ରାଜ୍ୟ

ଶିଶୁଙ୍କୁ ବିସ୍ଥାପନ ବିପଦ: ଥଇଥାନ କଲୋନିରେ ଅଙ୍ଗନବାଡ଼ି କେନ୍ଦ୍ର, ସ୍କୁଲ ନାହିଁ

ଭୁବନେଶ୍ବର: ପୋଷଣଯୁକ୍ତ ଖାଦ୍ୟରୁ ବଞ୍ଚିତ ହୋଇ ବିପଜ୍ଜନକ ସ୍ଥିତିରେ ବଲାଙ୍ଗୀର ଝାଙ୍କରପାଲି ଥଇଥାନ କଲୋନିର ଟିଣ ଘରେ ଅଛନ୍ତି ଅଢେଇ ବର୍ଷର ଶିଶୁ ଆଶିଷ ପ୍ରଧାନ। କେବଳ ଏକା ଆଶିଷ ନୁହଁନ୍ତି, ଏହି କଲୋନିରେ ରହୁଥିବା ୫ ବର୍ଷ ପର୍ଯ୍ୟନ୍ତ ସବୁ ବୁ ଶିଶୁଙ୍କ ସ୍ଥିତି ସମାନ। ଅନ୍ୟପଟରେ ୫ରୁ ୧୮ ବର୍ଷର ପିଲାଙ୍କର ଗୋଟିଏ ଶିକ୍ଷା ବର୍ଷ ଏବେ ନଷ୍ଟ ହେବାକୁ ବସିଛି। ଏହାକୁ ନେଇ ଉଭୟ ବିଦ୍ୟାର୍ଥୀ ଏବଂ ଅଭିଭାବକ ଚିନ୍ତାରେ। ବହୁ ଚର୍ଚ୍ଚିତ ଲୋୟର ସୁକତେଲ ପ୍ରକଳ୍ପ କେବଳ ବିସ୍ଥାପନ ଏବେ ଏମିତି ନୂଆ ଢଙ୍ଗରେ ଦୁଃଖ ଆଣିଆସିଛି। ଶିଶୁଙ୍କୁ ସେମାନଙ୍କ ସର୍ବନିମ୍ନ ଅଧିକାରରୁ ବଞ୍ଚିତ କରିଛି। ଏଯାଏ ଏହି ପ୍ରସଙ୍ଗଟି ସ୍ଥାନୀୟ ଜିଲ୍ଲା ପ୍ରଶାସନକୁ ଛୁଇଁନି କି ସାଧାରଣସେବୀଙ୍କୁ। ମାନବାଧିକାର କମିସନଙ୍କ ପର୍ଯ୍ୟନ୍ତ ପହଞ୍ଚିବା ତ ଦୂରୁହ ବ୍ୟାପାର। ଝାଙ୍କରପାଲି ଥଇଥାନ କଲୋନିରେ ରହୁଥିବା ସୁବଳୟା ଅଢେଇ ବର୍ଷର ଶିଶୁ ପୁତ୍ରକୁ ଧରି ଟିଣ କାନ୍ଥ ଏବଂ ଟିଣ ଛାତ ମଧ୍ୟରେ ରହିବାକୁ ସୁରକ୍ଷିତ ଅନୁଭବ କରୁ ନାହାନ୍ତି। ବର୍ଷାରେ ପାଣି ଗଳୁଛି। ଖରା ଦିନରେ ଏତେ ଗରମ ହେଉଛି ଯେ ଗୋଟିଏ ମୁହୂର୍ତ୍ତ ମଧ୍ୟ ରହି ହେଉ ନାହିଁ। ନିଜେ କଲବଲ ହେଉଛି। ଅନବରତ କାନ୍ଦି ଚାଲିଥିବା ପୁଅକୁ କଣ କହି ବୁଝାଇବେ ବୋଲି କହନ୍ତି ସୁବଳୟା। ଭୋକରେ ଛଟପଟ ପିଲା ପାଇଁ ଛତୁଆ ବେଶ ସହାୟକ ହୋଇଥାଆନ୍ତା। ମାତ୍ର ୩ ମାସରୁ ଉର୍ଧ୍ବ ସମୟ ହେଲା ତାହା ବି ମିଳୁ ନାହିଁ।

