ରାଜ୍ୟ ସ୍ପେଶାଲ ରିପୋର୍ଟ

ଲୋୟର ସୁକତେଲ ବିସ୍ଥାପିତଙ୍କ କାହାଣୀ (୧): ଥିଲୁ ଭାଇ, ହେଲୁ କୁଣିଆ

ଭୁବନେଶ୍ବର: ଏତେବେଳକୁ କାର୍ଯ୍ୟକ୍ଷମ ହୋଇଥିଲେ, ଆସନ୍ତା ବର୍ଷ ନିମ୍ନ ସୁକତେଲ ଜଳସେଚନ ପ୍ରକଳ୍ପକୁ ଯୋଜନା କମିସନଙ୍କ ମଂଜୁରି(୧୯୯୯)ର ରୌପ୍ୟଜୟନ୍ତୀ ପାଳନ ପାଇଁ ଏବେ ପ୍ରସ୍ତୁତି କରୁଥା’ନ୍ତେ ବଲାଙ୍ଗୀରବାସୀ। ସୁଜଳା ସୁଫଳା ଶସ୍ୟଶ୍ୟାମଳା ବିସ୍ତୀର୍ଣ୍ଣ ଚାଷଜମିର ଆନନ୍ଦ, ବିସ୍ଥାପନର ଦୁଃଖଯନ୍ତ୍ରଣାକୁ ଇତିମଧ୍ୟରେ ବେଶ୍ ଉପଶମ କରିସାରନ୍ତାଣି। ଅବିଭକ୍ତ ବଲାଙ୍ଗୀରର ବହୁ ପ୍ରତୀକ୍ଷିତ ଏହି ଜୀବନରେଖା ଶେଷରେ ପୂର୍ଣ୍ଣାଙ୍ଗ ରୂପ ନେବାକୁ ଯାଉଛି। ଜୋର୍‌ସୋର୍‌ରେ କାମ ଆଗେଇଚାଲିଛି। ଉଭୟ ୧୨ ଗେଟ୍‌ ବିଶିଷ୍ଟ କଂକ୍ରିଟ୍ ସ୍ପିଲ୍‌ୱେ ଓ ୧୪୧୦ ମିଟର ଦୀର୍ଘ ମାଟିବନ୍ଧ ଉପରେ ମାଳମାଳ ଇଂଜିନିୟର ଓ ଶ୍ରମିକ, ଗାଡ଼ିମଟର-ଯନ୍ତ୍ରାଦି ସହ କାମରେ ଲାଗିପଡ଼ିଛନ୍ତି। ତେବେ ସେମାନଙ୍କ ସଂଖ୍ୟାକୁ ବଳିଯାଉଛି ଉତ୍ସାହୀ ଜିଲ୍ଲାବାସୀଙ୍କର ପର୍ଯ୍ୟଟକ-ସୁଲଭ ଆଚରଣ। ସାମାଜିକ ଗଣମାଧ୍ୟମରେ ଲୋକେ ବର୍ଷା କରିଦେଉଛନ୍ତି ଫଟୋ ଓ ଭିଡିଓ। ଅନତି ଦୂରରେ ୫-ଟି ସଚିବଙ୍କ ଗସ୍ତପାଇଁ ତିଆରି ହେଉଥିବା ହେଲିପ୍ୟାଡ୍ ଲୋକଙ୍କ ଉତ୍ସୁକତା ଯେତେ ବଢ଼ାଉଛି, ପ୍ରକଳ୍ପ ସ୍ଥଳର ଦେଖଣାହାରୀଙ୍କ ପାଇଁ ବିପଣୀ ମେଲାଇଥିବା ଚାଟ୍-ଆଇସକ୍ରିମ୍-ବରା-ଚଣା ଆଦି ଉତ୍ସାହ-ଉଦ୍ଦୀପନାର ବାର୍ତ୍ତା ଦେଉଛି। ୧୯ କି.ମି ଦୂରରେ ଥିବା ବଲାଙ୍ଗୀର ସହରବାସୀଙ୍କ ପାଇଁ କିଛିଦିନ ହେଲା ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ଏହି ପ୍ରକଳ୍ପ। ସେପଟେ ଗତ ୩ ବର୍ଷ ହେଲା ବିସ୍ଥାପନର ଅକଥନୀୟ ଦୁଃଖକୁ ଅନିଚ୍ଛା ସତ୍ତ୍ବେ ବରଣ କରିନେଇଥିବା ଗାଁଗୁଡ଼ିକର