ରାଜ୍ୟ

ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ପ୍ରସଙ୍ଗ: ଅସନ୍ତୋଷ ବଢ଼ିଲାଣି, ତାତିଲେଣି ଭକ୍ତ

ପୁରୀ : ଶ୍ରୀମନ୍ଦିର ଚାରିଦ୍ବାର ବନ୍ଦ ବିବାଦ ଉଗ୍ରରୂପ ନେବାରେ ଲାଗିଛି। ଜିଲ୍ଲା ପ୍ରଶାସନ ଏହି ପ୍ରସଙ୍ଗକୁ ଅଣଦେଖା କରି ଆସୁଥିବାରୁ ନେତା, ସେବାୟତ, ଆଇନଜୀବୀ ଓ ବିଭିନ୍ନ ସଂଗଠନ ଖୋଲା ବିରୋଧ ଆରମ୍ଭ କରିଛନ୍ତି। ଶ୍ରୀମନ୍ଦିର ଛାମୁ ଖୁଣ୍ଟିଆ ନିଯୋଗ ଭକ୍ତଙ୍କ ସୁବିଧା ପାଇଁ ତୁରନ୍ତ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବାକୁ ଦାବି କରିଛନ୍ତି। ସେପଟେ ବହୁଦିନ ପରେ ପୂର୍ବତନ ବାଚସ୍ପତି ତଥା ଜିଲ୍ଲା ବିଜେଡି ସଭାପତି ମହେଶ୍ବର ମହାନ୍ତି ଚାରିଦ୍ବାର ଖୋଲିବା ନେଇ ମୁହଁ ଖୋଲିଥିବା ବେଳେ ଆଇନଜୀବୀମାନେ ଆଜି ଅସନ୍ତୋଷ ଝାଡ଼ିଛନ୍ତି। ଶୁକ୍ରବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚାରିଦ୍ବାର ଖୋଲିବା ପ୍ରସଙ୍ଗରେ ଛତିଶାନିଯୋଗ ବୈଠକ ଡକାଯାଇଛି। ଅପରାହ୍ଣ ୫ଟାରେ ନୀଳାଦ୍ରି ଭକ୍ତ ନିବାସରେ ଏହି ବୈଠକ ଅନୁଷ୍ଠିତ ହେବ।

ଗୁରୁବାର ଦିନ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି, ଶ୍ରୀମନ୍ଦିର ଚାରିଦ୍ବାର ବନ୍ଦ ଯୋଗୁ ଭକ୍ତମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେ ପୁରୀବାସୀ ହୁଅନ୍ତୁ କି ସାରା ବିଶ୍ବରୁ ଆସୁଥିବା ଭକ୍ତ, ସମସ୍ତେ କଲବଲ ହେଉଛନ୍ତି। ଅଯଥା ବଡ଼ଦାଣ୍ଡରେ ଭକ୍ତଙ୍କ ଲମ୍ବାଧାଡ଼ି ଲାଗୁଛି। ଭକ୍ତମାନେ ମହାପ୍ରସାଦ ପାଇଁ ଶୋଷଣର ଶିକାର ହେଉଛନ୍ତି। ଆନନ୍ଦବଜାରରେ ଯେଉଁ ଦରରେ ମହାପ୍ରସାଦ ବିକ୍ରି ହେଉଛି, ତା’ଠାରୁ ଅଧିକ ଦର ଦେଇ କିଣୁଛନ୍ତି। ଏହାକୁ ପ୍ରଶାସନ ଗୁରୁତ୍ବର ସହ ବିଚାର କରୁ। ଭକ୍ତଙ୍କ ସୁବିଧାକୁ ଅଗ୍ରାଧିକାର ଦିଆଯାଉ। ଶ୍ରୀମନ୍ଦିର ଚାରିଦ୍ବାର ତୁରନ୍ତ ଖୋଲିବା ସହ ମହାପ୍ରସାଦ ଆଣିବାର ବନ୍ଦୋବସ୍ତ କରାଯାଉ। କେବଳ ଗୋଟିଏ ଦ୍ବାର ଖୋଲିଦେଲେ ହେବନି। ଜିଲ୍ଲା ପ୍ରଶାସନ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ନିହାତି ଜରୁରୀ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଶେଷରେ ମୁହଁ ଖୋଲିଲେ ମହେଶ୍ବର ମହାନ୍ତି
ତୁରନ୍ତ ଖୋଲ ଶ୍ରୀମନ୍ଦିର ଚାରିଦ୍ବାର: ଛାମୁ ଖୁଣ୍ଟିଆ ନିଯୋଗ
ପୂର୍ବଭଳି ଚାରିଦ୍ବାରରୁ ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା ହେଉ: ଓକିଲ ସଂଘ
ଛତିଶାନିଯୋଗ ବୈଠକ ଡାକିଲା ଶ୍ରୀମନ୍ଦିର ପ୍ରଶାସନ