ପୋଷଣଯୁକ୍ତ ଖାଦ୍ୟରୁ ବଞ୍ଚିତ, ଗୋଟିଏ ଶିକ୍ଷା ବର୍ଷ ନଷ୍ଟ ଆଶଙ୍କା
ପିଉସୀ, ମାଉସୀ, ମାମୁ ଘର ଭରସା

ଲୋୟର ସୁକତେଲ ପ୍ରକଳ୍ପର ସବୁ ବିସ୍ଥାପିତ ଶିଶୁଙ୍କ ଏହିଭଳି କଷ୍ଟ ଭୋଗୁଛନ୍ତି। ପ୍ରକଳ୍ପକୁ ଆସିବା ଆଗରୁ ଅର୍ଥାତ୍ ୨ ମାସ ପୂର୍ବରୁ ଛତୁଆ, ଅଣ୍ଡା ବନ୍ଦ କରି ଦିଆଯାଇଥିଲା। ଏବେ ଥଇଥାନ କଲୋନି ଆସିବା ପରେ ଯେତେବେଳେ ଖାଇବା ସମସ୍ୟା ଉତ୍କଟ ହେଲାଣି, ସେବେ ମଧ୍ୟ ଏହା ଆରମ୍ଭ ହୋଇ ପାରି ନାହିଁ। କେବେ ଆରମ୍ଭ ହେବ ତାକୁ ନେଇ ଅନିଶ୍ଚିତତା ରହିଛି। ଏହି କଲୋନିର ଦୁର୍ବାଦଳ ବାଗଙ୍କୁ ଭିଟାମାଟି ସହିତ ସ୍ତ୍ରୀ ଏବଂ ୬ ବର୍ଷର ଝିଅ ଠାରୁ ଦୂରରେ ରହିବା ମଧ୍ୟ ବାଧିଲାଣି। କିନ୍ତୁ ଝିଅର ଗୋଟିଏ ଶିକ୍ଷା ବର୍ଷ ନଷ୍ଟ ନ ହେଉ ଏଥିପାଇଁ ତାକୁ ସରଗାଡ଼ ସ୍ଥିତ ମାମୁଁ ଘରକୁ ପଠାଇ ଦେଇଛନ୍ତି। ଏତେ କୁନି ଝିଅ ଏକୁଟିଆ ନିଜ ଯତ୍ନ ନେଇ ପାରିବ ନାହିଁ ଏଥିପାଇଁ ସ୍ତ୍ରୀ ବବିତା ମଧ୍ୟ ଏକ ମାସ ହେଲା ସେଠାରେ ରହୁଛନ୍ତି। ଦୁର୍ବାଦଳ କହନ୍ତି, ଲୋୟର ସୁକତେଲ ପ୍ରକଳ୍ପରେ ଜିଏସ୍‌ ‌ଡୁଙ୍ଗୁରିପାଲି ଜଳମଗ୍ନ ହେବା ପରେ ସେମାନେ ବାଧ୍ୟ ହୋଇ ସରକାରୀ ନିର୍ଦେଶରେ ଝାଙ୍କରପାଲି ଥଇଥାନ କଲୋନି ଆସିଥିଲେ। ମାତ୍ର ଏଠାରେ ପିଲାଙ୍କ ପାଠପଢାର କୌଣସି ବ୍ୟବସ୍ଥା ନାହିଁ। ୬ କିଲୋମିଟର ଦୂରରେ ଯେଉଁ ସ୍କୁଲ ଅଛି ସେଠାରେ ଏତେ କୁନି ଛୁଆକୁ ପଢାଇବା ସମ୍ଭବ ନୁହେଁ।

