ରାଜ୍ୟ

ଶିଖରଚଣ୍ଡୀ ପାହାଡ଼ର ଜୈବ ବିବିଧତା ନଷ୍ଟ ପ୍ରସଙ୍ଗ: ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କାମ ବନ୍ଦ

ଚନ୍ଦ୍ରଶେଖରପୁର: ଶିଖରଚଣ୍ଡୀ ପାହାଡ଼ରେ ନିର୍ମାଣାଧୀନ ପାନୀୟ ଜଳ ସଂରକ୍ଷଣ ପ୍ରକଳ୍ପ ଭାଗ୍ୟ ପୁଣି ଝୁଲିଲା। ପାହାଡ଼ କାଟି ପ୍ରକଳ୍ପ ନିର୍ମାଣ ବିରୋଧରେ ନ୍ୟାସ୍‌ନାଲ ଗ୍ରିନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ଦାଖଲ ହୋଇଥିବା ମାମଲାର ଆଜି ଶୁଣାଣି ହୋଇଥିଲା। ଏଥିରେ ବିଭିନ୍ନ ପକ୍ଷ ନିଜ ନିଜର ମତ ରଖିଥିଲେ। ଏନ୍‌ଜିଟି ପକ୍ଷରୁ ଗଠନ ହୋଇଥିବା ତଦନ୍ତ କମିଟି ରିପୋର୍ଟ ହସ୍ତଗତ ହୋଇ ନ ଥିବା ନେଇ ରାଜ୍ୟ ସରକାରଙ୍କ ଓକିଲ କହିଥିବା ବେଳେ କାଉଣ୍ଟର ଆଫିଡେଭିଟ୍‌ ଲାଗି ବିଡିଏ କର୍ତ୍ତୃପକ୍ଷ ଆଉ ୭ ଦିନ ସମୟ ମାଗିଥିଲେ। ତଦନ୍ତ କମିଟି ରିପୋର୍ଟକୁ ଅଭିଯୋଗକାରୀ ବିରୋଧ କରିବା ସହ ଆହୁରି ତଥ୍ୟ ଉପସ୍ଥାପନ କରିବାକୁ ସମୟ ମାଗିଥିଲେ। ସମସ୍ତ ପକ୍ଷଙ୍କ କଥା ଶୁଣିବା ପରେ ଏନ୍‌ଜିଟି ଖଣ୍ଡପୀଠ ଅନ୍ତରୀଣ ଆଦେଶକୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଳବତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।  ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୭ରେ ହେବ।