ତାଲିକାରେ ନିଜକୁ କୁଣ୍ଠିତ ଓ କୋହଭରା ମନରେ ବାଧ୍ୟହୋଇ ସାମିଲ୍‌ କରୁଛନ୍ତି ଅବଶିଷ୍ଟ ଗାଁ’ର ଅଧିବାସୀ। ଗତ ଶୁକ୍ରବାର ଦିନ ଉଭୟ ହର୍ଷବିଷାଦ ମଧ୍ୟରେ ବହୁ ପୁରୁଣା ଜଗନ୍ନାଥ ମନ୍ଦିରର ବିଗ୍ରହଙ୍କୁ ବିଦାୟ ଦେଇ ଝାଁକରପାଲି ଗାଁରେ ସ୍ଥାପନର ଅବଶିଷ୍ଟ କାର୍ଯ୍ୟ ଶେଷ ହେବା ପରେ ଉଭୟ ଆଶ୍ବସ୍ତି ଓ ଅସ୍ବସ୍ତି ଭିତରେ ଡୁବିଥିଲେ ଆଉ କିଛି ଗ୍ରାମବାସୀ।

ଗତ ୩୧ ଜୁଲାଇ ସୋମବାର ମଧ୍ୟାହ୍ନରେ ଡୁଙ୍ଗୁରିପାଲି ଗ୍ରାମର ଦୃଶ୍ୟ ଥିଲା କିଛି ଏହିପରି:- ସ୍ପିଲ୍‌ୱେ ତଳପଟେ ଅସ୍ଥାୟୀ ପୋଲ ଦେଇ ପ୍ରାୟ ୩ କି.ମି ଦୂର ଗଡ଼ଶଙ୍କର-ଡୁଙ୍ଗୁରିପାଲି ଗାଁରେ (ଖୁଁଟ୍‌ପାଲି ନିକଟ ଗ୍ରାମ) ପହଞ୍ଚିବା ଭିତରେ ରାସ୍ତାର ଦୁଇକଡ଼େ ଧରାଶାୟୀ ହୋଇ ପଡ଼ିଥିବା ବଡ଼ବଡ଼ କଟାଗଛର ଦୃଶ୍ୟ, ପ୍ରକୃତି ପ୍ରତି ସାମାନ୍ୟତମ ସରାଗ ଥିବା ଯେକୌଣସି ସମ୍ବେଦଳନଶୀଳ ମଣିଷର ମନକୁ ବିଷାଦରେ ଭରିଦେବା ପରି ଥିଲା। ଲୋଇସିଂହା ବ୍ଲକ୍‌ ଅନ୍ତର୍ଗତ ଏହି ଗାଁ’ଟିର ଦୃଶ୍ୟ ମଧ୍ୟ କିଛି କମ୍ ଚେତନା ଉଦ୍ରେକକାରୀ ନଥିଲା। ୫ଟି ଘରକୁ ଛାଡ଼ିଦେଲେ ସମସ୍ତେ ନିଜ ଘରଗୁଡ଼ିକୁ ଭାଙ୍ଗିଦେଇ ଅନ୍ୟତ୍ର ଚାଲିଗଲେଣି। ହେଲେ ମନ ବୁଝୁନି। କିଛି ପରିବାରରୁ ଯୁବ ଓ ମଧ୍ୟବୟସ୍କ ବର୍ଗର ଲୋକେ ସ୍ମୃତି ରୋମନ୍ଥନ ପାଇଁ ପ୍ରତ୍ୟହ ସ୍କୁଟି, ବାଇକ୍‌, ସାଇକଲରେ ନିଜ ଭିଟାମାଟିରେ ପହଞ୍ଚି ଯାଉଛନ୍ତି। କ୍ୟାମେରା ଦେଖିଲେ ନିଜ ଦୁଃଖଭରା କାହାଣୀ କହୁଛନ୍ତି। ଗାଁ’ପଟରୁ ନିର୍ମାଣାଧୀନ ସ୍ପିଲ୍‌ୱେର ଉପର ମୁଣ୍ଡର ଦୃଶ୍ୟକୁ ନିଜନିଜ କ୍ୟାମେରାରେ ତୋଳିବାକୁ ଚେଷ୍ଟା କଲାବେଳେ ଆଉ କିଛି ପିଲା ମଧ୍ୟ ଭାବାବେଗକୁ ଅନୁଭବ କରୁଥିଲେ। ସ୍ପିଲ୍‌ୱେର ପରୀକ୍ଷାମୂଳକ ଜଳପରିଚାଳନା ଯୋଗୁଁ ଗାଁର