ପୁରୀ ୨୨।୩: ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରତ୍ନସିଂହାସନ ନିକଟରେ ରାଷ୍ଟ୍ରପତି ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ରାଷ୍ଟ୍ରପତିଙ୍କ ସହ ତାଙ୍କ ଧର୍ମପତ୍ନୀ ମଧ୍ୟ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । କୌଳିକ ସେବାୟତ ରାଷ୍ଟ୍ରପତିଙ୍କୁ ନେଇ ମହାପ୍ରଭୁଙ୍କ ଦର୍ଶନ କରାଇଥିଲେ । ଶ୍ରୀମନ୍ଦିର ଭିତରେ ମା’ ବିମଳା ଓ ଲକ୍ଷ୍ମୀଙ୍କ ଦର୍ଶନ କରିଥିଲେ ରାଷ୍ଟ୍ରପତି । ନିଜ ଦରମାରୁ ଲକ୍ଷେ ଟଙ୍କାର ସମର୍ପଣ ନିଧି ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଲକ୍ଷେ ଟଙ୍କାର ଚେକ୍ ଦେଇଛନ୍ତି ରାଷ୍ଟ୍ରପତି । ଏହି ସମୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମହାପ୍ରଭୁଙ୍କ ଫଟୋ ଚିତ୍ର ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଥିଲା । ରାଷ୍ଟ୍ରପତିଙ୍କ ସହ ଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେନା ହେଲିକାପ୍ଟର ଯୋଗେ ପୁରୀ ତାଳବଣିଆଠାରେ ସକାଳ ୮ଟା ୪୫ରେ ପହଞ୍ଚିଥିଲେ ରାଷ୍ଟ୍ରପତି ।

ସେଠାରୁ କାର୍ ଯୋଗେ କଡା ସୁରକ୍ଷା ମଧ୍ୟରେ ଭିଆଇପି ରୋଡ୍ ଓ ବଡଦାଣ୍ଡ ଦେଇ ଶ୍ରୀମନ୍ଦିର ନିକଟରେ ପହଞ୍ଚିଥିଲେ । ସିଂହଦ୍ବାର ନିକଟରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ସହ ଶ୍ରୀମନ୍ଦିର ମଧ୍ୟକୁ ପାଛୋଟି ନେଇଥିଲେ। ରାଷ୍ଟ୍ରପତିଙ୍କ ଗସ୍ତା ପାଇଁ ସକାଳ ୮ଟାରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଥିଲା । ଶ୍ରୀମନ୍ଦିରରେ କେବଳ ପାଳିଆ ସେବକ, ମନ୍ଦିର କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କ ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।
