ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ଓ ପାର୍ଶ୍ବବର୍ତ୍ତୀ ମଠ ମନ୍ଦିରର ବିକାଶ କରାଯିବ। ଯୋଜନା ମୁତାବକ, ଏହା ମଧ୍ୟରେ ଶ୍ରୀଜଗନ୍ନାଥ ଐତିହ୍ୟ କରିଡର୍, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ବିଲ୍ଡିଂ, ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର, ରଘୁନାଥ ପାଠାଗାର, ସମନ୍ବିତ ନିୟନ୍ତ୍ରଣ କେନ୍ଦ୍ର ନିର୍ମିତ ହେବ। ଏହି ପରିସରରେ ଆସୁଥିବା ସମସ୍ତ ମଠକୁ କଳିଙ୍ଗ କଳା ସ୍ଥାପତ୍ୟଶୈଳୀରେ ବିକାଶ କରାଯିବ। ବିକାଶ କାର୍ଯ୍ୟ ତ୍ବରାନ୍ବିତ ହେବା ବେଳେ ସେମାନଙ୍କର ପରମ୍ପରା ଯେପରି ଉଜ୍ଜୀବୀତ ରହିବ, ତା’ ଉପରେ ଗୁରୁତ୍ବ ଦିଆଯିବ।
ଐତିହ୍ୟ କରିଡର୍ ମଧ୍ୟରେ ପ୍ରାୟ ୨୦ ଏକର ଅଞ୍ଚଳ ଅଧିଗ୍ରହଣ ହୋଇଛି। ଶ୍ରୀମନ୍ଦିର ଐତିହ୍ୟ ସୁରକ୍ଷାବଳୟ ପାଇଁ ୧୫.୬୫ ଏକର ଜମି ଆବଶ୍ୟକ ଥିବା ବେଳେ ଇତିମଧ୍ୟରେ ୯୮ ପ୍ରତିଶତ ଜମି ଅଧିଗ୍ରହଣ କାମ ଶେଷ ହୋଇଛି। ୧୧୩ଜଣଙ୍କ ବ୍ୟକ୍ତିଗତ ଜମି, ୧୮ଟି ମଠର ଜମି ଅଧିଗ୍ରହଣ ସରିଛି। ବାକି ଅଧିଗ୍ରହଣ କାମ ଜାରି ରହିଛି। ଆବଶ୍ୟକ ଜମି ମଧ୍ୟରେ ୪.୪୬ ଏକର ବେସରକାରୀ ଜମି, ୮.୪୭୨୫ଏକର ଶ୍ରୀଜଗନ୍ନାଥ ଜମି, ୦.୧୫୧ ଏକର ମଠ ଜମି ଓ ୨.୫୬୬ ଏକର ସରକାରୀ ଜମି ରହିଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୭୫ମିଟର ଉଚ୍ଛେଦକ୍ରମରେ ବାସେଳିସାହି ମୌଜାରେ ୩.୨୮ ଏକର ବେସରକାରୀ ଓ ୬୪ ଡେସିମାଲ ସରକାରୀ, ମଣିକର୍ଣ୍ଣିକା ସାହି ମୌଜାର ୩.୬୨ ଏକର ବେସରକାରୀ ଓ ୧୩ଡେସିମାଲ୍ ସରକାରୀ ଜାଗା, କାଳିକାଦେବୀ ସାହି ମୌଜାର ୧.୯୫ଏକର ବେସରକାରୀ ଓ ୫୨ ଡେସିମାଲ୍ ସରକାରୀ ଜାଗା, ଦୋଳମଣ୍ଡପ ସାହି ମୌଜାରେ ବେସରକାରୀ ୭.୭ ଡେସିମାଲ ଓ ୭.୪ ଡେସିମାଲ୍ ସରକାରୀ ଜାଗା, ଚୂଡ଼ଙ୍ଗ ସାହି ମୌଜାରେ ୩.