ବାରିପଦା/ଠାକୁରମୁଣ୍ଡା : ଶିମିଳିପାଳରେ ଚୋରା ବନ୍ଧୁକ କାରଖାନା ଠାବ କରିଛି ମୟୂରଭଞ୍ଜ ଜିଲ୍ଲା ପୁଲିସ। ଏହି ମାମଲାରେ ଠାକୁରମୁଣ୍ଡା ବ୍ଲକ୍ ମହୁଲଡ଼ିହା ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଥିବା ବେଳେ ତା ପାଖରୁ ଗୋଟିଏ ଦେଶୀ ବନ୍ଧୁକ ସହିତ ବନ୍ଧୁକ ତିଆରି ସରଞ୍ଜାମ ଜବତ କରିଛି। ଏହାବ୍ୟତୀତ ପୁଲିସ ଅନ୍ୟ ଏକ ସ୍ଥାନରେ ଚଢ଼ଉ କରି ବିପୁଳ ପରିମାଣର ବଜ୍ରକାପ୍ତା କାତି ମଧ୍ୟ ଜବତ କରିଛି।
୩ଟି ପୁଲିସ ଟିମ୍ ଓ ସଶସ୍ତ୍ର ଫୋର୍ସ ଗତକାଲି ବିଳମ୍ବିତ ରାତିରେ ଶିମିଳିପାଳ ପାଦଦେଶ ଅଞ୍ଚଳରେ ଥିବା ଭେଜିଡ଼ିହା ଗାଁର ଜିତୁ ଲୋହାରଙ୍କ ଘରେ ଚଢଉ କରିଥିଲେ। ଖାନତଲାସ ସମୟରେ ଅଭିଯୁକ୍ତ ଘରୁ ଏକ ପୁରୁଣା ଦେଶୀ ବନ୍ଧୁକ, ନୂଆ କରି ନିର୍ମାଣ ହୋଇଥିବା ଗୋଟିଏ ବନ୍ଧୁକ ସହ ବନ୍ଧୁକ ତିଆରି ସରଞ୍ଜାମ ଯଥା ୪ଟି ଷ୍ଟିଲ୍ ବ୍ୟାରେଲ, ୨ଟି ସକେଟ୍, ଗୋଟିଏ ୱେଲ୍ଡିଂ ମେସିନ୍ ଓ ଗୋଟିଏ କୁରାଢ଼ି ଜବତ ହୋଇଥିଲା। ଅଭିଯୁକ୍ତ ଜିତୁକୁ ଗିରଫ କରାଯାଇଥିବା ବେଳେ ମହୁଲଡ଼ିହା ଥାନାରେ ୩୯/୨୩ରେ ଏକ ମାମଲା ରୁଜୁ ହୋଇଛି। ସେହିପରି ମହୁଲଡ଼ିହା ଥାନା ପାତ୍ରପଡ଼ା ଗ୍ରାମର ମାନସିଂ ହୋଙ୍କ ଘରେ ପୁଲିସ ଚଢଉ କରି ସେଠାରୁ ୧୧୦ଟି ବଜ୍ରକାପ୍ତା କାତି ଜବତ କରିଛି।

ତେବେ ପୁଲିସକୁ ଦେଖି ମାନସିଂ ଫେରାର ହୋଇ ଯାଇଥିଲା। ଜେରା ବେଳେ ଅଭିଯୁକ୍ତ ଜିତୁ ଦେଶୀ ବନ୍ଧୁକ ନିର୍ମାଣ କରିବା ସହ ଏକାଧିକ ଶିକାରୀଙ୍କୁ ବିକ୍ରି କରିଥିବା ସ୍ପଷ୍ଟ ହୋଇଛି। ଯେଉଁମାନେ ଜିତୁଙ୍କଠାରୁ ବନ୍ଧୁକ କିଣିଛନ୍ତି, ସେମାନଙ୍କୁ ଧରିବା ଲାଗି ପୁଲିସ ଧରପଗଡ଼ ଆରମ୍ଭ କରିଥିବା କରଞ୍ଜିଆ ଉପଖଣ୍ଡ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ବେଆଇନ ବନ୍ଧୁକ ରଖିଥିବା ବ୍ୟକ୍ତି ଓ ଶିକାରୀ ତୁରନ୍ତ ପୁଲିସ ପାଖରେ ଆତ୍ମସମର୍ପଣ କରିବା ପାଇଁ ମୟୂରଭଞ୍ଜ ଏସ୍ପି ବି.ଗଙ୍ଗାଧର କହିଛନ୍ତି। ଏହାକୁ ନ ମାନିଲେ ପୁଲିସ ଘରେ ପଶି ଅଭିଯୁକ୍ତଙ୍କୁ ବାନ୍ଧିବ ବୋଲି ଚେତାବନୀ ଦେଇଛନ୍ତି।

