ରାଜ୍ୟ

ଶିଳ୍ପାଞ୍ଚଳରେ ଅପହଞ୍ଚ ଇଲାକାର ଚିତ୍ର ! ଖାଲଖମା ଭର୍ତ୍ତି ରାସ୍ତା, ଜଳୁନି ଷ୍ଟ୍ରିଟ୍‌ ଲାଇଟ୍‌

ଭୁବନେଶ୍ବର: ରାଜଧାନୀର ଦୁଇ ପୁରୁଣା ତଥା ପ୍ରମୁଖ ଶିଳ୍ପାଞ୍ଚଳ ମଞ୍ଚେଶ୍ବର ଓ ରସୁଲଗଡ଼ ପ୍ରତି ସରକାର ବିମୁଖ। ରାଜ୍ୟରେ ଶିଳ୍ପର ବିକାଶ କରାଯାଉଛି ବୋଲି ସରକାର ଡିଣ୍ଡିମ ପିଟୁଥିବା ବେଳେ ଏ ଦୁଇ ଅଞ୍ଚଳ ପ୍ରତି ସତେଯେମିତି ଆଖି ବୁଜି ଦେଇଛନ୍ତି। ଅଞ୍ଚଳର ବିଷମ ସ୍ଥିତି ପାଇଁ ସାଧାରଣରେ ଏପରି ଅଭିଯୋଗ ଉଠୁଛି। ଏ ଦୁଇ ଶିଳ୍ପାଞ୍ଚଳରେ ମୌଳିକ ସୁବିଧା ଭୁଶୁଡ଼ି ପଡ଼ିଛି। ବର୍ଷ ବର୍ଷ ଧରି ରାସ୍ତା ଖାଲଖମାରେ ଭର୍ତ୍ତି। ଏହାର ମରାମତି କି ନିୟମିତ ରକ୍ଷଣାବେକ୍ଷଣା କରାଯାଉନାହିଁ। ଅଧାରୁ ଅଧିକ ସ୍ଥାନରେ ରାତିରେ ଲାଇଟ୍‌ ମଧ୍ୟ ଜଳୁନି।

ବର୍ଷବର୍ଷ ଧରି ହେଉନି ମରାମତି
ଇଡ୍‌କୋ ଚାହୁଁନି, ସରକାର ବି ଆଖି ବୁଜି ଦେଇଛନ୍ତି
କାହାକୁ ଗୁହାରି କରିବେ ବ୍ୟବସାୟୀ?

ପିଇବା ପାଣି କେତେବେଳେ ଅହରହ ଆସୁଛି ତ ବେଳେବେଳେ ଆଦୌ ଆସୁନି। ଏଭଳି ସାଂଘାତିକ ସମସ୍ୟାରେ ଘାଣ୍ଟି ହେଉଛନ୍ତି ଶିଳ୍ପାଞ୍ଚଳରେ ବ୍ୟାବସାୟିକ ପ୍ରତିଷ୍ଠାନ ଛିଡ଼ା କରିଥିବା ହଜାର ହଜାର ବ୍ୟବସାୟୀ। ଇଡ୍‌କୋଠାରୁ ଜାଗା ନେଇଥିବାରୁ କେହି ମୁହଁ ଖୋଲି ଅଭିଯୋଗ କରିପାରୁନାହାନ୍ତି, ହେଲେ ଭିତରେ ଅସ‌ନ୍ତୋଷର ନିଆଁ କୁହୁଳୁଛି।

ସୂଚନା ଅନୁସାରେ, ପ୍ରାୟ ୭ ଶହ ଏକର ଜାଗାରେ ଛିଡ଼ା ହୋଇଥିବା ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ପ୍ରାୟ ୮ଶହରୁ ଊର୍ଦ୍ଧ୍ବ ଶିଳ୍ପ ସଂସ୍ଥା କାର୍ଯ୍ୟକ୍ଷମ ଅଛି। ତା’ ସାଙ୍ଗକୁ ବିଭିନ୍ନ ସରକାରୀ ଅଫିସ୍‌ ଓ ଗୋଦାମ ମଧ୍ୟ ରହିଛି। ହେଲେ ରସୁଲଗଡ଼ରୁ ଏସ୍‌.କେ ଛକ ରାସ୍ତା ହେଉ କି ରସୁଲଗଡ଼ରୁ ମଞ୍ଚେଶ୍ବର ରେଳ ଷ୍ଟେସନ୍‌ ରାସ୍ତା; କୌଣସି ଗୋଟିଏ ରାସ୍ତାର ଅବସ୍ଥା ଭଲ ନାହିଁ। ସବୁ ରାସ୍ତାରୁ ପିଚୁ ଉଠିଯାଇଛି। ଠାଏଠାଏ ଏମିତି ଖାଲ ସବୁ ହେଇଛି, ଅଦିନିଆ ଲୋକ ସେଥିରେ ପଡ଼ି ଜୀବନ ଯିବା ନିଶ୍ଚିତ। ସେହିଭଳି ଶିଳ୍ପାଞ୍ଚଳକୁ ସଂଯୋଗୀକରଣ କରୁଥିବା ରାସ୍ତା କଥା ନ କହିବା ଭଲ। ଏଆର୍‌ଏସ୍‌ଏସ୍‌ ପାଖରୁ ଗାଲାକ୍ସି ଅଫିସ୍‌-ଜ୍ୟୋତି ମୋଟର୍ସ ରାସ୍ତାରେ ଆଣ୍ଠୁଏ ଉଚ୍ଚର ଖାଲ। ବର୍ଷା ହେଲେ ଏଠି ବାଇକ୍‌ ଅଧା ପର୍ଯ୍ୟନ୍ତ ବୁଡ଼ି ଯାଉଛି। ଦୀର୍ଘ ଦିନ ଧରି ଏ ସମସ୍ୟା ଲାଗି ରହିଥିଲେ ହେଁ ଇଡ୍‌କୋ ଏଥିପ୍ରତି ନଜର୍‌ ଦେଉନି କି ସରକାର ବି ଏହାକୁ ତଦାରଖ କରୁନାହାନ୍ତି। ଫଳରେ ଶିଳ୍ପାଞ୍ଚଳ ରାସ୍ତା କୌଣସି ଅପହଞ୍ଚ ଇଲାକାଠାରୁ ଆହୁରି କଦର୍ଯ୍ୟ ହୋଇପଡ଼ିଛି।

