ପୁରୀ,(ସୁମନ୍ତ ପରିଡ଼ା): ଦିନ ଥିଲା, ଅକାତକାତ କାଚକେନ୍ଦୁ ପାଣିରେ ହସି ଉଠୁଥିଲା ଚିରସ୍ରୋତା ଭାର୍ଗବୀ। ନିଜେ ହସିବା ସହ ଜନଜୀବନଙ୍କ ମୁହଁରେ ବି ହସ ଫୁଟାଉଥିଲା। ଚାଷବାସ ପାଇଁ ଅମୃତର ଜଳଧାରା ଯୋଗାଇ ଦେଉଥିଲା। କିନ୍ତୁ ମହାନଦୀରେ ଜଳ ଅଭାବ ଓ ବର୍ଷା ଜଳ ସଂରକ୍ଷଣରେ ପରିଚାଳନାଗତ ତ୍ରୁଟି କାରଣରୁ ଭାଗର୍ବୀ ନଦୀର ଏହି ଅମୃତଧାରା ଆଜି ଶୁଖିଯାଇଛି। ନା ଆଗଭଳି ଜଳପ୍ରବାହ ଦେଖିବାକୁ ମିଳୁଛି, ନା ଚାଷବାସ ହୋଇପାରୁଛି। ନଦୀର ଜଳଧାରା ଯେଉଁଆଡ଼େ ପ୍ରବାହିତ ହେଉଛି, ସବୁଆଡ଼େ କେବଳ ବାଲି, ପଙ୍କ ପଡ଼ିଆ ହିଁ ଦୃଶ୍ୟମାନ ହେଉଛି। ଭାର୍ଗବୀର ଏଭଳି ଦୃଶ୍ୟ କେବଳ ପରିବେଶବିତ୍ଙ୍କ ଉଦ୍ବେଗ୍ର କାରଣ ହୋଇନି, ନଦୀକୂଳିଆ ଅଞ୍ଚଳବାସୀଙ୍କୁ ବି ଚିନ୍ତାରେ ପକାଇଲାଣି। ଏଭଳି ସ୍ଥିତି ଲାଗି ରହିଲେ, ଆଗକୁ ଯେ ସ୍ଥିତି ଭୟଙ୍କର ହେବ, ଏଥିରେ ଦ୍ବିମତ ନାହିଁ।
ମହାନଦୀର ପ୍ରମୁଖ ଶାଖା ନଦୀ ଭିତରେ ଭାର୍ଗବୀ ଅନ୍ୟତମ। ମହାନଦୀର ଜଳରାଶି କୂଆଖାଇ ନଦୀ ଦେଇ ଭାର୍ଗବୀରେ ମିଶିବା ପରେ ଦୟା, ଲୁଣା ନଦୀ ଦେଇ ଚିଲିକାରେ ମିଶୁଛି। ଭାର୍ଗବୀର ଆଡ଼ିବନ୍ଧ ବା ସେତୁ ବନ୍ଧ ବାମପାର୍ଶ୍ବରେ ୪୮ କିଲୋମିଟର ଓ ଡାହାଣପାର୍ଶ୍ବରେ ୮୮.୩ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି। ଭାର୍ଗବୀରୁ ଦୟା, ଲୁଣା, ରତ୍ନଚିରା, କାଞ୍ଚି ଭଳି ଅନେକ ଶାଖା ନଦୀ ଜନ୍ମ ନେଇଛନ୍ତି, ଯେଉଁମାନେ ଭାର୍ଗବୀର ଜଳକୁ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ଲାବିତ କରି ଚାଷବାସକୁ ଜୀବନ ଦେଇ ଆସୁଥିଲେ। କିନ୍ତୁ ଭାର୍ଗବୀ ନଦୀ ଶୁଖିଯିବା ପରେ ଆଉ ଶାଖା ନଦୀରେ ଜଳପ୍ରବାହିତ ହେଉନି। କେବଳ ବର୍ଷାଦିନକୁ ଛାଡ଼ିଦେଲେ ଅନ୍ୟଦିନରେ ଭାର୍ଗବୀ ଓ ଏହାର ଶାଖା ନଦୀ ଶୁଖିଲା ପଡ଼ୁଛି। ଚନ୍ଦନପୁର ଓ ଆଖପାଖ ଅଞ୍ଚଳରେ ଏହା ଜଳଜଳ ଦିଶୁଛି।
