ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ଦାବି: ଆରମ୍ଭ ହେଲା ଦସ୍ତଖତ ସଂଗ୍ରହ

ପୁରୀ : ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ଦାବିରେ ଜନମତ ସୃଷ୍ଟି ଉଦ୍ଦେଶ୍ୟରେ ରବିବାରଠାରୁ ସଚେତନ ନାଗରିକ ମଞ୍ଚ ପକ୍ଷରୁ ୧ଲକ୍ଷ ଭକ୍ତଙ୍କ ହସ୍ତାକ୍ଷର ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ସିଂହଦ୍ବାର ନିକଟରେ ଏହି ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୨ଶହରୁ ଅଧିକ ଭକ୍ତଙ୍କ ଦସ୍ତଖତ ସଂଗ୍ରହ ହୋଇଛି। ଆସନ୍ତା ୧ ତାରିଖରେ ୧ଲକ୍ଷ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ। ଏହି ଅଭିଯାନରେ ବୁଦ୍ଧିଜୀବୀ, ସେବାୟତ, ନିଯୋଗ, ଭକ୍ତମାନେ ଯୋଡ଼ି ହୋଇଛନ୍ତି। ସଚେତନ ନାଗରିକ ମଞ୍ଚର ସଭାପତି ପ୍ରସନ୍ନ ଦାଶ କହିଛନ୍ତି, କୋଭିଡ ସମୟରେ ଶ୍ରୀମନ୍ଦିରର ୩ ଦ୍ବାର ବନ୍ଦ କରି ସିଂହଦ୍ବାର ବାଟେ ଦର୍ଶନ ପାଇଁ ପ୍ରବେଶ କରିବାର ବ୍ୟବସ୍ଥା କରାଯାଇଥିଲା। ମହାମାରୀ ଯୋଗୁ ଏପରି କରିବାର ଆବଶ୍ୟକତା ଥିଲା। ମାତ୍ର ଏବେ ଦେଶ କୋଭିଡ୍‌ମୁକ୍ତ। ଏହା ସତ୍ତ୍ବେ ଶ୍ରୀମନ୍ଦିର ଚାରିଦ୍ବାର ଦୀର୍ଘଦିନ ହେବ କିଏ ଓ କ’ଣ ପାଇଁ ବନ୍ଦ କରିଛନ୍ତି ଏବଂ ଏହା କାହା ନିଷ୍ପତ୍ତିରେ କାର୍ଯ୍ୟକାରୀ ହେଉଛି ତାହା ବୁଝି ହେଉନାହିଁ।

recommended by

ପୂର୍ବରୁ ଚାରିଦ୍ବାର ଖୋଲା ରହୁଥିଲା। ବାହାର ଭକ୍ତଙ୍କ ସମେତ ସ୍ଥାନୀୟ ଭକ୍ତମାନେ ଶ୍ରୀମନ୍ଦିର ଯାଇ ଦର୍ଶନ କରି ନିଜ ସୁବିଧାରେ ଫେରୁଥିଲେ। ପୁରୀବାସୀଙ୍କର କୌଣସି ମାଙ୍ଗଳିକ କାର୍ଯ୍ୟ ହେଲେ ଅବା ଏହି ସମୟରେ ଲଡ଼ୁ ମହାପ୍ରସାଦ ଆବଶ୍ୟକ ପଡ଼ିଲେ ଯେଉଁ ସ୍ଥାନୀୟ ଲୋକେ ଦ୍ବାର ବାଟେ ଯାଇ ନେଇ ଆସିପାରୁଥିଲେ। କିମ୍ବା ଘରକୁ ଯଦି କେହି ଅତିଥି ଆସୁଥିଲେ, ଦର୍ଶନ ନକରି କେବଳ ଅବଢ଼ା ଆଣିବା ଉଦ୍ଦେଶ୍ୟରେ ଯାଇ ତୁରନ୍ତ ଅବଢ଼ା ଆଣି ଘରେ ପହଞ୍ଚି ଯାଉଥିଲେ। ମାତ୍ର ଯେବେଠୁ ଧାଡ଼ି ବ୍ୟବସ୍ଥା ଆରମ୍ଭ ହୋଇଛି, ଏହା ଆଉ ସମ୍ଭବ ହେଉନାହିଁ। ବହୁ ବୃଦ୍ଧ ବୃଦ୍ଧା ଶ୍ରୀମନ୍ଦିର ଧାଡ଼ି ଦେଖି ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରକୁ ନଯାଇ ବାହାରୁ ପତିତପାବନଙ୍କ ଦର୍ଶନ କରି ଫେରି ଆସୁଛନ୍ତି।

ଶ୍ରୀ ଦାଶ କହିଛନ୍ତି, ଏହି ଦସ୍ତଖତ ଅଭିଯାନ କେବଳ ସିଂହଦ୍ବାର ନିକଟରେ ସୀମିତ ରହିବ ନାହିଁ। ୧୫ ଦିନ ମଧ୍ୟରେ ଭକ୍ତମାନଙ୍କର ୧ଲକ୍ଷ ଦସ୍ତଖତ ସଂଗ୍ରହ କରାଯିବ। ତେଣୁ ମଞ୍ଚର ସଦସ୍ୟଙ୍କ ସମେତ ବହୁ ଜଗନ୍ନାଥପ୍ରେମୀ ଏହି ଅଭିଯାନରେ ସାମିଲ ହେବାକୁ ସେ ଆହ୍ବାନ କରିଛନ୍ତି। ଏହି ଅଭିଯାନ ଆଗାମୀ ଦିନରେ ଗୁଣ୍ଡିଚା ମନ୍ଦିର, ରେଳ ଷ୍ଟେସନ ଓ ସମସ୍ତ ସାହି ଗଳି କନ୍ଦିରେ ଚାଲୁ ରହିବ। ହସ୍ତାକ୍ଷର ସଂଗ୍ରହ ସହ ଗଜପତି, ଜଗତଗୁରୁ ଶଙ୍କରାଚାର୍ଯ୍ୟ, ଛତିଶା ନିଯୋଗ, ମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସହ ଆଲୋଚନା କରି ସହଯୋଗ କାମନା କରାଯିବ ବୋଲି ସେ କହିଛନ୍ତି। ଏହି ଅଭିଯାନରେ ଆଜି ଶ୍ରୀ ଦାଶଙ୍କ ସମେତ ସମ୍ପାଦକ ତ୍ରିଲୋଚନ ଦାସ, ସଂଗଠନ ସମ୍ପାଦକ ସଚ୍ଚିନନ୍ଦନ ଦାଶ, ସହ ସମ୍ପାଦକ ଅଶୋକ ଆଢ଼୍ୟ, ଉପଦେଷ୍ଟା ହରିଶଙ୍କର ମିଶ୍ର, ଘଣ୍ଟୁଆ ସେବକ ବିଚିତ୍ରାନନ୍ଦ ସାହୁ, ପ୍ରଶାନ୍ତ କୁମାର ସାହୁ, ଆଦିତ୍ୟ ନାରାୟଣ ବାରିକ, ସୁଧାଂଶୁ କୁମାର ଜେନା ଓ ଅନ୍ୟ ଶ୍ରୀଜଗନ୍ନାଥ ପ୍ରେମୀମାନେ ସାମିଲ ହୋଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।