ରାଜ୍ୟ ସ୍ପେଶାଲ ରିପୋର୍ଟ

ଶିବାଳୟରେ ଗଞ୍ଜେଇ ମନା: ନିର୍ଦ୍ଦେଶ ଜାରି କଲା ସଂସ୍କୃତି ବିଭାଗ

ଭୁବନେଶ୍ବର: ଶିବାଳୟରେ ଗଂଜେଇ ଧୂଆଁ ଆଉ ଭକ୍ତଙ୍କୁ ଅସ୍ତବ୍ୟସ୍ତ କରିବନି। ପ୍ରସାଦ ବାହାନାରେ କେହି ଭୋଳାନାଥଙ୍କୁ ଗଂଜେଇ ଯାଚିବେନି କି ମନ୍ଦିରରେ ପରିସରରେ ଚିଲମ ଟାଣିବେନି। ରାଜ୍ୟ ସଂସ୍କୃତି ବିଭାଗ ଏମିତି ନିଷେଧା‌ଦେଶ ଜାରି କରିଛି। ଏ ସମ୍ପର୍କରେ ସବୁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାଏ। ବିଭିନ୍ନ ଶୈବପୀଠମାନଙ୍କରେ ଗଞ୍ଜେଇ ବ୍ୟବହାର ବନ୍ଦ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସେ ଗତ ୧୦ ତାରିଖରେ ଚିଠି ଲେଖି ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

ରାଜ୍ୟର ପ୍ରମୁଖ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳ ଆଖଣ୍ଡଳମଣିଙ୍କ ପୀଠରେ ବହୁଳ ଗଞ୍ଜେଇ ବ୍ୟବହାର ନେଇ ଅନନ୍ତ ବଳିଆ ଟ୍ରଷ୍ଟ ପକ୍ଷରୁ କିଛି ଦିନ ତଳେ ରାଜ୍ୟ ସଂସ୍କୃତି ବିଭାଗ ନିକଟରେ ଅଭିଯୋଗ କରାଯାଇଥିଲା। ଟ୍ରଷ୍ଟ ପକ୍ଷରୁ କୁହାଯାଇଥିଲା, ଭଗବାନ ଶିବ କେବେ ଗଞ୍ଜେଇ ସେବନ କରନ୍ତି ନାହିଁ। ଏହା ଏକ ଅନ୍ଧବିଶ୍ୱାସ। ତେଣୁ ଏ ଦିଗରେ କଠୋର କାର୍ଯ୍ୟାନୁଷ୍ଠାନ ସହ ଶୈବପୀଠକୁ ନିଶାମୁକ୍ତ କରାଯାଉ। ଶୈବପୀଠ ପରିସରରେ ଗଞ୍ଜେଇ ଓ ଭାଙ୍ଗକୁ ସମ୍ପୂର୍ଣ୍ଣ ନିଷେଧ କରାଯାଉ ବୋଲି ଟ୍ରଷ୍ଟ ଅନୁରୋଧ କରିଥିଲା। ଅଭିଯୋଗ ପରେ ଏବେ ସଂସ୍କୃତି ବିଭାଗ ପକ୍ଷରୁ ଏହି ନେଇ ନିର୍ଦ୍ଦେଶ ଜାରି ହୋଇଛି। କିନ୍ତୁ ଏହି ନିର୍ଦ୍ଦେଶନାମା କେତେ ଦୂର ପାଳନ ହେବ ଓ ମନ୍ଦିର ପରିଚାଳନା କମିଟି ଏହାକୁ କିପରି ଗ୍ରହଣ କରିବ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ଏହି ଚିଠିରେ ଆଇନ ଉଲ୍ଲଙ୍ଘନକାରୀଙ୍କୁ କି ଦଣ୍ଡ ଦିଆଯିବ, ସେ ସଂପର୍କରେ କିଛି ଉଲ୍ଲେଖ କରାଯାଇନାହିଁ। ଫଳରେ ବିଭାଗର ଅନ୍ୟ ନିର୍ଦ୍ଦେଶନାମା ପରି ଏହା ମଧ୍ୟ କେବଳ ଏକ ଚିଠିରେ ହିଁ ରହିଯିବ ବୋଲି ସଂସ୍କୃତିପ୍ରେମୀମାନେ କହିଛନ୍ତି।

ଅନ୍ୟପଟେ ଏହି ଚିଠି ସାମ୍ନାକୁ ଆସିବା ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ଆସିଛି। କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ମଧ୍ୟ ଏହି ପଦ‌କ୍ଷେପକୁ ଅନାବଶ୍ୟକ ବୋଲି କହିଛନ୍ତି। ସେ କହିଛନ୍ତି, ବ୍ରହ୍ମା ଫଳରସ, ନାରାୟଣ ଟିକେ ଭାଙ୍ଗ ଓ ଶିବ ଗଞ୍ଜେଇ ଖାଇଥା’ନ୍ତି। ଗଞ୍ଜେଇ, ଭାଙ୍ଗ ଓ ଫଳରସ ଦେବଦେବୀଙ୍କ ପ୍ରସାଦ। ଶିବମନ୍ଦିରରେ ଅଧିକ ଗଞ୍ଜେଇ ଖାଇ ଧୂଆଁ କରିବା ବା ମନ୍ଦିରର ଧାର୍ମିକ ପରିବେଶକୁ ନଷ୍ଟ କରିବା ଉଚିତ ନୁହେଁ ବୋଲି ସଂସ୍କୃତି ବିଭାଗ ନିର୍ଦ୍ଦେଶନାମା ଜାରି କରିପାରିବ। କିନ୍ତୁ ଦେବଦେବୀଙ୍କ ଭୋଗ ଉପରେ ଏମିତି କଟକଣା ଠିକ୍‌ ନୁହେଁ ବୋଲି ସେ କହିଛନ୍ତି। ସେହିପରି ‌ପୂର୍ବତନ ସାଂସଦ ତଥାଗତ ଶତପଥୀ ଏହାକୁ ଘୋର୍‌ ବିରୋଧ କରିବା ସହ ଏହା ରାଜ୍ୟ ସରକାରଙ୍କର ଏକ ପଛୁଆ ତଥା ଓଡ଼ିଆ ବିରୋଧୀ ପଦକ୍ଷେପ ବୋଲି କହିଛନ୍ତି। ଆଜିକାଲିର ପ୍ରଶାସକମାନେ ଓଡ଼ିଆ ସଂସ୍କୃତି ସମ୍ପର୍କରେ କିଛି ଜାଣିନାହାନ୍ତି। ତେଣୁ ଏହି ନିର୍ଦ୍ଦେଶକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ତେବେ ସାମାଜିକ ଗଣମାଧ୍ୟମରେ ଅଧିକାଂଶ ଲୋକ ଏହାର ସପକ୍ଷରେ ମତ ରଖିଛନ୍ତି। ମନ୍ଦିର ପରିସରରେ ଆଧ୍ୟାତ୍ମିକ ପରିବେଶକୁ ଭଲ ରଖିବା ପାଇଁ ଗଞ୍ଜେଇ ନିଷେଧ ହେବା ଆବଶ୍ୟକ। ଗଞ୍ଜେଇ ସହ ଭଗବାନ ଶିବଙ୍କର କିଛି ସମ୍ପର୍କ ନାହିଁ ବୋଲି ସେମାନେ ମତ ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।