ଆଲୋକୀକରଣ ବ୍ୟବସ୍ଥା ବି ତଦ୍ରୂପ। ସଞ୍ଜ ବୁଡ଼ିଲେ ଅଧା ଅଞ୍ଚଳ ଅନ୍ଧାର। କାଁଭାଁ କେଉଁଠି ଆଲୁଅ ଜଳୁଛି। ଷ୍ଟ୍ରିଟ୍‌ ଲାଇଟ୍‌ ଲାଗିଥିଲେ ହେଁ ସେଥିରୁ ଅଧିକାଂଶ ଖରାପ ହୋଇଗଲାଣି। କିନ୍ତୁ ତାକୁ ସଜଡ଼ା ଯାଉନି। ଜଳଯୋଗାଣକୁ ନେଇ ମଧ୍ୟ ସ୍ଥିତି ଅନୁକୂଳ ନୁହେଁ। ଶିଳ୍ପସଂସ୍ଥା ପକ୍ଷରୁ ବୋରିଂ କରାଯାଇଥିବାରୁ ବୋଲି ଯେନତେନ ପ୍ରକାରେ ଚଳି ଯାଉଛି। ନହେଲେ ପିଇବାକୁ ବି ପାଣି ଟିକେ ମିଳନ୍ତାନି ବୋଲି ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି।

ରସୁଲଗଡ଼ ଶିଳ୍ପାଞ୍ଚଳରେ ବି ସମଦଶା। କେଉଁଠି ପିଚୁ ରାସ୍ତା, ତାହା ଜାଣିବା ମୁସ୍କିଲ୍‌। ପ୍ରତି କୋଡ଼ିଏ ମିଟରରେ ଦଶ ମିଟର ଖାଲ। ଚାଲିଚାଲି ଗଲେ ବି ଜଣେ ଝୁଣ୍ଟି ପଡ଼ି ଖଣ୍ଡିଆଖାବରା ହେବ। ବାଇକ୍‌ ଓ କାର୍‌ ଟିକିଏ ଏପ‌ଟସେପଟ ହେଲେ ଦୁର୍ଘଟଣା ହେବା ଥୟ। ଡ୍ରେନ୍‌ ବ୍ୟବସ୍ଥା ବି ବିପର୍ଯ୍ୟସ୍ତ। ମୌସୁମୀ ପୂର୍ବରୁ ରାଜଧାନୀ ସାରା ଚାରିଆଡ଼େ ଡ୍ରେନ୍‌ ସଫା ହେଉଥିବା ବେଳେ ଏହି ଶିଳ୍ପାଞ୍ଚଳ ଡ୍ରେନ୍‌ ‌କେବେ ସଫା ହେଉନି କି ମରାମତି ବି ହେଉନି। ଏବର୍ଷ ବି ଏହି ଡ୍ରେନ୍‌ଗୁଡ଼ିକୁ କେହି ଆଡ଼ ଆଖିରେ ଚାହିଁନାହାନ୍ତି। ବର୍ଷ ବର୍ଷ ଧରି ଶିଳ୍ପାଞ୍ଚଳରେ ଏଭଳି ସମସ୍ୟା ଲାଗି ରହିଥିଲେ ହେଁ ଇଡ୍‌କୋ ଏଥିପ୍ରତି ଦୃଷ୍ଟି ଦେଉନାହିଁ। ଏ ସଂପର୍କରେ ଇଡ୍‌କୋ ଅଧିକାରୀଙ୍କ ସହ ଯୋଗଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ହେଁ ସମ୍ଭବ ହୋଇନଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।