ଉତ୍ତର-ପୂର୍ବ ପଟରୁ ଦକ୍ଷିଣ ଯାଏ ଜଳମଗ୍ନ ହେଉଥିବା ଦେଖି ବୟସ୍କ ଗ୍ରାମବାସୀ ଓ ସେଇ ଗାଁ’ର କିଛି ସମୁଦୀ ମଧ୍ୟ ଭାବବିହ୍ବଳ ହୋଇ ଉଠୁଥିଲେ। ‘ଶ୍ରାବଣ୍ ମାସେ ନାଇଁ ହଟେଇକରି ମାସ୍ ଛଏ ଯେଇଦେଇଥିଲେ କାଏଁଟା ହେଇଯାଇଥିତା? ଇ ଗୁଲ୍‌ଗୁଲା ଦେଖିନାଇଁହେବାର୍।’ ‘‘ଥିଲେ ଥିଲେ, କା’ଣା ଗୁଟେ ହେଲା ଯେ ହଠାତ୍ ସବ୍ ହର୍‌ବରାଲେ। ଗଛ୍‌ଖୁଟ୍ ଗଲେ ବିକ୍‌ବାର୍ ଲାଗି ସମିଆ ନାଇଁ ମିଲ୍‌ଲା। ହେଥ୍‌ରର୍‌ ଲାଗି ଇ ଲୁହାଥୁ ହେଲେ କିଛି ମିଲୁ ବଲ୍‌ବାର୍ ହଉଛେ।’’ -ଲୁହାରଡ୍ ସଂଗ୍ରହ ନିମନ୍ତେ ନିଜନିଜ ଭଙ୍ଗାଘରୁ କଂକ୍ରିଟ୍‌ ଭାଙ୍ଗିବା କାମରେ ଲାଗିଥିବା କିଛି ବିସ୍ଥାପିତ ଏପରି କହୁଥିଲେ। ଏପରି ପ୍ରତିକ୍ରିୟା ମାନବୀୟ ଦୃଷ୍ଟିକୋଣରୁ ଆଦୌ ଅଯୌକ୍ତିକ ନଥିଲା। ‘‘କେବଳ ମୁଣ୍ଡପିଛା କ୍ଷତିପୂରଣ ମିଳିଛି, ଜମି ଓ ଘରବାଡ଼ି ପାଇଁ କିଛି ମିଳିନାହିଁ; ତେଣୁ ଟାକିଛୁ ବୋଲି ଆଉ କିଛି ଲୋକ କହିଥିଲେ। ବୁଡ଼ିବାକୁ ଯାଉଥିବା ଡୁଙ୍ଗୁରିପାଲି ମଡେଲ୍ ସ୍କୁଲ୍‌ରେ କିଛି ଲୋକଙ୍କ ଗହଣରେ ବସିଥିବା ସରପଞ୍ଚ ସଦାଶିବଙ୍କ କହିବା କଥା ହେଲା, ମୁଣ୍ଡପିଛା ସାଙ୍ଗକୁ ଜମି ଓ ଘରର ମଧ୍ୟ କ୍ଷତିପୂରଣ ଅଧିକାଂଶ କ୍ଷେତ୍ରରେ ମିଳିସାରିଛି। ଏହି ଗାଁର ଲୋକଙ୍କୁ ଗେଡ଼ାବାଂଜିଠାରେ ଅସ୍ଥାୟୀ ଭାବେ ଥଇଥାନ ମଧ୍ୟ କରାସରିଛି। ତେବେ ଯେଉଁ ପରିବାରମାନଙ୍କରେ ଜମିବାଡ଼ିକୁ କେନ୍ଦ୍ର କରି ବିବାଦ ତୁଟି ନ ଥିଲା କିମ୍ବା ଯେଉଁମାନଙ୍କର ଆତ୍ମୀୟସ୍ବଜନଙ୍କର ଦସ୍ତଖତ ଆଦି ମିଳିପାରିନାହିଁ, ସେମାନେ ପାଇନାହାନ୍ତି। କିନ୍ତୁ ଡିସ୍‌ମିଲ ୩୦ ହଜାର ଟଙ୍କା ମୂଲ୍ୟରେ କ୍ଷତିପୂରଣ ମିଳିଥିବା ବେଳେ ଯେଉଁଠାକୁ ପୁନର୍ବାସ ପାଇଁ ଯିବେ ସେଠାରେ ଜମିର ମୂଲ୍ୟ ଷାଠିଏସତୁରୀ ହଜାରରୁ ନେଇ ଲକ୍ଷେ ଟଙ୍କା ଯାଏଁ।