ସମାନ କାରଣରୁ ଲୋୟର ସୁକତେଲ ଜଳମଗ୍ନ ବଲାଙ୍ଗୀର ଜିଲ୍ଲା ଜିଏସ୍‌ ଡୁଙ୍ଗୁରିପାଲି ଏବଂ ବନଛୋରପାଲିର ଅଧିକାଂଶ ଶିଶୁ ବର୍ତ୍ତମାନ ପାଠପଢା ପାଇଁ ପିଉସୀ, ମାଉସୀ ଏବଂ ମାମୁଁ ଘର ଉପରେ ନିର୍ଭରଶୀଳ। ବନଛୋରପାଲିର ପଞ୍ଚମ ଶ୍ରେଣୀ ଛାତ୍ରୀ ଶ୍ରୀୟା ବନଛୋର ବର୍ତ୍ତମାନ ଜାମୁଟବାହାଲ ସ୍ଥିତ ତାଙ୍କ ପିଉସୀ, ମାଟ୍ରିକ୍‌ ଛାତ୍ର ଭାଇ ଶିବମ ସରଗାଡ଼ ସ୍ଥିତ ମାମୁଁ ଘରେ ଏବଂ ସପ୍ତମ ଶ୍ରେଣୀ ଛାତ୍ରୀ ଭଉଣୀ ସିଲି ପୁଟୁଗୁଡ଼ା ସ୍ଥିତ ନିଜ ମାଉସୀ ଘରେ ରହି ପଢୁଛନ୍ତି। କିଛି ଶିଶୁ ସମ୍ପର୍କୀୟଙ୍କ ଘରେ ଅଝଟ କରୁଥିବାରୁ ମା’ମାନେ ତାଙ୍କ ଟିସି ଆଣିବା ନେଇ ମଧ୍ୟ ଚିନ୍ତା କରିବା ଆରମ୍ଭ କରିଥିବା କହିଛନ୍ତି। ବିସ୍ଥାପନ ଯୋଗୁଁ ସାଗର ବିଶ୍ବାଳ ତାଙ୍କ ଗୋଟିଏ ବର୍ଷ ହରାଇବେ ବୋଲି କହିଛନ୍ତି।

ବେଣୁଧର ବିଶ୍ବାଳ ଆଇଟିଆଇ ପରେ ଯୁକ୍ତ ଦୁଇ ପଢିବା ପାଇଁ ସୁଯୋଗ ପାଇ ମଧ୍ୟ ନାମ ଲେଖାଇ ପାରି ନାହାନ୍ତି। ଅଧିକାଂଶ ଅଭିଭାବକଙ୍କ କହିବା ଅନୁସାରେ, ଚଳିତ ଶିକ୍ଷା ବର୍ଷ ଆରମ୍ଭରୁ ହିଁ ସେମାନଙ୍କୁ ବିଭିନ୍ନ ଆଳ ଦେଖାଇ ପିଲାଙ୍କୁ ଟିସି ନେଇ ଅନ୍ୟ ସ୍କୁଲରେ ପଢାଇବା ପାଇଁ କୁହାଯାଇଥିଲା। ଏଥିପାଇଁ ପିଲା ଢେର୍ ଦୁର୍ଦଶା ସମ୍ମୁଖୀନ ହୋଇଛନ୍ତି। ମାଟ୍ରିକ ବିଦ୍ୟାର୍ଥୀଙ୍କ ପାଠ ସର୍ବାଧିକ ବାଧାପ୍ରାପ୍ତ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଶିକ୍ଷା ଅଧିକାର ନେଇ କାର୍ଯ୍ୟ କରୁଥିବା କିଛି ସାମାଜିକ କର୍ମକର୍ତ୍ତା ଏହାକୁ ନେଇ ମାନବାଧିକାର କମିସନଙ୍କ ନିକଟରେ ଦ୍ବାରସ୍ଥ ହେବା ପାଇଁ ପ୍ରସ୍ତୁତ ହେଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।