ଯାଜପୁର : ଯାଜପୁର ଜିଲ୍ଲାରେ ଶିଳ୍ପସଂସ୍ଥାଗୁଡ଼ିକ ଭୂତଳ ଜଳ ଶୋଷି ଚାଲିଥିବା ବେଳେ ଲୋକେ ପାନୀୟ ଜଳ ନପାଇ ଡହଳବିକଳ ହେଉଛନ୍ତି। କେତେକ ସଂସ୍ଥା ବିନା ଅନୁମତିରେ ଭୂତଳ ଜଳ ବ୍ୟବହାର କରୁଛନ୍ତି। ଅନ୍ୟ କେତେକ ନାମକୁ ମାତ୍ର ଅନୁମତି ନେଇ ଶହେ ଗୁଣ ଅଧିକ ବ୍ୟବହାର କରୁଛନ୍ତି। ପାନୀୟଜଳ ପାଇଁ ଜିଲ୍ଲାରେ ବିଭିନ୍ନ ସମୟରେ ଆନ୍ଦୋଳନ ମୁଣ୍ଡ ଟେକୁଛି।
ଜିଲ୍ଲାରେ କାଳିଆପାଣି କ୍ରୋମ ଉପତ୍ୟକାର ୧୦ଖଣି, ୱାସିଂପ୍ଲାଣ୍ଟ, ଧର୍ମଶାଳା ଓ ବଡ଼ଚଣାର ଶହ ଶହ କ୍ରସର, କଳିଙ୍ଗନଗର ୧୩ଟି ଇସ୍ପାତ କାରଖାନା, ଜିଲ୍ଲାର ୫ଟି ସିମେଣ୍ଟ କାରଖାନା, ଏକାଧିକ ରାଇସ୍ ମିଲ୍, ପିଚୁପ୍ଲାଣ୍ଟ, ପାଣିପ୍ୟାକିଂ ପ୍ଲାଣ୍ଟ ସମେତ ଅନେକ ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ ରହିଛି। ଏହି ସଂସ୍ଥାଗୁଡ଼ିକ ଦୈନିକ ଗ୍ୟାଲନ ଗ୍ୟାଲନ ଭୂତଳ ଜଳ ବ୍ୟବହାର କରୁଛନ୍ତି। ଅନେକ ସଂସ୍ଥା ଜଳକର ପୈଠ କରିବା ଦୂରର କଥା ଅନୁମତି ମଧ୍ୟ ନେଇନାହାନ୍ତି। ସରକାରୀ ତଥ୍ୟ ମୁତାବକ ଜିଲ୍ଲାର ୧୮ଟି ସଂସ୍ଥା ନାମକୁ ମାତ୍ର ପାଣି ବିଲ୍ ପୈଠ କରୁଛନ୍ତି। ଅବଶିଷ୍ଟ ୨୮ସଂସ୍ଥା ଉପରେ ୭୦କୋଟି ୫୧ଲକ୍ଷ ୩୫ହଜାର ଟଙ୍କା ବାକି ରହିଛି। ଇଡ୍କୋ ଉପରେ ସର୍ବାଧିକ ୪୩କୋଟି ୩୭ଲକ୍ଷ ୮୦ହଜାର ଟଙ୍କାର ଜଳକର ବାକି ରହିଛି। ସେହିପରି ବାଲେଶ୍ବର ଆଲଏଜ ଖଣି ଉପରେ ୩କୋଟି ୭୫ଲକ୍ଷ ୨୯ହଜାର ଟଙ୍କା, ମିଶ୍ରିଲାଲ୍ ଫେରୋ ଆଲଏଜ ପ୍ଲାଣ୍ଟ ଉପରେ ୩କୋଟି ୪୧ଲକ୍ଷ ୬୫ହଜାର ଟଙ୍କା, ନୀଳଚଳ ଇସ୍ପାତ୍ ଉପରେ ୬କୋଟି ୧୦ଲକ୍ଷ ୮୨ହଜାର ଟଙ୍କା, ବନ୍ଦ ହୋଇଯାଇଥିବା କୋଣାର୍କ ଝୋଟକଳ ଉପରେ ୨କୋଟି ୧୯ଲକ୍ଷ ୯୬ହଜାର ଟଙ୍କା ବାକି ରହିଥିବା ସରକାରୀ ତଥ୍ୟ କହୁଛି। ବଡ଼ଚଣାର ଇଷ୍ଟର୍ଣ୍ଣ ଫୁଡ୍ସ ରାଇସ୍ ମିଲ୍ ଉପରେ ୨କୋଟି ୫୮ଲକ୍ଷ ୭୯ହଜାର ଟଙ୍କା, ଚଣ୍ଡିଖୋଲସ୍ଥିତ ମିଡିଷ୍ଟ ହୋଟେଲ ଉପରେ ୧କୋଟି ୨୩ଲକ୍ଷ ୭୦ହଜାର ଟଙ୍କା ଓ ଏକାଧିକ କ୍ରୋମମାଇଟ୍ ଖଣି, ଶିଳ୍ପାନୁଷ୍ଠାନ ଉପରେ କୋଟି କୋଟି ଟଙ୍କା ପାଣି ବିଲ୍ ବାକି ପଡିଛି।
ଜିଲ୍ଲାରେ ବ୍ରାହ୍ମଣୀ, ବୈତରଣୀ ଓ ମହାନଦୀର ଶାଖାଗୁଡ଼ିକ ଜାଲ ଭଳି ଘେରି ରହିଥିବା ବେଳେ ନଦୀଜଳର ସଦ୍ବିନିଯୋଗ ନକରି ଶିଳ୍ପାନୁଷ୍ଠାନ ଓ ବିଭିନ୍ନ ସଂସ୍ଥା ଚୋରାରେ ବୋରିଂ ଖୋଳି ଭୂତଳ ଜଳ ଅପବ୍ୟୟ କରିଚାଲିଛନ୍ତି। ଭୂତଳ ଜଳସ୍ତର ହ୍ରାସ କାରଣରୁ ଅନେକ ଅଞ୍ଚଳରେ ପାନୀୟ ଜଳ ପ୍ରକଳ୍ପ ଅଚଳ ହେବାକୁ ବସିଲାଣି। ଏହି ସମସ୍ୟାକୁ ଗୁରୁତର ଭାବେ ଗ୍ରହଣ କରି ଭୂତଳ ଜଳ ବ୍ୟବହାର ଉପରେ କଟକଣାକୁ କଡ଼ାକଡ଼ି କରିବାକୁ ଦାବି ହେଉଛି।