ଆଉ ଏକ ବୁଡ଼ିଯାଉଥିବା ଗାଁ’ କୁଟେନପାଲି(ଢେକାପାଲି)ର ବ୍ରଜ ନାଗଙ୍କ ପୁଅ କୃଷ୍ଣଚନ୍ଦ୍ର ଓ କେଶବ ତଥା ଅକ୍ଷୟ ନାଗଙ୍କ ପୁଅ ବେଦବର -ଏଇ ତିନି ଭାଇ ବିଛୋଡ଼ ହୋଇଯାଇ ଯଥାକ୍ରମେ ଭଞ୍ଜ ବରକାନି, ଚାଣ୍ଡିମୁଣ୍ଡା ଓ ଭୁତିଆରବାହାଲରେ ରହିଛନ୍ତି। ଏହ ତିନିଭାଇଙ୍କ ପ୍ରତିକ୍ରିୟା ଏକ ମାନବୀୟ ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିଲା। ‘ସବୁ ଭାଏ ତ ଭର୍‌ନା ପାଏଲେ, ଘର୍‌ଦ୍ବାର୍‌ କରିକରି ତ ସୁଖେ ରହେଲେନ। ଅସୁବିଧା କେନ?’ ଏହି ପ୍ରଶ୍ନଟିର ଉତ୍ତରରେ ଥିବା କାରୁଣ୍ୟ ଏଇ ଶତାବ୍ଦୀର ପ୍ରଥମ ଦୁଇ ଦଶନ୍ଧି ଓ ତା’ପୂର୍ବରୁ ଜନ୍ମ ହୋଇଥିବା ତିନି ପିଢ଼ିର ଉଦ୍‌ବାସ୍ତୁଙ୍କୁ ଜୀବନତମାମ ଦୋହଲାଇଦେବାର ଆଭାସ ଦେଉଥିଲା। ସେମାନଙ୍କ କହିବା କଥା ହେଲା, ଆମେ ଯେନେ୍ତେଇ ବି ରହୁଁ, ଗୁଟେ ଛାତ୍‌ତଲେଁ ଥିଲୁଁ। ଏତ୍‌କର୍‌ ବିହାବଡ଼ୁଶୁଦ୍ଧି ବେଲ୍‌କେଁ ସିନେ ଏକ୍‌ଠାନିଆ ହେମୁଁ! ହେଟା କୁନୁଆଁ ହେଲୁଁ କି ନି? ଅନ୍ୟ ପକ୍ଷରେ ଭବିଷ୍ୟତକୁ ନେଇ ବେଶ୍ ଆଶାବାନ୍ ହେଉଥିବା ଲୋକ ମଧ୍ୟ ଦେଖିବାକୁ ମିଳିଥିଲେ।

ବଲାଙ୍ଗୀର-ପାଟଣାଗଡ଼ ରାସ୍ତାରେ ୧୨ କି.ମି. ଗେଡ଼ାବାଂଜି ଛକରୁ ଡାହାଣକୁ ପ୍ରକଳ୍ପ ସ୍ଥଳକୁ ପହଞ୍ଚିବା ପାଇଁ ଲାଗୁଥିବା ୭ କି.ମି. ରାସ୍ତାରେ ପୂର୍ବରୁ ଶିଆଲଜୁରୀ, ବାନ୍ଧନଘୋର ଓ ମାଗୁରବେଡ଼ା ଗାଁ ପଡ଼ୁଥିଲା। ଏବେ ଗଛପତ୍ରର ସେଇ ବିସ୍ତୀର୍ଣ୍ଣ ସବୁଜିମା ମଧ୍ୟ ଜନବସତିରେ ପରିଣତ ହେବାର ଆଭାସ ମିଳିଲାଣି। ପୂର୍ବ ବିସ୍ଥାପିତ ଆଖପାଖ ଗାଁ’ର ଲୋକେ ଏହି ଅଞ୍ଚଳରେ ଜମିବାଡ଼ି କିଣି ଘରବାଡ଼ି କଲେଣି। ଗଛକଟା ଏକରକମ ଅନିବାର୍ଯ୍ୟ ହୋଇପଡ଼ିଛି। ଇତିମଧ୍ୟରେ ଜମିଦର ବଢ଼ିଗଲାଣି। ଶେଷ ଭାଗରେ ବିସ୍ଥାପିତ ହେଉଥିବା ଲୋକଙ୍କ ମୁଣ୍ଡରେ ଚଡ଼କ। ତେବେ ଲାଭରେ ଅଛନ୍ତି ବିସ୍ଥାପନର ଏଇ କିଛିବର୍ଷ ପୂର୍ବରୁ ଜମିବାଡ଼ି କିଣିଥିବା ବାହାର ଅଞ୍ଚଳର ଲୋକ। କ୍ଷତିପୂରଣର ପ୍ରକୃତ ହିତାଧିକାରୀ ହେଲେ ସେମାନେ।

ଦୁଇ ଦଶନ୍ଧି ତଳେ ଯୁକ୍ତ ଦୁଇ ଶ୍ରେଣୀରେ ପ୍ରଖ୍ୟାତ କଥାଶିଳ୍ପୀ ମନୋଜ ଦାସଙ୍କ ‘ସବ୍‌ମର୍ଜଡ୍ ଭେଲି’ ପାଠରେ ହୀରାକୁଦ ବିସ୍ଥାପନର କରୁଣ କାହାଣୀ ପିଲାଏ ପଢ଼ୁଥିଲେ। ଏଇ ବିସ୍ଥାପିତ ଡୁଙ୍ଗୁରିପାଲି ଗାଁ’ର ଶେଷଦେବ ଓ ଚନ୍ଦ୍ରକାନ୍ତିଙ୍କ ଝିଅ ତଥା ବଲାଙ୍ଗୀର କଲେଜରେ ଯୁକ୍ତ ତିନି ଦ୍ବିତୀୟ ବର୍ଷ ଛାତ୍ରୀ ସୁନେଲି ପ୍ରଧାନଙ୍କ କାହାଣୀ ପ୍ରାୟ ସେୟା। ‘‘ଯେଉଁ ଗାଁ’ଦାଣ୍ଡରେ ଦିନେ ଆମେ ଖେଳୁଥିଲୁ ତାହା ଉଜୁଡ଼ିଯାଇସାରିଛି। ଏବେ ଭଗ୍ନ ଇଟା ଓ ପଥର ପାଲଟିଥିବା ଘରଟି ପାଖକୁ ଆସି ପୁରୁଣା ସ୍ମୃତି ରୋମନ୍ଥନ କରିବାର ଯାହା କିଛି ଟିକେ ସୁଯୋଗ ଅଛି, କିଛି ମାସ ପରେ ସେଇ ଅଞ୍ଚଳ ପୂରା ଜଳମଗ୍ନ ହୋଇଗଲେ ଆଉ ସେଇ ସୁଯୋଗ ବି ରହିବନି।’’ ହୀରାକୁଦ ବିସ୍ଥାପନ ପରେ ବେଶ୍ ଦୂରରୁ ରମ୍ପେଲା ଗ୍ରାମବାସୀ ଯେପରି ‘ହାଆଦେ, ହେନ ଆମର୍ ଗାଁ ଥିଲା, ହେନ ଆମେ ନାଚୁଥିଲୁଁ, ଡେଗୁଥିଲୁଁ’ କହି ଭାବବିହ୍ବଳ ହେଉଥିଲେ, ଡୁଙ୍ଗୁରିପାଲି ସମେତ ୨୯ ଗାଁ’ର ବିସ୍ଥାପିତ ଲୋକେ ବେଶ୍‌ କିଛି ଦଶନ୍ଧି ଧରି ଅନୁରୂପ ଭାବେ ନିଜନିଜ ପୁରୁଣା ଗାଁ’କୁ ନେଇ ବାହୁନି ହେଉଥିବେ। ଜିଲ୍ଲାବାସୀଙ୍କର ଏହି ସ୍ବପ୍ନର ପ୍ରକଳ୍ପକୁ ସାକାର କରିବା ପାଇଁ ଉଭୟ ପ୍ରକୃତି ଓ ବୁଡ଼ିଅଞ୍ଚଳବାସୀଙ୍କର ଉପରୋକ୍ତ ତ୍ୟାଗ ପ୍ରତି ସମ୍ମାନ ସମ୍ଭବ ହେବ ସମସ୍ତ ବିସ୍ଥାପିତଙ୍କୁ କ୍ଷତିପୂରଣ ପ୍ରଦାନ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।