ରାଜ୍ୟ

ଲୋପ ପାଇଯିବ ଓଡ଼ିଶା ପୁଲିସର ଐତିହାସିକ ​ହୋମର୍‌ ପାରା: ୧୯୪୬ରେ ପୁଲିସ ବାର୍ତ୍ତାବହ ଭାବେ ସାମିଲ ହୋଇଥିଲେ

କଟକ: ଓଡ଼ିଶା ପୁଲିସ ଗଠନ ହେବା ସମୟରେ ୧୯୪୬ରେ ଦୂରଦୂରାନ୍ତକୁ ବାର୍ତ୍ତା ପ୍ରେରଣ ପାଇଁ ବିଭାଗରେ ସ୍ବତନ୍ତ୍ର ଭାବେ ସାମିଲ କରାଯାଇଥିଲା ହୋମର୍ ପ୍ରଜାତିର ତାଲିମପ୍ରାପ୍ତ ପାରାଙ୍କୁ। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଏହି ପାରା ବାର୍ତ୍ତା ପ୍ରେରଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ। କିନ୍ତୁ ଏହି ଐତିହାସିକ ପାରାଙ୍କୁ ପରପିଢି ପାଇଁ ସାଇତି ରଖିବା ବଦଳରେ ଏବେ ଏହି ପାରା ବଂଶ ବୁଡ଼ାଇବା ଦିଗରେ ପଦକ୍ଷେପ ନିଆଯାଉଛି। ଗୋଟିଏ ସମୟରେ ରାଜ୍ୟରେ ଥିବା ୭୬୬ ପାରା ଏବେ ୧୪୯କୁ ଖସିଲେଣି। ଉଭୟ କଟକ ବକ୍ସିବଜାର ଓ ଅନୁଗୁଳ ପୁଲିସ ତାଲିମ କେନ୍ଦ୍ର (ପିଟିସି)ରେ ପାରା ଅଣ୍ଡା ନିୟମିତ ଭାବେ ନଷ୍ଟ କରାଯାଉଛି। ପାରା ସଂଖ୍ୟା ୧୫୦ ଭିତରେ ରଖିବାକୁ ଗୃହ ବିଭାଗ ଚିଠି ବି କରିଛି। ଯାହାକି ପରୋକ୍ଷରେ ବହୁ ଐତିହାସିକ ଘଟଣାର ସାକ୍ଷୀ ଥିବା ହୋମର୍ ପାରା ବଂଶ ବୁଡ଼ିବା ପଛର ପ୍ରମୁଖ କାରଣ ବୋଲି କୁହାଯାଉଛି।

ଓଡ଼ିଶା ପୁଲିସର ଏକ ରିପୋର୍ଟ କହୁଛି ଯେ ୧୯୯୪ ଜୁଲାଇ ୨୫ ତାରିଖରେ କଟକ ଜିଲ୍ଲାରେ ୪୫, କଟକ ବକ୍ସିବଜାର କେନ୍ଦ୍ରୀୟ ପ୍ରଜନନ କେନ୍ଦ୍ରରେ ୩୩, କଟକ ଷଷ୍ଠ ବାଟାଲିୟନ ଭିତରେ ମୋବାଇଲ୍ ନିଟରେ ୧୬, ପୁରୀରେ ୪୫, ବାଲେଶ୍ବରରେ ୨୦, ଚାନ୍ଦବାଲିରେ ୧୭, ବସ୍ତାରେ ୧୮, ବାରିପଦାରେ ୨୦, ରାଇରଙ୍ଗପୁରରେ ୨୩, ଛତ୍ରପୁରରେ ୪୫, ପାରାଳାଖେମୁଣ୍ଡିରେ ୧୪, ଭଞ୍ଜନଗରରେ ୧୦, ଆର.ଉଦୟଗିରିରେ ୧୮, କୋରାପୁଟରେ ୧୩, ଗୁଣୁପୁରରେ ୧୩, ଫୁଲବାଣୀରେ ୧୮, ବାଲିଗୁଡ଼ାରେ ୧୩, ଭବାନୀପାଟଣାରେ ୩୩, କୁଟ୍ରୁରେ ୧୩, ସମ୍ବଲପୁରରେ ୫୦, ପଦ୍ମପୁରରେ ୨୦, ବଲାଙ୍ଗୀରରେ ୭୨, ସୋନପୁରରେ ୨୫, ଢେଙ୍କାନାଳରେ ୧୩, କାମାକ୍ଷାନଗରରେ ୩୭, ସୁନ୍ଦରଗଡ଼ରେ ୫୦, ବଣେଇରେ ୧୬, କେନ୍ଦୁଝରରେ ୩୩, ଅନୁଗୁଳ ପୁଲିସ ଟ୍ରେନିଂ ସ୍କୁଲରେ ୨୩ଟି ଥିଲେ। ମୋଟ ୨୯ଟି ପାରା ସେବା କେନ୍ଦ୍ରରେ ୭୬୬ଟି ପାରା ସାରା ରାଜ୍ୟରେ ଥିଲେ।

