କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ

ଶ୍ରୀଜଗନ୍ନାଥଙ୍କ ‘ଗଜ ଉଦ୍ଧାରଣ’ ବେଶ ଓ ଭାଗବତର ‘ଗଜେନ୍ଦ୍ର ଉପାଖ୍ୟାନ’

ଭକ୍ତକବି ସାଲବେଗଙ୍କର ‘ଆହେ ନୀଳ ଶଇଳ…’ ଭଜନଟି ଖୁବ୍ ଲୋକପ୍ରିୟ। ଏହାର ଗୋଟିଏ ପଦରେ ‘ଭାଗବତ’ର ‘ଗଜେନ୍ଦ୍ର ମୋକ୍ଷ’ ପ୍ରସଙ୍ଗ ଅଛି। ସେଥିରେ କୁହାଯାଇଛି- “ଚକ୍ରପେଷି ନକ୍ରନାଶି ଉଦ୍ଧରିଲ ଆପଣ।” କିନ୍ତୁ ପ୍ରାଚୀନ ରଚନାରେ ‘ନକ୍ର’ ପରିବର୍ତ୍ତେ ‘ଗ୍ରାହ’ ଶବ୍ଦ ରହିଛି। ‘ନକ୍ର’ ଓ ‘ଗ୍ରାହ’ ଉଭୟ କୁମ୍ଭୀରର ପ୍ରତିଶବ୍ଦ।

ସଂସ୍କୃତ ‘ଶ୍ରୀମଦ୍‌ଭାଗବତ’ ଓ ନବାକ୍ଷରୀ ଓଡ଼ିଆ ‘ଭାଗବତ’ର ଅଷ୍ଟମ ସ୍କନ୍ଧରେ ପ୍ରସଙ୍ଗଟି ମିଳେ। ଏହାର ତିନିଟି ପର୍ଯ୍ୟାୟ ହେଉଛି- ‘ଗଜେନ୍ଦ୍ର ଉପାଖ୍ୟାନ’, ‘ଗଜେନ୍ଦ୍ର ସ୍ତୁତି’ ଓ ‘ଗଜେନ୍ଦ୍ର ମୋକ୍ଷ’।

କ୍ଷୀରସାଗର ମଧ୍ୟରେ ଶ୍ରେଷ୍ଠ ଓ ସୁନ୍ଦର ତ୍ରିକୂଟ ପର୍ବତ। ଲୁହା, ରୂପା ଓ ସୁନାର ତା’ର ତିନିଟି ଶୃଙ୍ଗ। ପର୍ବତ ସନ୍ନିକଟ ଅରଣ୍ୟରେ ଗୋଟିଏ ଗଜେନ୍ଦ୍ର (ହାତୀ) ବହୁ ହସ୍ତିନୀଙ୍କ ସହିତ ରହେ। ଗ୍ରୀଷ୍ମକାଳରେ ଜଳକଷ୍ଟ ହେବାରୁ ସେ ସ୍ୱର୍ଣ୍ଣପଦ୍ମର ସୁଗନ୍ଧି ବାରି ବାରି ଆସି ଅରଣ୍ୟର ଏକ ସରୋବର ନିକଟରେ ପହଞ୍ଚିଲା। ଜଳପାନ କଲା ଏବଂ ମନ ଆନନ୍ଦରେ ହସ୍ତିନୀମାନଙ୍କ ସହିତ ସେଠାରେ ଜଳକ୍ରୀଡ଼ା କଲା।

ସେହି ସରୋବରରେ ରହୁଥିବା କୁମ୍ଭୀର ସେଥିରେ କୁପିତ ହୋଇ ଆସି ତାହାର ଗୋଡ଼କୁ କାମୁଡ଼ି ଧରିଲା। ଗଜେନ୍ଦ୍ର ଥିଲା ଦେହବଳରେ ଗର୍ବୀ। ତେଣୁ କୁମ୍ଭୀର ସହିତ ତାର ଲଢ଼େଇ ଚାଲିଲା। କ୍ରମେ ଗଜେନ୍ଦ୍ରର ଦେହବଳ ସହିତ ମନ ଓ ଇନ୍ଦ୍ରିୟବଳ ଶିଥିଳ ହେଲେ। ତେଣୁ ସେ ଭାବିଲା, କାଳଫାଶ ପରି ବିଧାତା ଏହି କୁମ୍ଭୀରକୁ ପଠାଇଛି। ସମଗ୍ର ବିଶ୍ୱରେ କେବଳ ନାରାୟଣଙ୍କର ଶରଣାପନ୍ନ ହେଲେ ହିଁ ସେ ମୋତେ ରକ୍ଷା କରିପାରିବେ। ତେଣୁ ସେ ନାରାୟଣଙ୍କୁ ସ୍ତୁତି କରିବାରେ ଲାଗିଲା। ତାହା ‘ଗଜେନ୍ଦ୍ର ସ୍ତୁତି’। ସେହି ସ୍ତୁତି ଫଳରେ ନାରାୟଣ ଗରୁଡ଼ ପିଠିରେ ବସି ସେଠାରେ ଆସି ପହଞ୍ଚିଲେ ଏବଂ ଜଳରେ ପଶି ଗଜେନ୍ଦ୍ର ସହିତ ଗ୍ରାହକୁ ଉପରକୁ ଟାଣିଆଣି ସୁଦର୍ଶନ ଚକ୍ରଦ୍ୱାରା ଗ୍ରାହର ଶିରଛେଦ କଲେ। ତାହା ହେଉଛି ‘ଗଜେନ୍ଦ୍ର ମୋକ୍ଷ’।

ଭଗବାନ ବିଷ୍ଣୁଙ୍କର ଏହି କଲ୍ୟାଣକାରୀ କାର୍ଯ୍ୟର ସ୍ମୃତିରେ, ଶ୍ରୀମନ୍ଦିରରେ ମାଘପୂର୍ଣ୍ଣିମା ଦିନ ‘ଗଜ ଉଦ୍ଧାରଣ’ ବେଶ ହୁଏ। ଏହି ବେଶ ଦର୍ଶନ କରିବା ସହିତ ଗଜେନ୍ଦ୍ର କରିଥିବା ସ୍ତୁତିରେ ନାରାୟଣଙ୍କୁ ସ୍ତୁତି କଲେ ପୁଣ୍ୟ ଓ ମୋକ୍ଷ ମିଳେ ବୋଲି ପରମଶାସ୍ତ୍ର ଭାଗବତରେ କୁହାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