍‌ ପଥର ଆସି ଶ୍ରୀମନ୍ଦିର ମରାମତି କାମ କରାଯାଉଛି।

କିନ୍ତୁ, ଦୁଇବର୍ଷ ହେବ ରାଜ୍ୟ ସରକାର ଓଡ଼ିଶା ମାଇନିଂ କର୍ପୋରେସନ୍‌ର ସିଏସ୍‌ଆର କାର୍ଯ୍ୟ ଅନ୍ତର୍ଭୁକ୍ତ କରି ଏହି ପଥରଖଣିରୁ କାଟିବାରେ ଲାଗିଛନ୍ତି। ଯେଉଁଠି ହାତରେ ଅତି ଯତ୍ନ ସହକାରେ ଏହି ପଥରକୁ କଟାଯାଉଥିଲା, ସେଠି ବଡ଼ ବଡ଼ ମେସିନ୍‌ ଲଗାଇ ପଥରକୁ କଟାଯାଉଛି। ଏହି ମୂଲ୍ୟବାନ ପଥରକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ସହ ଶ୍ରୀକ୍ଷେତ୍ର ସହ ବିଭିନ୍ନ ଜିଲ୍ଲାରେ ଚାଲିଥିବା ଉନ୍ନୟନ କାର୍ଯ୍ୟରେ ବିନିଯୋଗ କରାଯାଉଛି। ଫଳରେ ପ୍ରାୟ ୪ ଏକର ବ୍ୟାପ୍ତ ନରଣଗଡ଼ର ଏହି ପଥର ଖଣି ଧୀରେ ଧୀରେ ଖାଲି ହେବାକୁ ବସିଲାଣି। ପ୍ରାୟ ୭୦ ପ୍ରତିଶତ ପଥରଖଣିକୁ କାଟି ପଥରକୁ ଖାଲି କରି ଦିଆଗଲାଣି। ଏଣୁ ପ୍ରତ୍ନତତ୍ତ୍ବ ବିଭାଗ ଶ୍ରୀମନ୍ଦିର ମରାମତିକୁ ନେଇ ଶଙ୍କାରେ ପଡ଼ିଲାଣି।

ଏ ସମ୍ପର୍କରେ ପ୍ରତ୍ନତତ୍ତ୍ବ ବିଭାଗର ଜଣେ ଅଧିକାରୀ କହିଛନ୍ତି, ଯାଜପୁର ଖାଣ୍ଡେଲାଇଟ୍‌ ପଥରେ ବାଲିଭାଗ ଅଧିକ ରହିଛି। ଦୀର୍ଘସ୍ଥାୟୀ ହୋଇ ନ ଥିବାରୁ ଏହାକୁ ଶ୍ରୀମନ୍ଦିରରେ ବ୍ୟବହାର କରାଯାଉନି। ନରଣଗଡ଼ ଖାଣ୍ଡେଲାଇଟ୍‌ ପଥରରେ ବାଲି ଭାଗ କମ୍‌ ଥିବାବେଳେ ଶ୍ରୀମନ୍ଦିର କାମ ପାଇଁ ଏହା ଉତ୍କୃଷ୍ଟ। ଆମେ ଚାହିଁଲେ ଏହି ପଥର ଖଣିରୁ ମେସିନ୍‌ ଲଗାଇ ପଥର କାଟି ପାରନ୍ତୁ। ଆମେ ସେଭଳି କିଛି ନ କରି, ଲୋକଙ୍କ ସହାୟତାରେ ଅତି ଯତ୍ନର ସହ ହାତରେ ପଥର କାଟୁ। ଶ୍ରୀମନ୍ଦିର ମରାମତି କାମରେ ଯେଉଁ ପଥର ବିନିଯୋଗ ହେଉଛି, ତାର ଆକାର ବି ଭିନ୍ନ। କିନ୍ତୁ, ଏବେ ଯେଉଁ ପଥର କଟାଯାଉଛି, ତାକୁ ମନଇଚ୍ଛା ଛୋଟ ଛୋଟ ବର୍ଗାକାର ଆକାରରେ କଟାଯାଉଛି। ଏଣୁ ଅନେକ ପଥର ଅଯଥାରେ ନଷ୍ଟ ହେଉଛି। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଯଦି ଏବେଠୁ ନରଣଗଡ଼ ପଥରଖଣି କଥା ବିଚାର ନ କରାଯାଏ, ଶ୍ରୀମନ୍ଦିର ମରାମତି ଆଉ ହୋଇପାରିବନି। ପଥରର ଘୋର ଅଭାବ ଦେଖାଦେବ। ନିମ୍ନମାନର ପଥର ଶ୍ରୀମନ୍ଦିରରେ ବ୍ୟବହାର ହେବ। ଯାହା ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି କରିବ ବୋଲି ଅଧିକାରୀ ଜଣକ ଉଦ୍‌ବେଗର ସହ କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