ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀକ୍ଷେତ୍ରରୁ ‘ମୋ ମାଟି ମୋ ଦେଶ’ ଅଭିଯାନ ଆରମ୍ଭ: ଜୟୀ ରାଜଗୁରୁଙ୍କ ଜନ୍ମମାଟିରୁ ମାଟି ସଂଗ୍ରହ

ପୁରୀ: ଦେଶ ସ୍ବାଧୀନତା ପାଇଁ ବଳିଦାନ ଦେଇଥିବା ସହିଦ୍‌ ସ୍ବାଧୀନତା ସଂଗ୍ରାମୀ ଓ ବୀର ଯବାନଙ୍କୁ ସମ୍ମାନ ଜଣାଇ ଶ୍ରୀକ୍ଷେତ୍ରରୁ ଆରମ୍ଭ ହୋଇଛି ‘ମୋ ମାଟି ମୋ ଦେଶ’ ଅଭିଯାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକ୍ରମେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏହି ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀମତୀ ସୀତରମଣ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମୀ ସହିଦ୍‌ ଜୟୀ ରାଜଗୁରୁଙ୍କ ଜନ୍ମମାଟି ପୁରୀ ସଦର ବ୍ଲକ୍‌ ବୀରହରେକୃଷ୍ଣପୁର ଗାଁ’ରୁ ମାଟି ସଂଗ୍ରହ କରିବା ସହ ବୀର ଯବାନଙ୍କ ପରିବାରଙ୍କୁ ସମ୍ମାନିତ କରିଛନ୍ତି।

ଆଜି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ପୁରୀରେ ପହଞ୍ଚିବା ପରେ ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ପରେ ସଦାଶିବ ପରିସରରେ ଆୟୋଜିତ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମରେ ଯୋଗଦେଇ ବୃକ୍ଷରୋପଣ କରିଥିଲେ। ସଦାଶିବ ପରିସରରେ ସହିଦ୍‌ଙ୍କ ସ୍ମୃତିଫଳକର ଲୋକାର୍ପଣ କରିବା ସହ ୧୦ଜଣ ସହିଦ୍‌ଙ୍କ ପରିବାରକୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ଓ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ର ଦେଇ ସମ୍ମାନିତ କରିଥିଲେ। ସହିଦଙ୍କ ପରିବାର ସଦସ୍ୟଙ୍କ ପାଦଛୁଇଁ ମୁଣ୍ଡିଆ ମାରିଥିଲେ। ଏହି ଅବସରରେ ଉପସ୍ଥିତ ସହିଦଙ୍କ ପରିବାର ନିଜ ପରିବାରର ବୀର ସନ୍ତାନଙ୍କୁ ମନେପକାଇ କାନ୍ଦୁଥିବା ଦେଖିବାକୁ ମିଳିଥିଲା। ଉପସ୍ଥିତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକାମାନଙ୍କୁ ‘ପଞ୍ଚପ୍ରାଣ’ର ଶପଥପାଠ କରାଇଥିଲେ। କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଓ ଅନ୍ୟ ମାନ୍ୟଗଣ୍ୟ ଅତିଥିମାନେ ଏହି ଅବସରରେ ଉପସ୍ଥିତ ଥିଲେ।

ପରେ ଶ୍ରୀମତୀ ସୀତାରମଣ ଜୟୀ ରାଜଗୁରୁଙ୍କ ଜନ୍ମମାଟି ବୀରହରେକୃଷ୍ଣପୁରକୁ ଯାଇ ମୁଣ୍ଡରେ କଳସ ରଖି ଚାଲିଚାଲି ପ୍ରତି ଘରୁ ମାଟି ସଂଗ୍ରହ କରିଥିଲେ। ଗାଁ ମଝିରେ ଥିବା ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଶ୍ରୀମତୀ ସୀତାରମଣ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମୋ ମାଟି, ମୋ ଦେଶ’ ଅଭିଯାନରେ ସାରା ଦେଶର ବୀର ସଂଗ୍ରାମୀଙ୍କ ମାଟିକୁ ସଂଗ୍ରହ କରିବାକୁ ସଂକଳ୍ପ ନେଇଛନ୍ତି। ଏହି ଅବସରରେ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମୀ ଜୟୀ ରାଜଗୁରୁଙ୍କ ଜନ୍ମମାଟି ବୀରହରେକୃଷ୍ଣପୁରରୁ ଆଜି ପ୍ରତି ଘରୁ ମାଟି ସଂଗ୍ରହ କରାଯାଇ ଏହି ପବିତ୍ର ମାଟିରୁ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।ଏହା ସହ ଅନ୍ୟ ସଂଗ୍ରାମୀଙ୍କ ଜନ୍ମମାଟିରୁ ସଂଗ୍ରହ କରାଯାଇଥିବା ମାଟିକୁ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗ୍ରହଣ କରିବେ। ‘୨୦୪୭ ସୁଦ୍ଧା ଭାରତକୁ ଏକ ଆତ୍ମନିର୍ଭର ତଥା ବିକଶିତ ରାଷ୍ଟ୍ରରେ ପରିଣତ କରିବାର ସ୍ବପ୍ନ ସାକାର କରିବା। ଦାସତ୍ବର ମାନସିକତାକୁ ସମୁଳେ ନିପାତ କରିବା। ଦେଶର ସମୃଦ୍ଧ ଐତିହ୍ୟ, ସଂସ୍କୃତି, ପରମ୍ପରାକୁ ନେଇ ଗର୍ବ କରିବା। ଭାରତର ଏକତା ଓ ଅଖଣ୍ଡତାକୁ ସୁଦୃଢ଼ କରିବା, ଦେଶର ସୁରକ୍ଷା ପାଇଁ ସମର୍ପିତ ବ୍ୟକ୍ତିବିଶେଷଙ୍କୁ ସମ୍ମାନ ଦେବା ଓ ନାଗରିକ ଭାବେ ଦେଶ ପ୍ରତି ‌ନିଜର କର୍ତ୍ତବ୍ୟକୁ ନିଷ୍ଠାର ସହ ପାଳନ କରିବା’।ଏହି ପାଞ୍ଚ ବାକ୍ୟକୁ ଅନୁପାଳନ ପାଇଁ ଶ୍ରୀମତୀ ସୀତାରମଣ ଗାଁ ଲୋକଙ୍କୁ ଶପଥ ପାଠ କରାଇଥିଲେ।

କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ୨ଶହ ବର୍ଷ ପୂର୍ବେ ଜୟ ରାଜଗୁରୁଙ୍କ ବଳିଦାନ ଯୋଗୁ ଏ ଦେଶ, ଏ ଜାତି, ଆମ ମାତୃଭୂମି ମୁକ୍ତ ହୋଇଥିଲା। ଉନବିଂଶ ଶତାଦ୍ଦୀର ପ୍ରାରମ୍ଭରେ ବ୍ରିଟିସ୍‌ର ଅତ୍ୟାଚାରୀ ଶାସକଙ୍କ କବଳରୁ ଦେଶକୁ ସ୍ବାଧୀନ କରିବା ପାଇଁ ସେ ସହିଦ୍‌ ହୋଇଥିଲେ। ଆଜି ଏହି କୃତଜ୍ଞ ଦେଶ ଯେତେବେଳେ ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତିରେ ଅମୃତ ମହୋତ୍ସବ ପାଳନ କରୁଛି, ସେ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ବାନ ଦେଇଥିଲେ ବୀର ଯବାନଙ୍କୁ ଜନ୍ମ ଦେଉଥିବା ବସୁଧାଙ୍କୁ ସମ୍ମାନ ଜଣାଇବା। ‘ମୋ ଦେଶ, ମୋ ମାଟି’ ପାଇଁ ସର୍ବସ୍ବ ତ୍ୟାଗ କରିଥିବା ମହାପୁରୁଷମାନଙ୍କୁ, ସେ ଜୟୀ ରାଜଗୁରୁ ହୁଅନ୍ତୁ କି ଏବେର ସହିଦ୍‌ ଯବାନ, ଏମାନଙ୍କୁ କୃତଜ୍ଞତା ଜଣାଇବା। ଏହି ପରିପ୍ରେକ୍ଷୀରେ ଆଜି ପୁରୀ ସଂସ୍କୃତ ବିଶ୍ବବିଦ୍ୟାଳୟ ସଦାଶିବ ପରିସରରେ ବୃକ୍ଷରୋପଣ ଓ ଜୟୀ ରାଜଗୁରୁଙ୍କ ଜନ୍ମମାଟିରୁ ମାଟି ସଂଗ୍ରହ କରାଯାଇଛି। ଆଗାମୀ ୨/୩ ମାସ ବିଭିନ୍ନ ରାଜ୍ୟର ବୀର ସଂଗ୍ରାମୀଙ୍କ ଜନ୍ମମାଟିରୁ ମାଟି ସଂଗ୍ରହ ହୋଇ ଦିଲ୍ଲୀରେ ଏହାର ସ୍ଥାପନା କରାଯିବ। ନେହେରୁ ଯୁବ କେନ୍ଦ୍ର ନେତୃତ୍ବରେ ଏହି ମାଟି ପୁରୀ ସଦର ବ୍ଲକ୍‌ର ସବୁ ଗାଁକୁ ଯିବ। ଶେଷରେ ଭୁବନେଶ୍ବରରୁ ସାଢ଼େ ୪ କୋଟି ଓଡ଼ିଆଙ୍କ ପ୍ରତିନିଧିମାନେ ଏହି ମାଟିକୁ ନେଇ ଦିଲ୍ଲୀ ଯିବେ ଓ ପ୍ରଧାନମନ୍ତ୍ରୀଙ୍କୁ ଦେବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ପ‌ରେ ଅର୍ଥମନ୍ତ୍ରୀ ଶ୍ରମତୀ ସୀତାରମଣ ରଘୁରାଜପୁର ଯାଇ ସେଠାରେ ପଟ୍ଟଚିତ୍ର ଦେଖିବା ସହ ଶିଳ୍ପୀମାନଙ୍କ ସହ ଆଲୋଚନା କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।