ରାଜ୍ୟ ସ୍ପେଶାଲ ରିପୋର୍ଟ

ଶିଖରଚଣ୍ଡୀ ପାହାଡ଼ରୁ ଗଛ କଟାଯିବା ପ୍ରସଙ୍ଗ: ଓଡ଼ିଶା ଜୈବ ବିବିଧତା ବୋର୍ଡ ଚୁପ୍‌ କାହିଁକି?

ଚନ୍ଦ୍ରଶେଖରପୁର: ଶିଖରଚଣ୍ଡୀ ପାହାଡ଼ର ଜୈବବିବିଧତା ନଷ୍ଟର ସାଟେଲାଇଟ୍‌ ଛବି ଏବେ ସାମ୍ନାକୁ ଆସିଛି। ୨୦୨୨ରେ ଯେଉଁ ସବୁଜିମା ରହିଥିଲା, ତାହା ୨୦୨୩ରେ ଦେଖିବାକୁ ମିଳୁନାହିଁ। ୧୦ ଏକରରୁ ଅଧିକ ପରିମିତ ଜଙ୍ଗଲକୁ କାଟି ଦିଆଯାଇଛି। ପାନୀୟ ଜଳ ସଂରକ୍ଷଣ ପ୍ରକଳ୍ପ ୪ ଏକରରେ ହେବାକୁ ଥିବା ବେଳେ ଏହାର ଦୁଇଗୁଣ ଅଞ୍ଚଳକୁ ସଫେଇ କରାଯାଇଛି। ଆବଶ୍ୟକ ନଥିଲେ ମଧ୍ୟ ବଡ଼ ବଡ଼ ଗଛ କାଟି ପଦା କରି ଦିଆଯାଇଛି। ଜଙ୍ଗଲକ୍ଷୟ ନେଇ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଚୁପ୍‌ ବସିଥିବା ବେଳେ ଏବେ ଓଡ଼ିଶା ଜୈବ ବିବିଧତା ବୋର୍ଡ (ଓବିବି)ର କାର୍ଯ୍ୟଦକ୍ଷତା ନେଇ ପରିବେଶବିତ୍‌ମାନେ ପ୍ରଶ୍ନ ଉଠାଇଛନ୍ତି।

ସେମାନଙ୍କ ମତରେ, ଓଡ଼ିଶା ଜୈବ ବିବିଧତା ଆଇନ ୨୦୦୨ ଓ ୨୦୦୪ର ସମ୍ପୂର୍ଣ୍ଣ ଉଲ୍ଲଂଘନ ହେଉଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କେତେ ପ୍ରଜାତିର ଗଛ, ତରୁ, ଲତା ଓ ଗୁଳ୍ମ ଜାତୀୟ ଉଦ୍ଭିଦ, ଔଷଧୀୟ ଗଛ, ଜଙ୍ଗଲୀ ବୃକ୍ଷ ରହିଛି, ତାହା ଉପରେ ଗବେଷଣା କରି ଗଣନା କରାଯିବା କଥା। ଆଗାମୀ ପିଢ଼ି ପାଇଁ ସଂରକ୍ଷିତ କରି ରଖିବାର ନିୟମ ରହିଛି। ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ତରରେ ବାୟୋଡାଇଭରସିଟି ମ୍ୟାନେଜମେଣ୍ଟ କମିଟି (ବିଏମ୍‌ସି) ଗଠନ କରିବା ସହ ମ୍ୟୁନିସିପାଲ କର୍ପୋରେସନ୍‌, ମ୍ୟୁନିସିପାଲଟି, ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳରେ ଅର୍ବାନ ଲୋକାଲ ବଡିଜ୍‌ ମାଧ୍ୟମରେ ବିଏମସି ଗଠନ କରି ପିପୁଲସ୍‌ ବାୟୋ-ଡାଇଭରସିଟି ରେଜିଷ୍ଟର୍‌ ପ୍ରସ୍ତୁତ କରି ସଂରକ୍ଷିତ କରିବା ଏହାର କାମ। ଆଗାମୀ ପିଢ଼ି ପାଇଁ ଗବେଷଣା ଓ ଆୟୁର୍ବେଦର ପ୍ରସାର ପ୍ରଚାର ନିମନ୍ତେ ଏହା ଜରୁରି ବୋଲି ନିର୍ଦ୍ଦେଶ ରହିଛି। ବେଆଇନ ଭାବେ ଚେରମୂଳି ଓ ପଶୁପକ୍ଷୀଙ୍କ ଅଙ୍ଗପ୍ରତ୍ୟଙ୍ଗ ଚୋରାଚାଲାଣକୁ ରୋକିବା ପାଇଁ ଆଇନକୁ ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ରହିଛି। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଏକ ଲକ୍ଷରୁ ଅଧିକ ଟଙ୍କା ଜରିମାନା ଓ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ହୋଇପାରେ। ୨୦୧୨ରେ ଓବିବି ଗଠନଠାରୁ ଆଜି ପର୍ଯ୍ୟନ୍ତ ଏହାର ସୁଫଳ ଓଡ଼ିଶାବାସୀ ଜାଣିପାରିଲେ ନାହିଁ।

ଜୈବ ବିବିଧତା ଆଇନ ଓ ତାହାର କାର୍ଯ୍ୟକାରିତା ପାଇଁ ବିଏମ୍‌ସି ଗଠନ ଏବଂ ପିପୁଲସ୍‌ ବାୟୋ ଡାଇଭରସିଟି ରେଜିଷ୍ଟ୍ରରର ପ୍ରସ୍ତୁତି ପାଇଁ ୨୦୧୬ରେ ଏନ୍‌ଜିଟି ଦେଶର ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଖିଲାପ ହେବାରୁ ଅଧିକାଂଶ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ଉପରେ ପ୍ରତି ମାସରେ ୧୦ ଲକ୍ଷ ଟଙ୍କା ଜରିମାନା ବାବଦ ଅର୍ଥ ପୈଠ ପାଇଁ ନିର୍ଦ୍ଦେଶ ହୋଇଥିଲା। ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ହୋଇଥିଲା। ସେଥିରୁ ବର୍ତ୍ତିବା ପାଇଁ ଓବିବି ଏକ କମ୍ପ୍ଲାଏନ୍ସ ରିପୋର୍ଟ ଓ ଆଫିଡେଭିଟ ଏନ୍‌ଜିଟିରେ ଦାଖଲ କରିଥିଲେ। ଯଦି ଓବିବିର ଆଫିଡେଭିଟି ସତ୍ୟ, ତେବେ ନିକଟରେ ଶିଖରଚଣ୍ଡୀ ପାହାଡ଼ର ଅବକ୍ଷୟ ଘଟଣାରେ ଓବିବିର ନିରବତା ସନ୍ଦେହ ଘେରକୁ ଟାଣିଆଣିଛି। ବୋର୍ଡର କାମ ହେଉଛି ରାଜ୍ୟ ସରକାରଙ୍କୁ ଦିଗ୍‌ଦର୍ଶନ ପ୍ରଦାନ କରିବା।

ପାହାଡ଼ ପାଦଦେଶରେ ଏକ ନିର୍ଦ୍ଦେଶାବଳୀ ସାଇନ୍‌ ବୋର୍ଡ ଲଗାଇ ସଚେତନତା ସୃଷ୍ଟି କରିବା। ତାହା ନ କରିବା ହେତୁ ଏନ୍‌ଜିଟିଙ୍କ ଆଦେଶ ହେତୁ ସରକାର ହରଡ଼ଘଣାରେ ପଡ଼ି ନିନ୍ଦିତ ହେବାକୁ ପଡ଼ିଛି। ଏଥିପାଇଁ ଦାୟୀ କିଏ? ବେଳ ଥାଉ ଥାଉ ରାଜ୍ୟ ସରକାର ଓବିବିର କାର୍ଯ୍ୟ ପରିସର ଓ ଦକ୍ଷତାକୁ ମୂଲ୍ୟାୟନ କରି ଜୈବବିବିଧତା ସୁରକ୍ଷା କରନ୍ତୁ।

ସୂଚନା ଅନୁଯାୟୀ, କିଛି ବର୍ଷ ପୂର୍ବେ ଶିଖରଚଣ୍ଡୀ ପାହାଡ଼ର ଜୈବ ବିବିଧତା ଉପରେ ଓବିବିର ଏକ ଟିମ୍‌ ସର୍ଭେ କରିଥିଲା। କେତେ ପ୍ରଜାତିର କେଉଁ କେଉଁ ବିଲୁପ୍ତ ବୃକ୍ଷଲତା ଏଠାରେ ରହିଛି, ତାହାକୁ ନେଇ ଏକ ଡକ୍ୟୁମେ‌ଣ୍ଟସନ୍‌ ମଧ୍ୟ କରିଥିଲା। ସମ୍ପୃକ୍ତ ସଂସ୍ଥା ଏବେ କ’ଣ ପାଇଁ ଚୁପ୍‌ ବସିଛି ବୋଲି ପ୍ରଶ୍ନ ଉଠିଲାଣି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।