ପ୍ରୋଭିଡେନ୍ସ, ୧୪/୦୧: ଶୁକ୍ରବାରଠୁ ୱେଷ୍ଟଇଣ୍ଡିଜ୍ରେ ଆରମ୍ଭ ହେବ ୧୯ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପ୍ । ଏଥିରେ ୧୬ଟି ଦଳ ୪ଟି ଗ୍ରୁପ୍ରେ ରାଉଣ୍ଡ ରବିନ ଏବଂ ନକ୍ଆଉଟ୍ ପର୍ଯ୍ୟାୟରେ ବିଶ୍ୱକପ୍ ଟ୍ରଫି ପାଇଁ ଲଢ଼େଇ କରିବେ । ୱେଷ୍ଟଇଣ୍ଡିଜର ୪ଟି ଭେନ୍ୟୁ ଯଥା ଆଣ୍ଟିଗୁଆ, ଗୁଏନା, ସେଣ୍ଟ କିଟ୍ସ ଓ ତ୍ରିନିଦାଦ ଏବଂ ନର୍ଥ ସାଉଣ୍ଡରେ ମ୍ୟାଚ୍ ଗୁଡ଼ିକ ଖେଳାଯିବ । ମୋଟ ୪୮ଟି ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ଫେବ୍ରୁଆରୀ ୫ତାରିଖ ଫାଇନାଲ୍ ମୁକାବିଲା ଅନୁଷ୍ଠିତ ହେବ ।
ଶୁକ୍ରବାରଠୁ ଘରୋଇ ୱେଷ୍ଟଇଣ୍ଡିଜ୍ ଓ ଅଷ୍ଟ୍ରେଲିଆ (ଗ୍ରୁପ୍-ଡି) ମଧ୍ୟରେ ଉଦ୍ଘାଟନୀ ମ୍ୟାଚ୍ ଖେଳାଯିବ । ଚାରିଥର ଚାମ୍ପିଅନ୍ ଭାରତ ଆସନ୍ତା ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟାଇଟଲ ଅଭିଯାନ ଆରମ୍ଭ କରିବ ।
ଭାରତୀୟ ଦଳକୁ ଅନ୍ୟତମ ଟାଇଟଲ ଦାବିଦାର ରୂପେ ଗଣନା କରାଯାଉଛି । ଦଳ ପାଇଁ ସୁପର ଲିଗ୍ରେ ପହଞ୍ଚିବା ସେତେଟା କଷ୍ଟକର ହେବନି । ଗ୍ରୁପ୍-ବି’ରେ ଦଳ ଦକ୍ଷିଣ ଆଫ୍ରିକା, ଆୟର୍ଲାଣ୍ଡ ଓ ଉଗାଣ୍ଡା ସହ ସ୍ଥାନ ପାଇଛି । ଏହି ଗ୍ରୁପ୍ରେ ଦକ୍ଷିଣ ଆଫ୍ରିକା ଅନ୍ୟତମ ଟାଣୁଆ ଦଳ । ପ୍ରଥମ ମ୍ୟାଚ୍ ଜିତିଲେ ଭାରତ ସୁପର ଲିଗ୍ରେ ପହଞ୍ଚି ପାରିବ । ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଦୁର୍ବଳ ଆୟର୍ଲାଣ୍ଡ (୧୯ତାରିଖ) ଓ ସ୍କଟଲାଣ୍ଡ (୨୨ତାରିଖ) ବିପକ୍ଷରେ ଖେଳିବ । ଦିଲ୍ଲୀର ପ୍ରତିଭାବାନ ବ୍ୟାଟ୍ସମ୍ୟାନ୍ ୟଶ୍ ଧୁଲ ଦଳର ନେତୃତ୍ୱ ନେବେ ।
୧୯ବର୍ଷରୁ କମ୍ ବିଶ୍ୱକପ୍ରେ ଭାରତ ୨୦୦୦ମସିହାରେ ପ୍ରଥମ ଥର ଚାମ୍ପିଅନ୍ ହୋଇଥିଲା । ଏହାପରେ ଦଳ ୨୦୦୮, ୨୦୧୨ ଏବଂ ୨୦୧୮ରେ ଟାଇଟଲ ହାତେଇବାରେ ସଫଳ ହୋଇଥିଲା । ଅଷ୍ଟ୍ରେଲିଆ ତିନିଥର (୧୯୮୮, ୨୦୦୨, ୨୦୧୦) ଚାମ୍ପିଅନ୍ ହୋଇଥିବାବେଳେ ପାକିସ୍ତାନ ଦୁଇଥର (୨୦୦୪, ୨୦୦୬) ଏବଂ ବାଂଲାଦେଶ (୨୦୨୦), ଦକ୍ଷିଣ ଆଫ୍ରିକା (୨୦୧୪), ୱେଷ୍ଟଇଣ୍ଡିଜ୍ (୨୦୧୬) ଏବଂ ଇଂଲଣ୍ଡ (୧୯୯୬) ଥରେ ଲେଖାଏଁ ଚାମ୍ପିଅନ୍ ହେବାର ଗୌରବ ଲାଭ କରିଛନ୍ତି ।
ଭାରତୀୟ ଦଳ: ୟଶ୍ ଧୁଲ (ଅଧିନାୟକ), ହାରନୁର ସିଂହ, ଅଙ୍ଗ୍କ୍ରିସ୍ ରଘୁବଂଶି, ଏସ୍କେ ରସିଦ (ଉପଅଧିନାୟକ), ନିଶାନ୍ତ ସିନ୍ଧୁ, ସିଦ୍ଧାର୍ଥ ଯାଦବ, ଅନୀଶ୍ୱର ଗୌତମ, ଦିନେଶ ବାନା, ଆରାଧ୍ୟା ଯାଦବ, ରାଜ ଅଙ୍ଗଦ ବାୱା, ମାନବ ପରଖ, କୁଶାଲ ତାମ୍ବେ, ଆର୍ଏସ୍ ହାଙ୍ଗରେଗକର, ବାସୁ ବତ୍ସ, ଭିକି ଓସ୍ତ୍ୱାଲ, ରବିକୁମାର, ଗର୍ବ ସାଙ୍ଗୱାନ୍ ।