୮୬ ଏକର ବେସରକାରୀ ଓ ୧.୨୮ ଏକର ସରକାରୀ ଜାଗା ଅଧିଗ୍ରହଣ ଲକ୍ଷ୍ୟ ରଖାଯାଇଥିଲା। ଅଧିଗ୍ରହଣ ହେବାକୁ ଥିବା ୨୯୦ଟି ପ୍ଲଟ୍ର ସାମାଜିକ ପ୍ରଭାବ ନିର୍ଦ୍ଧାରଣ ସର୍ଭେ ଭୁବନେଶ୍ବର ନବକୃଷ୍ଣ ଚୌଧୁରୀ ସେଣ୍ଟର ଫର୍ ଡେଭଲପମେଣ୍ଟ୍ ଷ୍ଟଡିଜ୍ ଅଧୀନରେ ଥିବା ଏମ୍ଏସ୍ ସିଟିରନ୍ କନସଲ୍ଟିଂ ଲିମିଟେଡ୍ ସଂସ୍ଥା ଜରିଆରେ କରାଯାଇଥିଲା। ସଂପୃକ୍ତ ସଂସ୍ଥାର ୫ଟି ଟିମ୍ ଏହି କାର୍ଯ୍ୟ ତୁଲାଇଥିଲେ।
ଏହା ମଧ୍ୟରେ ୯୦ ପ୍ରତିଶତ ଅଞ୍ଚଳ ସବୁଜବଳୟ ଦ୍ବାରା ଆଚ୍ଛାଦିତ ହେବ। ଐତିହ୍ୟ କରିଡର୍ର ପୂର୍ବପାର୍ଶ୍ବରେ ବିଶାଳ ଖୋଲା ସ୍ଥାନ ରହିବ। ଏହା ମଧ୍ୟରେ ମହାପ୍ରଭୁଙ୍କ ରଥଯାତ୍ରାଠୁ ନେଇ ବିଭିନ୍ନ ପର୍ବପର୍ବାଣୀ ସ୍ବଚ୍ଛନ୍ଦରେ ଆୟୋଜନ କରାଯାଇପାରିବ। ଫଳସ୍ବରୂପ ବହୁ ସଂଖ୍ୟାରେ ଭକ୍ତ ଏହା ମଧ୍ୟରେ ଉପସ୍ଥିତ ରହି ସୁରକ୍ଷିତ ଭାବେ ମହାପ୍ରଭୁଙ୍କ ଉତ୍ସବ ଓ ଯାତ୍ରା ସୁବିଧାରେ ଦେଖିପାରିବେ। ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କୁ ଅତ୍ୟାବଶ୍ୟକ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଏକ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ ହେବ। ୮ ହଜାର ବ୍ୟକ୍ତିଙ୍କ ସୁବିଧା ନିମନ୍ତେ ଏହା ଉପଲବ୍ଧ ହେବ। ଏହା ମଧ୍ୟରେ ଶ୍ରୀଜଗନ୍ନାଥ ଐତିହ୍ୟ କରିଡରର ଦକ୍ଷିଣ-ପୂର୍ବ ପାର୍ଶ୍ବରେ ପ୍ରାୟ ୮୫ ହଜାର ବର୍ଗଫୁଟ୍ ପରିମିତ ଅଞ୍ଚଳରେ ଏହି କେନ୍ଦ୍ର ନିର୍ମିତ ହେବ। ଏହା ମଧ୍ୟରେ ନିରାପତ୍ତା ବ୍ୟବସ୍ଥା ପାଇଁ ବ୍ୟାଗ୍ ସ୍କାନିଂ ସୁବିଧା ରହିବ। ୪ ହଜାର ପରିବାରର ଜିନିଷ ରଖିବା ପାଇଁ ମୁଖ୍ୟ କ୍ଲକ୍ ରୁମ୍ ରହିବ। ପାନୀୟ ଜଳ ଓ ଟଏଲେଟ୍ ସୁବିଧା, ହାତ ଓ ପାଦ ଧୁଆ ପାଇଁ ବ୍ୟବସ୍ଥା, ସୋଭେନିୟର ଓ ବହି ଷ୍ଟୋର୍ ଆଦି ଏହି କେନ୍ଦ୍ର ମଧ୍ୟରେ ଉପଲବ୍ଧ ହେବ।