ଭାର୍ଗବୀର ଅନେକ ପୌରାଣିକ କଥାବସ୍ତୁ ବି ରହିଛି। ଅତୀତରେ ଚନ୍ଦନପୁରର ନାଁ ଥିଲା କମଳପୁର। ଶ୍ରୀଚୈତନ୍ୟ ୧୫୧୦ ଖ୍ରୀଷ୍ଟାବ୍ଦରେ ଶ୍ରୀକ୍ଷେତ୍ର ଆଗମନ ସମୟରେ ଚନ୍ଦନପୁରକୁ କମଳପୁର ନାମରେ ସମ୍ବୋଧନ କରାଯାଉଥଲା। ଗଜପତି ପ୍ରତାପରୁଦ୍ର ଦେବଙ୍କ ରାଜତ୍ବ ସମୟରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଚନ୍ଦନପୁର ସଂଲଗ୍ନ ଜଳକବର ଗ୍ରାମକୁ ଆସି ସେଠାରେ ଥିବା ଏମାର ମଠ ପୁଷ୍କରିଣୀରେ ଜଳକ୍ରୀଡ଼ା କରୁଥିଲେ। ସେଥିପାଇଁ ଗଜପତି ପ୍ରତାପରୁଦ୍ର ଦେବ ଚନ୍ଦନପୁରରେ ଏକ ରାଜନଅର ପ୍ରତିଷ୍ଠା କରି ୨୦ ଦିନ ପର୍ଯ୍ୟନ୍ତ ସେଠାରେ ଅବସ୍ଥାନ କରୁଥିଲେ।
ଜଳସେଚନ ବିଭାଗ ତଥ୍ୟ ଅନୁସାରେ, ଶେଷଥର ୨୦୧୧ ମସିହାରେ ଭାର୍ଗବୀର ଜଳସ୍ତର ସର୍ବାଧିକ ୭.୭୧ ମିଟର ଉଚ୍ଚରେ ପ୍ରବାହିତ ହୋଇଥିଲା। ଏହା ପରଠାରୁ କେବେ ବି ଏହି ଉଚ୍ଚତା ଛୁଇଁନି ଭାର୍ଗବୀ। ଇତିମଧ୍ୟରେ ୧୨ ବର୍ଷ ଅତିକ୍ରାନ୍ତ କରିବାକୁ ବସିଲାଣି। କେବଳ ବନ୍ୟା ସମୟରେ ଜଳସ୍ତର ଅତିବେଶିରେ ୫ରୁ ୬ ମିଟର ଭିତରେ ରହୁଛି, କିନ୍ତୁ କେବେ ୨୦୧୧ ମସିହାର ରେକର୍ଡ଼ ଭାଙ୍ଗି ପାରିନି। ବିଶେଷଜ୍ଞମାନଙ୍କ ମତରେ, ଭାର୍ଗବୀ କ୍ରମେ ପୋତିହେବାରେ ଲାଗିଛି। ଏହାର ଜଳଧାରଣ କ୍ଷମତା ବି ଦିନକୁ ଦିନ କମିବାରେ ଲାଗିଛି। ବହୁ ଦିନ ହେବ ଏହାର ଖନନ ହୋଇନି କି ଜଳଧାରଣ କ୍ଷମତା ବଢ଼ାଇବା କଥା ଚିନ୍ତା କରାଯାଉନି। ଯଦ୍ବାରା କେବଳ ଭାର୍ଗବୀ ନୁହେଁ, ଏହାର ଶାଖା ନଦୀ ବି ପ୍ରଭାବିତ ହେବାରେ ଲାଗିଛି। ଫଳସ୍ବରୂପ ଯେଉଁ ଜଳ ମହାନଦୀରୁ ଭାର୍ଗବୀ ଦେଇ ଆସୁଛି, ତାହା ବିଭିନ୍ନ ନଦୀନାଳ ଦେଇ ସିଧାସଳଖ ଚିଲିକାକୁ ଚାଲିଯାଉଛି। ବାଲିହରଚଣ୍ଡୀ ଓ ଆଖପାଖ ଅଞ୍ଚଳରେ ଏହା ଚିଲିକାରେ ମିଶୁଛି। ଲୁଣି ଜଳ ମିଶିବା ଫଳରେ ମଧୁର ଜଳର ଅସ୍ତିତ୍ବ ରହୁନି। ରାଜ୍ୟ ସରକାର ଯଦି ନଦୀ ଓ ନାଳର ଖନନ ଦିଗ ପ୍ରତି ଦୃଷ୍ଟି ଦେଇ ବର୍ଷାଜଳକୁ ସଂରକ୍ଷଣ ରଖିବାର ବ୍ୟବସ୍ଥା କରନ୍ତେ, ତେବେ ଭାର୍ଗବୀ ସହ ଏହାର ଶାଖା ନଦୀନାଳ ବର୍ଷତମାମ ଜଳ ପ୍ରବାହିତ ହୁଅନ୍ତା। କିନ୍ତୁ ସେଭଳି କିଛି ଚିନ୍ତା କରାଯାଉନି। ଫଳସ୍ବରୂପ କେବଳ ନଦୀନାଳ ଶୁଖିଲା ପଡ଼ୁନି, ଭୂତଳ ଜଳସ୍ତର ବି ଅସମ୍ଭବ ଭାବ ଖସିବାରେ ଲାଗିଛି। ନଦୀନାଳ ଶୁଖିଲା ପଡ଼ୁଥିବାରୁ ଲୋକେ ଭୂତଳ ଜଳର ବହୁଳ ବ୍ୟବହାର କରୁଛନ୍ତି। ଏଣୁ ଏ ଦିଗରେ ଚିନ୍ତା ନ କଲେ ଆଗାମୀ ଦିନରେ ଯେ ଜଳସଂକଟ ଦେଖାଦେବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।