ରାଜ୍ୟ

ଶିଖରଚଣ୍ଡୀ ପାହାଡ଼ର ଜୈବ ବିବିଧତା ନଷ୍ଟ ପ୍ରସଙ୍ଗ: କାଟିଥିଲେ, ଲଗାଇଲେ

ଚନ୍ଦ୍ରଶେଖରପୁର: ଆଗ ପଛ ବିଚାର କଲେ ନାହିଁ। ପାନୀୟ ଜଳ ସଂରକ୍ଷଣ ପ୍ରକଳ୍ପ ପାଇଁ ବେଧଡ଼କ ଭାବେ ଶିଖରଚଣ୍ଡୀ ପାହାଡ଼ ସଂଲଗ୍ନ ହନୁମାନ ପାହାଡ଼କୁ କାଟି ଚାଲିଲେ। ଶତାଧିକ ଗଛ କାଟି ପଦା କ‌ରିଦେଲେ। ପାହାଡ଼କୁ ଫଟାଇ ମାଟିରେ ମିଶାଇଦେଲେ। ଦିନ କେଇଟା ମଧ୍ୟରେ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ହୋଇଥିବା ହନୁମାନ ପାହାଡ଼ ଏବେ ଲଣ୍ଡା ହୋଇଯାଇଛି। ନା ଗଛ ଅଛି। ନା ଜୀବଜନ୍ତୁ ବସବାସ କରୁଛନ୍ତି। ଦିନେ ଶହ ଶହ ମାଙ୍କଡ଼ଙ୍କ ବାସସ୍ଥଳୀ ପାଲଟିଥିବା ପାହାଡ଼ରେ ଏବେ ରହିବାକୁ ମାଙ୍କଡ଼ ଜାଗା ଖୋଜୁଛନ୍ତି। ସ୍ଥିତି ଏମିତି ହେଲାଣି ଯେ ପକ୍ଷୀ ବସା ବାନ୍ଧିବାକୁ ଗଛ ପାଉନାହାନ୍ତି।

ସହରର ଜୈବ ବିବିଧତାକୁ ନଷ୍ଟ କରାଯାଉଥିବା ନେଇ ସ୍ବର ଉଠିବା ପରେ ଏବେ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଅଧିକାରୀମାନଙ୍କ ନିଦ ଭାଙ୍ଗିଛି। ବନ ବିଭାଗ ବି ଚେଇଁ ଉଠିଛି। ୧୫ ଦିନ ତଳେ ଜଣେ ରେଞ୍ଜରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ତଦନ୍ତ କରିଥିବା ଚନ୍ଦକା-ଡମପଡ଼ା ଅଭୟାରଣ୍ୟ କର୍ତ୍ତୃପକ୍ଷ ବି ଗଛ କାଟିବାକୁ ନିନ୍ଦା କରିବା ସହ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। କେବଳ ସେତିକି ନୁହେଁ ସ୍ଥାନୀୟ ଗ୍ରାମବାସୀଙ୍କ ସ୍ବର ଶାଣିତ ହେବା ପରେ ଏବେ ହରଡ଼ଘଣାରେ କାମ କରୁଥିବା ଠିକା ସଂସ୍ଥା। ବିରୋଧକୁ କିଭଳି ଭାବେ ମୁକାବିଲା କରିବେ ତାହାକୁ ନେଇ ଠିକା ସଂସ୍ଥାର ଅଧିକାରୀମାନେ ବାଟ ପାଉନାହାନ୍ତି। ୨୭ ତାରିଖରେ ଯେତିକି କାମ ହୋଇଥିଲା ଏବେ ମଧ୍ୟ ସେତିକିରେ ଅଟକି ରହିଛି। ତିନି ଦିନ ହେଲା କାମ ବନ୍ଦ ରହିଛି। ଠିକା ସଂସ୍ଥାର ଅଧିକାରୀମାନଙ୍କୁ ଦେଖିବାକୁ ମିଳୁ ନାହିଁ।

ଆବଶ୍ୟକତାଠାରୁ ଅଧିକ ପାହାଡ଼ ସଫା କରିଦେଲେ
୧୫ ଫୁଟିଆ ଫଳ ଗଛ ଲଗାଇବ ଓଏଫ୍‌ଡିସି

ବିଶେଷସୂତ୍ରରୁ ମିଳିଥିବା ସୂଚନା ଯେ ୨୬୭ କୋଟି ଟଙ୍କା ବ୍ୟୟରେ ୱାଟ୍‌କୋ ପକ୍ଷରୁ ନିର୍ମାଣ ହେବାକୁ ଥିବା ଏହି ପାନୀୟ ଜଳ ସଂରକ୍ଷଣ ପ୍ରକଳ୍ପ ପାଇଁ ୪ ଏକର ପରିମିତ ଜମି ଆଲଟ୍‌ ହୋଇଛି। ମାତ୍ର ନିର୍ମାଣକାରୀ ସଂସ୍ଥା ତା’ଠାରୁ ଢେର୍‌ ଅଧିକ ପାହାଡ଼ କାଟି ପଦା କରି ଦେଇଛି। ଆବଶ୍ୟକତାଠାରୁ ଅଧିକ ଜଙ୍ଗଲ କାଟିଥିବାରୁ ଏବେ ସମସ୍ୟା ବଢ଼ିଛି। ବିଡିଏ କର୍ତ୍ତୃପକ୍ଷ ବି ଅସନ୍ତୋଷ ପ୍ରକାଶ କରିଛନ୍ତି। ଦୁଇ ଦିନ ହେଲା ବିଡିଏ ଅଧିକାରୀ, ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫ୍‌ଡିସି), ୱାଟ୍‌କୋର ଅଧିକାରୀମାନେ ଶିଖରଚଣ୍ଡୀ ପାହାଡ଼ରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିବା ସହ ତତ୍‌କ୍ଷଣାତ ଗଛ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଇତିମଧ୍ୟରେ ଓଏଫ୍‌ଡିସି ପକ୍ଷରୁ ୧୫ ଫୁଟିଆ ଗଛ ଲଗାଇବା ଦିଗରେ ପଦକ୍ଷେପ ନିଆଯାଇଛି। ଏପରିକି ରାତିଅଧିଆ ଶିଖରଚଣ୍ଡୀ ପାହାଡ଼ ପାଦଦେଶରେ ଖୋଲାଥିବା ସ୍ଥାନରେ ଶତାଧିକ ଗଛ ଲଗାଯାଇଥିବା ଦେଖିବାକୁ ମିଳିଛି।

ଓଏଫ୍‌ଡିସିର ଜଣେ ଅଧିକାରୀ କହିଛନ୍ତି ଯେ ପାହାଡ଼ ସଫା କରିବା ସମୟରେ ସମ୍ପୃକ୍ତ ସଂସ୍ଥା ଠିକ୍‌ ଭାବେ ମାପଚୁପ୍‌ କରି ନାହାନ୍ତି। ବେଧଡ଼କ ଭାବେ କାଟି ଦେଇଛନ୍ତି। ଆବଶ୍ୟକତାଠାରୁ ଅଧିକ ଗଛ କାଟି ଦିଆଯାଇଛି। ପୂର୍ବରୁ ଯେଉଁ ଜଙ୍ଗଲ ଥିଲା ସେଥିରେ ବୁଦାଳିଆ ଗଛ ଅଧିକ ରହିଥିଲା। ଏବେ ସେଠାରେ ଫଳ ଗଛ ଲଗାଯିବ। ଦିନେ ଦୁଇଦିନ ଭିତରେ ଏଦିଗରେ ପଦକ୍ଷେପ ନିଆଯିବ। ଯେଉଁ ଗଛ ଲାଗିବ ସେଗୁଡ଼ିକର ଯେପରି ରକ୍ଷଣାବେକ୍ଷଣ ହୋଇପାରିବ ସେଦିଗରେ ସମସ୍ତ ପ୍ରକାର ପ୍ରୟାସ କରାଯିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।