ଶ୍ରୀମନ୍ଦିର ଛାମୁ ଖୁଣ୍ଟିଆ ନିଯୋଗ ସଭାପତି ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି, କୋଭିଡ୍‌ ବେଳେ ଚାରିଦ୍ବାର ବନ୍ଦ ସ୍ବାଗତଯୋଗ୍ୟ ପଦକ୍ଷେପ ଥିଲା। କିନ୍ତୁ କୋଭିଡ୍‌ ପରେ ଚାରିଦ୍ବାର ବନ୍ଦ କରିବାକୁ, କିଏ ଅଧିକାର ଦେଲା? କାହା ମତ ଆଧାରରେ ଚାରିଦ୍ବାର ଭକ୍ତଙ୍କ ପାଇଁ ବନ୍ଦ କରାଗଲା? ଚାରିଦ୍ବାର ନ ଖୋଲି ସିଂହଦ୍ବାରରେ କାହିଁକି ଭକ୍ତଙ୍କୁ ଏଭଳି କଲବଲ କରାଯାଉଛି? ତୁରନ୍ତ ପୂର୍ବଭଳି ଚାରିଦ୍ବାରରୁ ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା କରାଯାଉ। ଭକ୍ତମାନେ ମହାପ୍ରସାଦ ନେବାକୁ ଉତ୍ତରଦ୍ବାର ଉନ୍ମୁକ୍ତ କରାଯାଉ। ଭିଡ଼ ନିୟନ୍ତ୍ରଣ ପାଇଁ ଶ୍ରୀମନ୍ଦିର ଭିତର କାଠ ଓ ବାହାର କାଠ ଉପରେ ଶ୍ରୀମନ୍ଦିର ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଉ। ଭକ୍ତମାନେ ଏଠାରେ ଛିଡ଼ା ହେଲେ ଅଯଥା ଭିଡ଼ ବଢ଼ିବ। ଭକ୍ତମାନେ ଭିତର କାଠ ଓ ବାହାର କାଠରୁ ଦର୍ଶନ ବେଳେ ସଙ୍ଗେ ସଙ୍ଗେ ଯେପରି ବାହାରକୁ ବାହାରିଯିବେ, ତାର ବ୍ୟବସ୍ଥା କରାଯାଉ ବୋଲି ଶ୍ରୀ ଖୁଣ୍ଟିଆ କହିଛନ୍ତି।

ଚାରିଦ୍ବାର ଖୋଲିବା ଉପରେ ଆଜି ପୁରୀ ଓକିଲ ସଂଘ ପକ୍ଷରୁ କାର୍ଯ୍ୟକାରୀ ପରିଷଦ ବୈଠକ ଜୋରଦାର ଆଲୋଚନା ହୋଇଛି। ବୈଠକ ସମ୍ପର୍କରେ ସଂଘର ସଂପାଦକ ଆଇନଜୀବୀ ବିଭୂତି ଶଙ୍କର ତ୍ରିପାଠୀ କହିଛନ୍ତି, ପୂର୍ବଭଳି ଶ୍ରୀମନ୍ଦିର ଚାରିଦ୍ବାରରୁ ଭକ୍ତଙ୍କ ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା କରିବାକୁ ପୁରୀ ଓକିଲ ସଂଘ ଦାବି କରିଛି। ଏହି ଦାବି ଉପସ୍ଥାପନ ପାଇଁ କାର୍ଯ୍ୟକାରୀ ପରିଷଦର ସଭାପତି, ଉପସଭାପତି, ସଂପାଦକଙ୍କ ସହ ଅନ୍ୟ ବରିଷ୍ଠ ଆଇନଜୀବୀଙ୍କୁ ନେଇ ୧୦ଜଣିଆ କମିଟି ଗଠନ କରାଯାଇଛି। ଶୁକ୍ରବାର ଏହି ଦାବି ନେଇ କମିଟି ଜିଲ୍ଲାପାଳ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଭେଟିବ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିବ। ଆବଶ୍ୟକ ପଡ଼ିଲେ କମିଟି ମୁଖ୍ୟମନ୍ତ୍ରୀଙ୍କୁ ବି ଭେଟିବ। ତଥାପି ଯଦି ଦାବି ପୂରଣ ନ ହୁଏ, ସଂଘ ପକ୍ଷରୁ ପୁନର୍ବାର ବୈଠକ ଡକାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।