ପ୍ରତି ଶହେ ପାରାଙ୍କ ପିଛା ବାର୍ଷିକ ଖାଦ୍ୟ ଓ ଔଷଧ ବାବଦ ଖର୍ଚ୍ଚ ଏକ ଲକ୍ଷ ଟଙ୍କା ହେଉଥିବାରୁ କଟକ ଓ ଅନୁଗୁଳକୁ ବାଦ୍ ଦେଲେ ରାଜ୍ୟର ଅନ୍ୟ ସମସ୍ତ ପାରା ସେବା କେନ୍ଦ୍ରକୁ ବନ୍ଦ କରିଦେବାକୁ ଗୃହ ବିଭାଗ ନିର୍ଦ୍ଦେଶ ଦେଇଥିଲା। ୨୦୦୭ ଡିସେମ୍ବର ୨୭ ତାରିଖରେ ଗୃହ ବିଭାଗ ପକ୍ଷରୁ ଅନୁଗୁଳ ପୁଲିସ ଟ୍ରେନିଂ ସ୍କୁଲ ଓ କଟକ ବକ୍ସିବଜାର ପାରା ସେବା କେନ୍ଦ୍ରରେ କେବଳ ପୁଲିସ ପାରା ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଅନୁଗୁଳରେ ୫୦ଟି ଓ କଟକରେ ୧୦୦ଟି ପାରା ରଖିବାକୁ ନିର୍ଦ୍ଦେଶ ଥିଲା। ଏହି ଚିଠି ମିଳିବା ପରେ ଅନୁଗୁଳକୁ ବାଦ ଦେଲେ ରାଜ୍ୟର ଅନ୍ୟାନ୍ୟ ପାରା ସେବା କେନ୍ଦ୍ରରୁ ପୁଲିସ ପାରାଙ୍କୁ କଟକ ବକ୍ସିବଜାରରେ ଥିବା କେନ୍ଦ୍ରକୁ ସ୍ଥାନାନ୍ତର କରାଗଲା। ପରବର୍ତ୍ତୀ ପର୍ଯ୍ୟାୟରେ ଏଠାରେ ଥିବା ଅନେକ ପାରା ରୋଗାକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡ଼ିଥିବା ବେଳେ ଆଉ କିଛି ଉଡ଼ିଯାଇଥିବା କୁହାଯାଉଛି। ସଂକ୍ରମଣ ବଢ଼ିବାରୁ ପାରାଙ୍କ ପ୍ରତି ବିପଦ ବଢ଼ିଯାଇଥିଲା। ଫଳରେ ପାରା ସଂଖ୍ୟା ହ୍ରାସ ପାଇଛି। କଟକରେ ଏବେ ୧୦୪ ପାରା ଥିବା ବେଳେ ଅନୁଗୁଳରେ ୪୫ଟି ଅଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ୨୦୦୭ ପରଠାରୁ ହୋମର୍ ପାରା ବଂଶ ନିର୍ଦ୍ଦିଷ୍ଟ ସଂଖ୍ୟା ଭିତରେ ରଖିବାକୁ ଯେଉଁ ଚିଠି ହୋଇଥିଲା, ଏହା ପରୋକ୍ଷରେ ପାରା ବଂଶ ଲୋପ କରିବା କ୍ଷେତ୍ରରେ ସହଯୋଗ କରୁଛି। ପାରା ଅଣ୍ଡା ଦେଲେ ଏହି ଅଣ୍ଡାରୁ ଛୁଆ ଫୁଟିବାକୁ ଦିଆଯାଉନାହିଁ। ତୁରନ୍ତ ଏହାକୁ ନଷ୍ଟ କରାଯାଉଛି। ପୁଲିସ ବିଭାଗ ଆର୍ଥିକ ସ୍ତରରେ ଏତେ ଦୁର୍ବଳ ହୋଇପଡ଼ିଛି ଯେ ଐତିହାସିକ ଘଟଣାର ମୁକସାକ୍ଷୀ କୁହାଯାଉଥିବା ହୋମର୍ ପ୍ରଜାତିର ପାରାଙ୍କୁ ଭବିଷ୍ୟତ ପିଢ଼ି ପାଇଁ ବଞ୍ଚାଇ ରଖିବା କ୍ଷେତ୍ରରେ ଅସମର୍ଥ ହୋଇପଡ଼ିଛି।

ପୂର୍ବରୁ ୨୯ଟି ପାରା ସେବା କେନ୍ଦ୍ରରେ ଦୁଇ ଜଣ ଲେଖାଏ କନଷ୍ଟେବଳ ଥିଲେ। କିନ୍ତୁ ପରେ ଏଗୁଡ଼ିକ ଉଚ୍ଛେଦ କରିଦିଆଗଲା। କଟକ ପାରା ସେବା କେନ୍ଦ୍ରରେ ପୂର୍ବରୁ ଜଣେ ଇନସ୍ପେକ୍ଟର, ଦୁଇ ଏସଆଇ, ଜଣେ ଏଏସଆଇ, କନଷ୍ଟେବଳ ତିନି ଜଣ ଥିଲେ। ଏବେ ଜଣେ ଏସଆଇ ଓ ଦୁଇ କନଷ୍ଟେବଳ ଅଛନ୍ତି। କଟକ ଅଧୀନରେ ଥିବା ଅନୁଗୁଳରେ ପୂର୍ବରୁ ଦୁଇ ଜଣ କନଷ୍ଟେବଳ ଥିଲେ। ଏବେ ଜଣେ ମାତ୍ର କନଷ୍ଟେବଳ ଅଛନ୍ତି। ଏଭଳି ସ୍ଥିତି ପାରା ସେବା କେନ୍ଦ୍ରକୁ ସମ୍ପୂର୍ଣ୍ଣ ବିଲୋପ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଥିବା ଆଶଙ୍କା କରାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।