ରାଜ୍ୟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଆଜି ଲୋକାର୍ପଣ

ପୁରୀ: ଆସନ୍ତାକାଲିର ସୂର୍ଯ୍ୟୋଦୟ ସହ ଶ୍ରୀକ୍ଷେତ୍ର ଇତିହାସରେ ଯୋଡ଼ି ହୋଇଯିବ ଆଉ ଏକ ସ୍ବର୍ଣ୍ଣିମ ଅଧ୍ୟାୟ।। ସମୟ ସାକ୍ଷୀ ହେବାକୁ ଯାଉଛି ଶ୍ରୀମନ୍ଦିର ଚୌହଦୀ ସୌନ୍ଦର୍ଯ୍ୟୀକରଣର ଅନନ୍ୟ ରୂପାନ୍ତର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଲୋକାର୍ପିତ ହେବ ଭବ୍ୟ ଓ ଦିବ୍ୟର ଏହି ପ୍ରଦକ୍ଷିଣ ମାର୍ଗ। ଯାହା ଭକ୍ତଙ୍କ ଚିନ୍ତନରେ ଭରିଦେବ ଆଧ୍ୟାତ୍ମିକତା। ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପକୁ ବୁଧବାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଲୋକାର୍ପଣ ପୂର୍ବରୁ ବରଣୀୟ ବ୍ରାହ୍ମଣଙ୍କ ଦ୍ବାରା ପଞ୍ଚ କସାୟନରେ ପରିକ୍ରମା ପ୍ରକଳ୍ପ ଫଳକ ଓ ପଥ ଶୋଧ ବିଧି ସମ୍ପନ୍ନ ହୋଇଛି।

ବୁଧବାର ଅପରାହ୍ଣ ୧ଟା ୧୫ରୁ ସାଢ଼େ ୧ଟା ଭିତରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଏହାର ଫଳକ ଲୋକାର୍ପଣ କରିବେ। ଏହାପୂର୍ବରୁ ଅର୍ଥାତ୍‌ ଅପରାହ୍ଣ ପ୍ରାୟ ସାଢ଼େ ୧୨ଟାରେ ବେଦପାଠ ପୂର୍ବକ ଶ୍ରୀନଅରରୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ଯଜ୍ଞସ୍ଥଳକୁ ବିଜେ କରିବେ। ଯଜ୍ଞକୁଣ୍ଡରେ ଆହୁତି ଦେବେ। ଅପରାହ୍ଣ ସାଢ଼େ ୧ଟାରୁ ୨ଟା ଭିତରେ ତିନିଦିନ ଧରି ଚାଲିଥିବା ମହାଯଜ୍ଞର ପୂର୍ଣ୍ଣାହୁତି ଦେବେ ଗଜପତି। ପରେ ସଭାସ୍ଥଳକୁ ଯାଇ ରାଜ୍ୟ ତଥା ଦେଶବିଦେଶରୁ ନିମନ୍ତ୍ରିତ ସାଧୁସନ୍ଥ ଓ ୮୫୦ଜଣ ଅତିଥିଙ୍କୁ ମୁଖ୍ୟମନ୍ତ୍ରୀ ଓ ଗଜପତି ମହାରାଜା ଉଦ୍‌ବୋଧନ ଦେବେ। ଏଥିପାଇଁ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ନେତୃତ୍ବରେ ୮୦ ପ୍ଲାଟୁନ୍‌ ଫୋର୍ସ ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ରର ସୁରକ୍ଷା ବ୍ୟବସ୍ଥାକୁ ହାତକୁ ନେଇଛନ୍ତି।
ଗତକାଲି ସୂର୍ଯ୍ୟାସ୍ତ ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆରମ୍ଭ ହୋଇଥିବା ମହାଯଜ୍ଞର ଆହୁତି ବନ୍ଦ ହୋଇଥିଲା। ଆଜି ସୂର୍ଯ୍ୟୋଦୟ ପରେ ସାଢ଼େ ୭ଟାରୁ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା, ଶାଲାପ୍ରବେଶ, ପଞ୍ଚକର୍ମ ପରେ ଅଙ୍କୁରାରୋପଣରେ ଆବାହନ କରାଯାଇଥିବା ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବରଙ୍କୁ ଯଜ୍ଞବେଦିର ଯଥାସ୍ଥାନରେ ମଣ୍ଡିତ କରାଯାଇଥିଲା। ମଣ୍ଡଳପୂଜା ପରେ ହୋମ, ଆଳତି, ପୁଷ୍ପାଞ୍ଜଳି ସହ ବରଣୀୟ ବ୍ରାହ୍ମଣମାନେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରଦକ୍ଷିଣ କରି ହଳଦୀ, ଚନ୍ଦନ, ଶୁଦ୍ଧ, ପଞ୍ଚଧାନ, ଧାନ ଲାଗିଥିବା ଲିଆ ଆଦିରେ ପ୍ରସ୍ତୁତ ପଞ୍ଚ କସାୟନରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପଥକୁ ଶୋଧନ କରିଥିଲେ। ସୂର୍ଯ୍ୟାସ୍ତ ସହ ଆଜିର ଯଜ୍ଞବିଧି ଶେଷ ହୋଇଥିଲା।

ଆଜି ବି ବେଦମନ୍ତ୍ରରେ ପ୍ରକମ୍ପିତ ହୋଇଛି ଖଣ୍ଡମଣ୍ଡଳ। ଚାରିଦ୍ବାରରେ ବେଦପାଠ ସହ ନାମ ସଂକୀର୍ତ୍ତନ ଭରି ଦେଇଥିଲା ଆଧ୍ୟାତ୍ମିକତା। ବୁଧବାର(ଜାନୁଆରି ୧୭) ପୁନର୍ବାର ସକାଳ ସାଢ଼େ ୭ଟାରୁ ଯଜ୍ଞବିଧି ଆରମ୍ଭ ହେବ। ସୂର୍ଯ୍ୟପୂଜା, ଧରିତ୍ରୀପୂଜା, ଗୋପୂଜା, ପଞ୍ଚକର୍ମ, ବାସ୍ତୁଶୋଧନ, ଅଧିବାସ, ହୋମ ବିଧି ଅପରାହ୍ଣ ୧ଟା ଭିତରେ ସଂପନ୍ନ ହେବ। ପରେ ଲୋକାର୍ପଣ ସହ ପୂର୍ଣ୍ଣାହୁତି ନୀତି ସଂପନ୍ନ ହେବ। ଅପରାହ୍ଣ ୩ଟାରେ ନିମନ୍ତ୍ରିତ ଅତିଥି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରଦକ୍ଷିଣ କରିବେ। ଲୋକାର୍ପଣ ପୂର୍ବରୁ ଉତ୍ସବମୁଖର ହୋଇଛି ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ପ୍ରଦକ୍ଷିଣ ପାଇଁ ବଢ଼ିଛି ଭକ୍ତଙ୍କ ଭିଡ଼।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।