ପୁରୀ: ଶ୍ରୀମନ୍ଦିର ପ୍ରଶାସନର ଦେଇନି ପ୍ରାୟ ୧୪୨ କୋଟିର ୟୁସି। ଦେବୋତ୍ତର ବିଭାଗ ବି ପ୍ରାୟ ୨୫ କୋଟିର ୟୁସି ଦେଇନି। ଏଜିଙ୍କ ଏପରି ରିପୋର୍ଟ ପରେ ବୁଧବାର ଏ ଉପରେ ଉଚ୍ଚସ୍ତରୀୟ ବୈଠକ ଡାକିଛି ଆଇନ ବିଭାଗ। ଅର୍ଥ ବିଭାଗ ଓଏସ୍ଡିଙ୍କ ଅଧ୍ୟକ୍ଷତାରେ ସାଢ଼େ ୩ଟାରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ଆଇନ ବିଭାଗ ଅନୁଦାନର ଯେଉଁମାନେ ୟୁସି ଦାଖଲ କରିନାହାନ୍ତି, ତାର ସମୀକ୍ଷା କରାଯିବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ସହ କଟକ ରାଜ୍ୟ ଆଇନ ପ୍ରାଧିକରଣ ସଂସ୍ଥା ସଦସ୍ୟ, ଦେବୋତ୍ତର କମିସନର, ଓଡ଼ିଶା ମାନବାଧିକାର କମିସନ ସଂପାଦକଙ୍କୁ ବି ଏହି ବୈଠକରେ ଉପସ୍ଥିତ ରହିବାକୁ ଚିଠି କରାଯାଇଛି। ତେବେ ବକେୟା ୟୁସିରେ ନବକେ;ଳବର ସମୟର ସର୍ବାଧିକ ବାକି ରହିଥିବା ଜଣାଯାଇଛି।
ଏଜି(ଆକାଉଣ୍ଟସ ଜେନେରାଲ୍) ରିପୋର୍ଟ ଦେଇଥିଲେ ଯେ ଶ୍ରୀମନ୍ଦିର ପ୍ରଶାସନ ୨୦୦୨-୦୩ ଆର୍ଥିକ ବର୍ଷରୁ ୨୦୧୪-୧୫ ଆର୍ଥିକ ବର୍ଷ ଭିତରେ ୧୪୨ କୋଟିର ୟୁସି ବାକି ରଖିଛି। ସର୍ବାଧିକ ବାକି ନବକଳେବର ସମୟର ବୋଲି ରିପୋର୍ଟ ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ, ୨୦୦୩-୦୪ ଆର୍ଥିକ ବର୍ଷରେ ଶ୍ରୀମନ୍ଦିର କର୍ମଚାରୀଙ୍କ ପାରିଶ୍ରମିକ ବାବଦକୁ ୭ଲକ୍ଷ ୭୫ହଜାର ଟଙ୍କା ସରକାର ଅନୁଦାନ ମିଳିଥିଲା। ଏହାର ୟୁସି ଦାଖଲ ହୋଇନି। ସେହିଭଳି ୨୦୦୪-୦୫ ଆର୍ଥିକ ବର୍ଷରେ ମହାପ୍ରଭୁଙ୍କ ଯାନିଯାତ୍ରା ପାଇଁ ୧୨ଲକ୍ଷ ୫୦ହଜାର ଟଙ୍କା ଓ ଶ୍ରୀମନ୍ଦିର ପରିଚାଳନା ପାଇଁ ୧ କୋଟି ୭ଲକ୍ଷ ୫୦ହଜାର ଟଙ୍କା, ୨୦୦୫-୦୬ ଆର୍ଥିକ ବର୍ଷରେ ମହାପ୍ରଭୁଙ୍କ ଯାନିଯାତ୍ରା ପାଇଁ ୫୦ହଜାର ଟଙ୍କା, କର୍ମଚାରୀଙ୍କ ଦରମା ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ୨୦୦୬-୦୭ରେ ଦୁଇଟି ପର୍ଯ୍ୟାୟରେ ୧୨ ଲକ୍ଷ ଟଙ୍କା ଓ୫୭ ଲକ୍ଷ ୫୦ହଜାର ଟଙ୍କା, ୨୦୦୯-୧୦ରେ ୧କୋଟି ଟଙ୍କା, ୨୦୧୪-୧୫ ଆର୍ଥିକ ବର୍ଷରେ ୬ଲକ୍ଷ ୩୩ହଜାର ୯୩୦ ଟଙ୍କା ମିଳିଥିଲା।
ସେହିଭଳି ନବକଳେବର ଖର୍ଚ୍ଚ ବାବଦରେ ୨୦୧୪-୧୫ ଆର୍ଥିକ ବର୍ଷରେ ଚାରିଟି ପର୍ଯ୍ୟାୟରେ ୩କୋଟି ୫୦ଲକ୍ଷ, ୪୫ହଜାର ୦୨୯ ଟଙ୍କା, ୩୦ କୋଟି ୪୦ ଲକ୍ଷ ଟଙ୍କା, ୨ କୋଟି ଟଙ୍କା ଓ ୩ କୋଟି ଟଙ୍କା, ୨୦୧୫-୧୬ ଆର୍ଥିକ ବର୍ଷରେ ନବକଳେବର ବାବଦରେ ୩ କୋଟି ୮୧ ଲକ୍ଷ ୨୦ହଜାର ୮୩୧ ଟଙ୍କା, ଶ୍ରୀମନ୍ଦିର ପାଇଁ ୮ଲକ୍ଷ ୨୧ହଜାର ୮୪୭ ଟଙ୍କା ଓ କୋଠଭୋଗ ପାଇଁ ୪୪ ଲକ୍ଷ ଟଙ୍କା, ୨୦୨୦-୨୧ ଆର୍ଥିକ ବର୍ଷରେ ଯାନିଯାତ୍ରା ପାଇଁ ୫ କୋଟି ୩୨ଲକ୍ଷ ୪୦ହଜାର ଟଙ୍କା, କୋଠଭୋଗ ପାଇଁ ୫୫ଲକ୍ଷ ଟଙ୍କା, କ୍ଷତିପୂରଣ ବାବଦକୁ ୧ କୋଟି ୪୪ଲକ୍ଷ ଟଙ୍କା ଅନୁଦାନ ମିଳିଥିଲା। ଏଭଳି ମୋଟ ୧୪୨ କୋଟି ୮୧ ଲକ୍ଷ ୫୫ହଜାର ୯୫୫ ଟଙ୍କାର ୟୁସି ଆଜି ପର୍ଯ୍ୟନ୍ତ ଦାଖଲ ହୋଇନି ବୋଲି ଏଜି ରିପୋର୍ଟରେ ଦର୍ଶାଇଛନ୍ତି। ଏହା ଉପରେ ନିକଟରେ ଆଇନ ବିଭାଗ ଅତିରିକ୍ତ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଦାଖଲ ହୋଇନଥିବା ୟୁସି ସପ୍ତାହେ ଭିତରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯେଉଁ ଧାର୍ମିକ ଅନୁଷ୍ଠାନ ୟୁସି ଦାଖଲ କରିନାହାଁନ୍ତି,ସେମାନଙ୍କୁ କଳାତାଲିକାଭୁକ୍ତ କରିବା ସହ ୟୁସି ଦାଖଲ ହୋଇନଥିବା ଅନୁଦାନ ରାଶି ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଆସନ୍ତାକାଲି ଅର୍ଥ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ଉଚ୍ଚସ୍ତରୀୟ ବୈଠକ ଡକାଯାଇଛି।