ଜ୍ୟେଷ୍ଠ ପୂର୍ଣ୍ଣିମା ଯେପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଜନ୍ମଦିନ, ଶ୍ରାବଣପୂର୍ଣ୍ଣିମା ସେପରି ବଡ଼ଠାକୁର ଶ୍ରୀବଳଭଦ୍ରଙ୍କର ଜନ୍ମଦିନ। ଏହିଦିନ ମାର୍କଣ୍ଡେଶ୍ବର ପୁଷ୍କରିଣୀର ଜନ୍ମବେଦିରେ ତାଙ୍କର ମାଟିତିଆରି ଶିଶୁମୂର୍ତ୍ତି ନିର୍ମାଣ କରାଯାଇ ସ୍ବତନ୍ତ୍ର ବିଧିରେ ଜନ୍ମୋତ୍ସବ ପାଳନ କରାଯାଏ। ସେହି ସମୟରେ ଶ୍ରୀସୁଦର୍ଶନ ସେଠାରେ ଉପସ୍ଥିତ ରହନ୍ତି। ଶ୍ରୀବଳଭଦ୍ର କୃଷିର ଦେବତା। ତାଙ୍କର ଗୋଟିଏ ଆୟୁଧ ହଳ ବା ଲଙ୍ଗଳ। ସମ୍ଭବତଃ ସେଇଥିପାଇଁ, ଶ୍ରୀମନ୍ଦିର ବାହାରେ ଏବଂ ମାଟିର ମୂର୍ତ୍ତି ମାଧ୍ୟମରେ ଏହି ଜନ୍ମଦିନ ପାଳିତ ହୁଏ।
ଜଗନ୍ନାଥ ଦାସଙ୍କ ନବାକ୍ଷରୀ ଓଡ଼ିଆ ‘ଭାଗବତ’ର ଦଶମ ସ୍କନ୍ଧରେ ଶ୍ରୀବଳଭଦ୍ରଙ୍କର ଜନ୍ମବୃତ୍ତାନ୍ତ ବର୍ଣ୍ଣିତ ଅଛି। ସେଥିରେ କୁହାଯାଇଛି- ଅସୁରଙ୍କ ଉତ୍ପାତରେ ଭୂମି ଥରହର ହୋଇ କମ୍ପିବାରୁ ପୃଥ୍ବୀଦେବୀ ମାୟାସୁରଭି ରୂପରେ ଯାଇ ବ୍ରହ୍ମାଙ୍କର ଶରଣ ପଶିଲେ। ଫଳରେ ବ୍ରହ୍ମା, ଶିବ ଓ ଅନ୍ୟାନ୍ୟ ଦେବତାଙ୍କୁ ନେଇ, କ୍ଷୀରସାଗରରେ ଅନନ୍ତ ଶୟନରେ ଥିବା ବିଷ୍ଣୁଙ୍କ ନିକଟକୁ ଗଲେ। ସବୁ କଥା ଶୁଣି ବିଷ୍ଣୁ ତାଙ୍କୁ ଯାହା କହିଲେ, ସେହି ପ୍ରସଙ୍ଗରେ ଶ୍ରୀବଳଭଦ୍ରଙ୍କର ଜନ୍ମବୃତ୍ତାନ୍ତ ବର୍ଣ୍ଣିତ ହୋଇଛି।
ବ୍ରହ୍ମା ଦେବଗଣଙ୍କୁ କହିଲେ- ହେ ଦେବଗଣ, ଶୁଣ! ନାରାୟଣ କହିଲେ, ସେ ଯାଦବ ବସୁଦେବଙ୍କ ଘରେ, ଦେବକୀଙ୍କ ପୁତ୍ର ରୂପେ ଜନ୍ମନେବେ। କିନ୍ତୁ ତାଙ୍କର କଳାରେ ପ୍ରଥମେ ଅନନ୍ତ ବା ଶ୍ରୀବଳଭଦ୍ର ଦେବକୀଙ୍କର ଗର୍ଭଗତ ହେବେ। ମହାମାୟା ଯୋଗ ବଳରେ ସେହି ଗର୍ଭକୁ ଆକର୍ଷଣ କରି, ବା ହରଣ କରିନେଇ, ନନ୍ଦରାଜାଙ୍କ ଘରେ ଥିବା ରୋହିଣୀଙ୍କ ଗର୍ଭରେ ସ୍ଥାପନ କରିବେ। ଫଳରେ ରୋହିଣୀଙ୍କ ଗର୍ଭରୁ ସଂକର୍ଷଣ ଶ୍ରୀବଳଭଦ୍ର ଜନ୍ମନେବେ।
ଏ ସଂପର୍କରେ, ଭାଗବତର ଦଶମ ସ୍କନ୍ଧ, ତୃତୀୟ ଅଧ୍ୟାୟରେ ବର୍ଣ୍ଣନା ଅଛି ଯେ ବିଷ୍ଣୁଙ୍କ ପରାମର୍ଶରେ, ମହାମାୟା ମହା ଆନନ୍ଦରେ ମର୍ତ୍ତ୍ୟଲୋକର ମଥୁରା ନଗରୀକୁ ଆସିଲେ ଏବଂ କଂସର ବନ୍ଦୀଶାଳାରୁ ଦେବକୀଙ୍କର ଗର୍ଭକୁ ହରିନେଇ ଗୋପନଗ୍ରରେ ରୋହିଣୀଙ୍କ ଗର୍ଭରେ ସ୍ଥାପନ କଲେ। ତାହା ଫଳରେ ଶ୍ରାବଣ ପୂର୍ଣ୍ଣିମା ଦିନ ଶ୍ରୀବଳଭଦ୍ର ଜନ୍ମ ନେଲେ।
ସଦ୍ୟଜାତ ଶ୍ରୀବଳଭଦ୍ରଙ୍କର ରୂପବର୍ଣ୍ଣନା କରି ‘ଭାଗବତ’ରେ କୁହାଯାଇଛି- ‘‘ସିଂହପୌର୍ଣ୍ଣମୀ ଦିନ ସାର। / ରୋହିଣୀ ପ୍ରସବେ କୁମର।। / ଧବଳ ଜ୍ୟୋତି ରୂପ ପୁଣି। / ଶିରେ ଶୋହଇ ସପ୍ତଫଣୀ / ଅପୁଆ ଘରେ ପୁଅ ଜାତ। / ଆନନ୍ଦ ହୋଏ ନନ୍ଦ ଚିତ୍ତ।।’’
ପ୍ରାଚୀନ ଓଡ଼ିଆ ଗଦ୍ୟରେ ରଚିତ ‘ବଳଭଦ୍ର ଜନ୍ମକଥା’ରେ ଏ ସଂପର୍କରେ ବର୍ଣ୍ଣନା ଅଛି। ଦେବର୍ଷି ନାରଦଙ୍କ ପ୍ରଶ୍ନର ଉତ୍ତରରେ ପିତାମହ ବ୍ରହ୍ମା କହିଛନ୍ତି- ଶ୍ରାବଣ ପୂର୍ଣ୍ଣମୀ, ବୁଧବାର, ଶ୍ରବଣା ନକ୍ଷତ୍ରରେ ଶ୍ରୀବଳଭଦ୍ର ଜନ୍ମଗ୍ରହଣ କରିଥିଲେ। ଜନ୍ମ ସମୟକୁ ସେ ଥିଲେ କୋଟି ସିଂହଙ୍କ ପରି ପରାକ୍ରମୀ ଓ କୋଟି ସୂର୍ଯ୍ୟଙ୍କ ପରି ତେଜସ୍ବୀ।