୯ ଭାଗରେ ହେବ ଐତିହ୍ୟ କରିଡର୍
ମେଘନାଦ ପାଚେରିଠାରୁ ୭ ମିଟର ବଫର ଜୋନ୍ ହେବ। ଏହା ମଧ୍ୟରୁ ୨ ମିଟର ମେଘନାଦ ପାଚେରିର ରକ୍ଷଣାବେକ୍ଷଣ, ୫ ମିଟର ୧ ଫୁଟ୍ ଉଚ୍ଚ ବିଶିଷ୍ଟ ପିଣ୍ଡି ଓ ସବୁଜବଳୟ ସୃଷ୍ଟି କରାଯିବ। ପରବର୍ତ୍ତୀ ୧୦ ମିଟରରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ପରିକ୍ରମା ଉଦ୍ଦେଶ୍ୟର ଖୋଲା ରଖାଯିବ। ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଏଇ ନିର୍ଦିଷ୍ଟ ମାର୍ଗ ଦେଇ ଯିବାର ବ୍ୟବସ୍ଥା ହୋଇଛି। ୧୦ ମିଟରରୁ ୧୪ ମିଟର ମଧ୍ୟରେ ଲ୍ୟାଣ୍ଡ୍ ସ୍କେପ୍ ଜୋନ୍ ରହିବ। ଏହା ମଧ୍ୟରେ ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ବିଭିନ୍ନ ବୃକ୍ଷରାଜି ରୋପଣ କରାଯିବ। ପରବର୍ତ୍ତୀ ୮ ମିଟର ବାହ୍ୟ ପରିକ୍ରମା ମାର୍ଗ ଭାବେ ବ୍ୟବହୃତ ହେବ। ଏହାର ଦୁଇ ପାର୍ଶ୍ବରେ ଗଛ ଲଗାଯିବ। ଭକ୍ତ ଓ ପର୍ଯ୍ୟଟକଙ୍କୁ ଛାଇ ପ୍ରଦାନ କରିବାରେ ସହାୟ ହେବ। ଏହା ପରବର୍ତ୍ତୀ ୧୦ ମିଟର ଜନସାଧାରଣଙ୍କ ସୁବିଧା ନିମନ୍ତେ ବ୍ୟବସ୍ଥା ରହିବ। ଏହି ଅଞ୍ଚଳରେ ବିଶ୍ରାମ ଗୃହ, ପାନୀୟ ଜଳ, ଦାନ ଗ୍ରହଣ କେନ୍ଦ୍ର, ସୂଚନା କେନ୍ଦ୍ର ଆଦି ରହିବ। ପରବର୍ତ୍ତୀ ୫ ମିଟରରେ କରିଡର୍ର ରକ୍ଷଣାବେକ୍ଷଣ ବ୍ୟବସ୍ଥା କରାଯିବ। ୪.୫ ମିଟର ମଧ୍ୟରେ ଜୁରୁରୀକାଳୀନ ସେବା ସୁବିଧା ରହିବ। ୭.୫ ମିଟର ମଧ୍ୟରେ ଟ୍ରାଫିକ୍ ଲେନ୍ ରହିବ। ଏହା ଯାନବାହନ ପ୍ରସ୍ଥାନ ସହ କରିଡର୍ ସଂଲଗ୍ନ ସାହିକୁ ସଂଯୋଗ କରିବ। ୭ ମିଟର ମଧ୍ୟରେ ପାର୍ଶ୍ବବର୍ତୀ ସାହି ବାସିନ୍ଦାଙ୍କ ସୁବିଧା ପାଇଁ ବ୍ୟବହୃତ ହେବ। ଏଥିସହ ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ ଗାଡ଼ି ପାର୍କିଂ, ଆବର୍ଜନା କୁଣ୍ଡ, ଭକ୍ତଙ୍କ ବସିବା ବ୍ୟବସ୍ଥା ରହିବ।