ଅଭିଯୋଗକାରୀ ଦର୍ଶାଇଥିଲେ ଯେ ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ସଂଲଗ୍ନରେ ଏହି ପାହାଡ଼ ପୂର୍ବଘାଟ ପର୍ବତମାଳାର ଅଂଶ ବିଶେଷ। ଯାହାକି ପ୍ରାକୃତିକ ପରିବେଶ ଓ ସବୁଜ ଅରଣ୍ୟାନୀ ଗୁଳ୍ମ ଜାତୀୟ ଜଙ୍ଗଲୀ ଔଷଧୀୟ ବୃକ୍ଷରାଜିରେ ପରିପୂର୍ଣ୍ଣ ରହିଛି। ସରକାରୀସ୍ତରରେ ପରିବେଶ ଓ ଜଙ୍ଗଲ ଆଇନକୁ ଉଲ୍ଲଂଘନ କରାଯାଇ ନିର୍ମାଣ କାର୍ଯ୍ୟ କରାଯାଉଛି। ପାହାଡ଼ ଫଟାଯିବା ସହ ଶିଖରଚଣ୍ଡୀ ପାହାଡ଼ରୁ ବେଧଡ଼କ ଭାବେ ଗଛ କଟାଯାଇଛି। ଜଙ୍ଗଲ(ସଂରକ୍ଷଣ) ଆଇନ ଅନୁଯାୟୀ ବିନା ପରିବେଶ ମଞ୍ଜୁରି ସାର୍ଟିଫିକେଟ୍‌ରେ ଗଛ କଟା ହୋଇଛି। ଏହି ପାହାଡ଼ଟିର ପ୍ରାକୃତିକ ପରିବେଶରେ ଅନେକ ବିଲୁପ୍ତପ୍ରାୟ ବନ୍ୟଜନ୍ତୁ ଓ ପକ୍ଷୀକୂଳଙ୍କ ଆଶ୍ରୟସ୍ଥଳ ପାଲଟିଥିବା ପ୍ରତିଷ୍ଠିତ ଜର୍ଣ୍ଣାଲରେ ଉଲ୍ଲେଖ ରହିଥିବା ଦର୍ଶାଇଛନ୍ତି। ବିଶେଷଜ୍ଞମାନେ ଏହି ପାହାଡ଼ ଉପରେ ଗବେଷଣା କରିବା ସହ ଏକାଧିକ ତଥ୍ୟ ସମ୍ବଳିତ ଲେଖା ପ୍ରକାଶ କରିଛନ୍ତି। ଯେଉଁଥିରେ ପୂର୍ବଘାଟ ପର୍ବତମାଳା ସହ ଏହା କିଭଳି ଯୋଡ଼ି ହୋଇ ରହିଛି ତାହା ଉଲ୍ଲେଖ ରହିଛି। ତା’ସ‌ତ୍ତ୍ବେ ବି ରାଜ୍ୟ ସରକାର ମିଥ୍ୟ ତଥ୍ୟ ଦେଇ ଭ୍ରମିତ କରୁଛନ୍ତି। ଗଛ କଟାଯାଇଥିଲେ ମଧ୍ୟ ବୁଦା କହି ୱାଟକୋ କର୍ତ୍ତୃପକ୍ଷ ତଦନ୍ତ କମିଟିକୁ ଭୂଆଁ ବୁଲାଇଛି। ଗୋଟିଏ ପଟେ ତଦନ୍ତ କମିଟି ପାହାଡ଼ର ସୁରକ୍ଷା କଥା କହୁଛନ୍ତି ଆଉ ଅନ୍ୟପଟେ ପାହାଡ଼ ଉପରେ ପ୍ରକଳ୍ପ ନିର୍ମାଣ କରିବାକୁ ଅନୁମତି ଦିଆଯାଇପାରେ ବୋଲି କହୁଛନ୍ତି। ଯଦି ପାହାଡ଼ ଶିଖର ନ ରହିବ ତେବେ ସଂରକ୍ଷଣ କିଭଳି ହେବ ବୋଲି ପ୍ରଶ୍ନ ଉଠୁଛି।

ଆହୁରି ଯୁକ୍ତି କରାଯାଇଥିଲା ଯେ କାହା ସ୍ବାର୍ଥରେ ଇଡ୍‌କୋ କର୍ତ୍ତୃପକ୍ଷ ଅଧିକ ଜମି ଯୋଗାଇ ଦେଇଛନ୍ତି। ପ୍ରକଳ୍ପ ପାଇଁ ମାତ୍ର ୩ ଏକର ପରିମିତ ଜମିର ଆବଶ୍ୟକତା ଥିଲେ ମଧ୍ୟ ୪ ଏକର ଜମି ଅନୁମୋଦନ ପଛରେ କାହାର ସ୍ବାର୍ଥ ରହିଛି। ଗଛ କାଟିବା ପୂର୍ବରୁ କାହିଁକି ଅନୁମତି ନେଇ ନ ଥିଲା ୱାଟକୋ? ରାଜ୍ୟ ସରକାର ଏହି ଅଞ୍ଚଳରେ ଶିଳ୍ପ ସଂସ୍ଥାମାନଙ୍କୁ ହାତଖୋଲି ଏକର ଏକର ଜମି ଲିଜ୍‌ରେ ଯୋଗାଇ ଦେଉଥିବା ବେଳେ ପାନୀୟ ଜଳ ପ୍ରକଳ୍ପ ପାଇଁ ରାଜଧାନୀରେ ୩ ଏକର ଜମି ନ ମିଳିବା ନେଇ ୱାଟ୍‌କୋ କର୍ତ୍ତୃପକ୍ଷ ଯେଉଁ କଥା‌ କହିଛନ୍ତି ତାହା ଚିନ୍ତାଜନକ। କାହା ସ୍ବାର୍ଥରେ ଚନ୍ଦକା ଶିଳ୍ପାଞ୍ଚଳରେ ଏକର ଏକର ଜମି ଶାଗମାଛ ଦରରେ ଶିଳ୍ପ ସଂସ୍ଥାଙ୍କୁ ଦିଆଯାଉଛି? ଏହାଦ୍ବାରା ସାଧାରଣ ଲୋକଙ୍କର କେଉଁଭଳି ଲାଭ ହେଉଛି ବୋଲି ପ୍ରଶ୍ନ କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।