ସୂଚନାଯୋଗ୍ୟ, ଶିମିଳିପାଳରେ ଶିକାରୀଙ୍କ ଗୁଳିରେ ୨ ଜଣ ବନ କର୍ମଚାରୀ ପ୍ରାଣ ହରାଇବା ପରେ ନିଜର ସୁରକ୍ଷା ଦାବି କରି ଗତ ମାସ ୨୩ ତାରିଖରୁ ଓଡ଼ିଶା ଅଣଗେଜେଟେଡ୍ ବନସେବା ସଂଘର ଆହ୍ବାନକ୍ରମେ ୨୪୧ ଜଣ ବନ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି। ସେପଟେ ଚଳିତ ମାସ ପହିଲାରୁ ୭ ଦଫା ଦାବି ନେଇ ୬୦୦ ଅସ୍ଥାୟୀ କର୍ମଚାରୀ (ସବୁଜ ବାହିନୀ) ମଧ୍ୟ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ପାଖାପାଖି ୮ ଶହ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଶିମିଳିପାଳର ସୁରକ୍ଷା ବିପନ୍ନ ହୋଇପଡ଼ିଛି। ଏହାର ମୁକାବିଲା ପାଇଁ ଶିମିଳିପାଳ ସୁରକ୍ଷା ଦାୟିତ୍ବରେ ପୁଲିସ କର୍ମଚାରୀ ନିୟୋଜିତ ହେବେ ବୋଲି ଘୋଷଣା କରିଥିଲେ ରାଜ୍ୟ ସରକାର। ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶରେ ଆଜିଠାରୁ ଯଶିପୁର, ଉଦଳା ଓ ଖୁଣ୍ଟା ଥାନାର ୩୦ ଜଣ ପୁଲିସ କର୍ମଚାରୀ ଅଭୟାରଣ୍ୟ ମୁଖ୍ୟ ଫାଟକ ସମ୍ମୁଖରେ ମୁତୟନ ହୋଇଛନ୍ତି। ସେହିପରି ଆସନ୍ତା ୩ ଦିନ ମଧ୍ୟରେ ଆଉ ୩ ପ୍ଲାଟୁନ୍ ପୁଲିସ ଫୋର୍ସ ସୁରକ୍ଷା ଦାୟିତ୍ବରେ ନିୟୋଜିତ ହେବେ ବୋଲି କହିଛନ୍ତି ଶିମିଳିପାଳ ମୁଖ୍ୟ ବନ ସଂରକ୍ଷକ ପ୍ରକାଶଚାନ୍ଦ ଗୋଗିନାନୀ। ତେବେ ୨ ହଜାର ୭୫୦ ବର୍ଗ କିଲୋମିଟର ପରିମିତ ବିଶାଳ ଜଙ୍ଗଲକୁ ପୁଲିସ ବାହିନୀ ସୁରକ୍ଷା ଦେବା ସମ୍ଭବପର ନୁହେଁ ବୋଲି କହିଛନ୍ତି ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଭାନୁମିତ୍ର ଆଚାର୍ଯ୍ୟ। ଶିମିଳିପାଳକୁ ଶିକାରୀ ଓ ମାଫିଆଙ୍କ କବଳରୁ ରକ୍ଷା ନିମନ୍ତେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରିବା ଜରୁରୀ ବୋଲି କହିଛନ୍ତି ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା।