ବନ୍ତଳା: ଇତିମଧ୍ୟରେ ରାଜ୍ୟରେ ବାଘ ଗଣନା ରିପୋର୍ଟ ପ୍ରକାଶ ପାଇଛି। ୨୦୨୨ମସିହାରେ ରାଜ୍ୟରେ ୨୦ଟି ମହାବଳ ବାଘ ଥିବାବେଳେ ଏବେ ତାହା ବୃଦ୍ଧି ପାଇ ୩୦ରେ ପହଞ୍ଚିଛି। କିନ୍ତୁ ରାଜ୍ୟର ଅନ୍ୟତମ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ସାତକୋଶିଆ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ମହାବଳଶୂନ୍ୟ ରହିଛି। ଯେଉଁଠି ଦିନେ ବାଘ ଗର୍ଜନରେ ଜଙ୍ଗଲ କମ୍ପୁଥିଲା, ଏବେ ସେଠାରେ ମହାବଳ ଦେଖିବା ସ୍ବପ୍ନ। ୨୦୧୮ ମସିହାରେ ଦେଶର ପ୍ରଥମ ଆନ୍ତଃରାଜ୍ୟ ମହାବଳ ସ୍ଥାନାନ୍ତର ପ୍ରକ୍ରିୟା ଫେଲ୍ ମାରିବା ପରଠାରୁ ସାତକୋଶିଆ ଆଉ ବାଘ ହେଣ୍ଟାଳ ଶୁଣିନାହିଁ। ଯାହା ପଶୁପ୍ରେମୀଙ୍କୁ ପୁଣି ନିରାଶ କରିଛି। ଅନ୍ୟପଟେ ସାତକୋଶିଆକୁ ଚଳିତବର୍ଷ ଶେଷସୁଦ୍ଧା ବାଘ ଆଣିବାକୁ ବନବିଭାଗ ଯୋଜନା କରୁଥିଲାବେଳେ ଆଗାମୀ ୧୦ବର୍ଷ ପର୍ଯ୍ୟନ୍ତ ଏଠାରେ ବାଘ ସୁରକ୍ଷିତ ରହିବା ନେଇ ପୂର୍ବତନ ଏନ୍ଟିସିଏ ମୁଖ୍ୟ ଆଶଙ୍କା ପ୍ରକଟ କରିଛନ୍ତି।
ମହାବଳଶୂନ୍ୟ ସାତକୋଶିଆ
ଆଶଙ୍କାରେ ପ୍ରୋଜେକ୍ଟ ଟାଇଗର ୨.୦
ଶିକାରୀଙ୍କଠାରୁ ମୁକ୍ତ ନୁହେଁ ଜଙ୍ଗଲ
ସୂଚନା ମୁତାବକ ୨୦୦୪ ମସିହାରେ ସାତକୋଶିଆ ଅଭୟାରଣ୍ୟରେ ୧୮ଟି ମହାବଳ ଥିବା ରେକର୍ଡ କହୁଛି। କିନ୍ତୁ ସେମାନଙ୍କ ସୁରକ୍ଷା ଓ ତ୍ରୁଟିପୂର୍ଣ୍ଣ ପରିଚାଳନା ପାଇଁ ସାତକୋଶିଆ ନିଜର ସୁନାମ ହରାଇ ବସିଛି। ସାତକୋଶିଆକୁ ମହାବଳଙ୍କ ସୁରକ୍ଷିତ ସ୍ଥାନ କୁହାଯାଉଥିବା ବେଳେ ଶିକାରୀଙ୍କ କବଳରୁ ବାଘଙ୍କୁ ସୁରକ୍ଷା ଦେବାରେ ବନବିଭାଗ ବିଫଳ ହୋଇଥିଲା। ଶିକାରୀମାନେ ଗୋଟିଏ ପରେ ଗୋଟିଏ ମହାବଳକୁ ଶିକାର କରି ମାରିପକାଇଥିଲେ। କେତେବେଳେ ବନ୍ଧୁକ ଗୁଳିରେ ସେମାନେ ଟଳିପଡ଼ିଥିଲେ ତ କେବେ ବିଷକ୍ରିୟା ଯୋଗୁଁ ଆଖିବୁଜିଥିଲେ। ତେବେ ୨୦୧୮ରେ ସାତକୋଶିଆରେ ବହୁଚର୍ଚ୍ଚିତ ବାଘ ହଙ୍ଗାମା ପରେ ଏଠାରେ ଆଉ ବାଘ ରଖାଯାଇନାହିଁ। ସାତକୋଶିଆରେ ପୁଣିଥରେ ମହାବଳଙ୍କ ବଂଶ ବିସ୍ତାର ପାଇଁ ଯୋଜନା ପ୍ରସ୍ତୁତ କରାଯାଇ ଇତିମଧ୍ୟରେ କୋର୍ ଏରିଆରୁ ୪ଟି ଗାଁକୁ ବିସ୍ଥାପନ କରାଯାଇ ସାରିଲାଣି। କୋର୍ ଏରିଆରେ ଥିବା ଆଉ ଅନ୍ୟ ଗାଁଗୁଡ଼ିକୁ ଉଠାଇବାକୁ ଯୋଜନା କରୁଛି ବନବିଭାଗ। ଫଳରେ ଚଳିତବର୍ଷ ଶେଷସୁଦ୍ଧା ଅନୁକୂଳ ପରିବେଶ ସୃଷ୍ଟି କରି ଶିମିଳିପାଳରୁ ମହାବଳ ଆଣି ସାତକୋଶିଆରେ ଛାଡ଼ିବାକୁ ବନବିଭାଗ ଅଣ୍ଟା ଭିଡ଼ିଛି। ବାହାର ରାଜ୍ୟର ବାଘ ଏଠାକାର ପରିବେଶ ସହିତ ଖାପ ଖୁଆଇ ପାରୁ ନଥିବାରୁ ଓ ପୂର୍ବ ଅଭିଜ୍ଞତା ଦୃଷ୍ଟିରୁ ସାତକୋଶିଆ ସହିତ ପ୍ରାୟତଃ ସମାନ ପରିବେଶ ଥିବା ଶିମିଳିପାଳରୁ ବାଘ ଅଣାଯାଇପାରେ ବୋଲି ଜଣେ ଅଧିକାରୀ କହିଛନ୍ତି। ପ୍ରୋଜେକ୍ଟ ଟାଇଗର୍ ୨.୦ ପାଇଁ ଭିତରେ ଭିତରେ କାମ ଚାଲିଥିବା ସେ କହିଛନ୍ତି। ଅନ୍ୟପଟେ ଏହାକୁ ନେଇ ଆଶଙ୍କାବ୍ୟକ୍ତ କରିଛନ୍ତି ପୂର୍ବତନ ଏନ୍ଟିସିଏ ଏଡିଜି (ପ୍ରୋଜେକ୍ଟ ଟାଇଗର୍) ଡ. ଅନୁପ କୁମାର ନାୟକ। ସାତକୋଶିଆରେ ବାଘୁଣୀ ସୁନ୍ଦରୀର ଆତଙ୍କ ଓ ଲୋକଙ୍କ ଆକ୍ରୋଶକୁ ଅତି ପାଖରୁ ଦେଖିଥିବା ଡ. ନାୟକ କହିଛନ୍ତି, ଯେ ପର୍ଯ୍ୟନ୍ତ ସାତକୋଶିଆ ଜଙ୍ଗଲ ଉପରେ ସ୍ଥାନୀୟ ଲୋକେ ନିର୍ଭର କରୁଥିବେ, ସେ ପର୍ଯ୍ୟନ୍ତ ସେଠାରେ ବାଘ ସଂରକ୍ଷଣ ସମ୍ଭବ ହୋଇ ନପାରେ।
ଶିମିଳିପାଳରେ ମହାବଳ ସୁରକ୍ଷାକୁ ପ୍ରାଥମିକତା
ବାରିପଦା: ଶିମିଳିପାଳରୁ ଆସିଛି ଖୁସି ଖବର। ଏସିଆ ମହାଦେଶର ଏହି ସର୍ବବୃହତ ଜୈବମଣ୍ଡଳରେ ମହାବଳ ସଂଖ୍ୟା ୨୦ରୁ ବୃଦ୍ଧି ପାଇ ୨୭ରେ ପହଞ୍ଚିଛି। ସାରାଦେଶରେ ବାଘ ସଂଖ୍ୟା କମୁଥିବା ବେଳେ ଶିମିଳିପାଳରେ ବୃଦ୍ଧି ପାଇବା ପରିବେଶବିତ୍ ଓ ବନ୍ୟଜନ୍ତୁ ପ୍ରେମୀଙ୍କୁ ଉତ୍ସାହିତ କରିଛି। ଏପରି ସମୟରେ ବାଘଙ୍କ ସହ ଅନ୍ୟ ଜନ୍ତୁମାନଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକାଶ ପାଇଛି। ତେଣୁ ରାଜ୍ୟ ସରକାର ଏଥିପାଇଁ ଅର୍ଥ ମଂଜୁର କରିଛନ୍ତି। ୨୦୨୩ରେ ପ୍ରକାଶିତ ଜାତୀୟ ରିପୋର୍ଟ ଅନୁସାରେ; ଶିମିଳିପାଳରେ ୨୦ଟି ବାଘ ଥିଲେ। ଆଉ ଏବେ ପ୍ରକାଶିତ ରିପୋର୍ଟରେ ଏହି ସଂଖ୍ୟା ୨୭କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରେ ୧୩ଟି ବିରଳ କଳାବାଘ ଅଛନ୍ତି। ସେହିପରି ୨୭ଟି ମହାବଳଙ୍କ ମଧ୍ୟରେ ଅଛନ୍ତି ୭ଟି ଛୁଆବାଘ, ଯେଉଁମାନଙ୍କ ବୟସ ୧ ବର୍ଷ ମଧ୍ୟରେ ହେବ। ଅନ୍ୟପଟେ ଦେଶର ୧୨ ଶ୍ରେଷ୍ଠ ବ୍ୟାଘ୍ର ଅଭୟାରଣ୍ୟ ତାଲିକାରେ ସାମିଲ ହୋଇଛି ଶିମିଳିପାଳ। ବାଘ ସହ ଅନ୍ୟ ବନ୍ୟଜନ୍ତୁଙ୍କ ବଂଶ ବୃଦ୍ଧି ପାଇଁ ଶିମିଳିପାଳର ପରିବେଶ ବେଶ୍ ଅନୁକୂଳ। ତେଣୁ ପୂର୍ବରୁ ଶିମିଳିପାଳ ଉତ୍ତମ ଶ୍ରେଣୀରେ ଥିବା ବେଳେ ବର୍ତ୍ତମାନ ଏହା ଉତ୍କୃଷ୍ଟ ଶ୍ରେଣୀକୁ ମଧ୍ୟ ଉନ୍ନୀତ ହୋଇଛି। ତେବେ ବାଘ ସଂଖ୍ୟା ବୃଦ୍ଧି ପାଉଥିବାରୁ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ନେଇ ମଧ୍ୟ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ ଏଥିପାଇଁ ପୂର୍ବ ଅପେକ୍ଷା ଅଧିକ ଗୁରୁତ୍ବ ଦେଉଛନ୍ତି। ଏବେ ଶିମିଳିପାଳ ସୁରକ୍ଷା ଦାୟିତ୍ବରେ ନିୟୋଜିତ ହେବାକୁ ଯାଉଥିବା କର୍ମଚାରୀଙ୍କୁ ବନ୍ଧୁକ ସହ ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗାଇ ଦେବାର ବ୍ୟବସ୍ଥା ହେଉଛି। ମୟୂରଭଞ୍ଜର ଶିମିଳିପାଳ, କୁଲଡ଼ିଆ ଅଭୟାରଣ୍ୟ ଏବଂ କେନ୍ଦୁଝରର ବନକର୍ମଚାରୀଙ୍କୁ ବନ୍ଧୁକ ଓ ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗାଇବା ବାବଦରେ ରାଜ୍ୟ ସରକାର ମୋଟ୍ ୧୨ କୋଟି ୪୬ ଲକ୍ଷ ଟଙ୍କା ମଂଜୁର କରିଥିବା ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ଡ. ପ୍ରକାଶଚାନ୍ଦ ଗୋଗିନାନୀ କହିଛନ୍ତି।