ରାଜ୍ୟ

ଲୋକେ ଯାହା ଚାହିଁବେ, ସରକାର ସେୟା କରିବେ: ପାଣ୍ଡିଆନ

ପାରଳାଖେମୁଣ୍ଡି/ରା.ଉଦୟଗିରି/ କାଶୀନଗର: ‘ଲୋକମାନେ ଯାହା ଚାହିଁବେ, ସରକାର ସେୟା କରିବେ। ଅନ୍ୟ କୌଣସି ସରକାରରେ ଏହା ହେବ ନାହିଁ। ସାତ ମାସରେ କେବଳ ଗଜପତି ଜିଲ୍ଲାକୁ ୨୭୯ କୋଟି ଟଙ୍କା ଦିଆଯାଇଛି। ଲୋକଙ୍କ ଦରଖାସ୍ତ ଆଧାରରେ ସରକାର ଏହି ଟଙ୍କା ମଞ୍ଜୁର କରିଛନ୍ତି। ଏ ସରକାର ଲୋକଙ୍କର।’ ଆଜି କାଶୀନଗରଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏଭଳି ବକ୍ତବ୍ୟ ରଖିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଓଡ଼ିଶା ଗଠନ ସ୍ବପ୍ନକୁ ସାକାର କରିବାକୁ ଗଜପତିବାସୀଙ୍କ ସହଯୋଗ ଲୋଡ଼ିଛନ୍ତି। ଆଜି ଦିନିକିଆ ଗସ୍ତରେ ଶ୍ରୀ ପାଣ୍ଡିଆନ ଗଜପତି ଆସିଥିଲେ।

କାଶୀନଗର ନୀଳମଣି ଦୁର୍ଗା ମନ୍ଦିର ପଡ଼ିଆ ଠାରେ ଆୟୋଜିତ ସଭାରେ ୫ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ କହିଲେ – ୭ମାସ ଭିତରେ ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀ ପାଇଁ ୧୧୮ କୋଟି ୩୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ମେ’ ୧୦ ତାରିଖରେ ୩୮୦ଟି ଦରଖାସ୍ତ ସେ ପାଇଥିଲେ। ସେଥିମଧ୍ୟରୁ ୩୫୦ଟିର ସମାଧାନ କରିବାରେ ସେ ସଫଳ ହୋଇଛନ୍ତି। ଗୁମ୍ମାରେ ନୂଆ ସରକାରୀ ଡିଗ୍ରି କଲେଜକୁ ଅନୁମୋଦନ ଦିଆଯାଇଥିବା ବେଳେ ଗୁମ୍ମା ହାଇସ୍କୁଲକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରୂପାନ୍ତର କରାଯିବ। ପାରଳାରେ ୪ ଲେନ୍ ବିଶିଷ୍ଟ ବାଇପାସ୍ ରାସ୍ତା ପାଇଁ ୫୦ କୋଟି, ଏସ୍‌କେସିଜି କଲେଜର ଉନ୍ନତୀକରଣ ପାଇଁ ୨କୋଟି ୨୫ଲକ୍ଷ, କାଶୀନଗର ଶ୍ରୀରାମ ଡିଗ୍ରି କଲେଜର ୫ଟି ରୂପାନ୍ତର ଲାଗି ୫୦ ଲକ୍ଷ, ଗୁମ୍ମା ଏସ୍‌ସିଏସ୍‌ଟି ବିଭାଗ ତୁମୁଲ ହାଇସ୍କୁଲ ପାଇଁ ୫୦ ଲକ୍ଷ, କୃଷ୍ଣସାଗର ପାଇଁ ୩ କୋଟି ୧୦ଲକ୍ଷ, ରାମସାଗର ପାଇଁ ୩ କୋଟି ୫୦ ଲକ୍ଷ, ଗଜପତି ସାଗର ଉନ୍ନତୀକରଣ ପାଇଁ କୋଟିଏ ୪୦ ଲକ୍ଷ ଟଙ୍କା ମଂଜୁର କରାଯାଇଛି। ଗୁମ୍ମାରେ ମଡେଲ୍ ବସ୍‌ଷ୍ଟାଣ୍ଡ କାମ ସରିଛି, ପିଇବା ପାଣି ପ୍ରତି ଘରେ ପାଇପ୍ ଯୋଗେ ପହଞ୍ଚାଇ ଦେବାକୁ ବର୍ତ୍ତମାନ କାମ ଆରମ୍ଭ ହେବ। ମନ୍ଦିର, ମସଜିଦ୍, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ସଂପର୍କିତ ଦରଖାସ୍ତ ସମ୍ପର୍କରେ ଏବଂ ଆଶା, ଅଙ୍ଗନବାଡ଼ି ଦିଦି, ସ୍ବଚ୍ଛ ସାଥୀଙ୍କ ଦରମା ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ଖୁସି ଖବର ଦେବେ ବୋଲି ସେ କହିଛନ୍ତି। ପ୍ରତି ପଞ୍ଚାୟତରେ ବ୍ୟାଙ୍କସେବା ସୁବିଧା ମିଳିବ। ଗ୍ରାମାଞ୍ଚଳରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ନଥିବା ଲୋକଙ୍କୁ ବିଏସ୍‌କେୱାଇ ନବୀନ କାର୍ଡ ପାଇଁ ଆବେଦନ କରିବା ସକାଶେ ସେ ପରାମର୍ଶ ଦେଇଥିଲେ।

ଗଜପତିରେ ୫-ଟି ଅଧ୍ୟକ୍ଷ ବିଦ୍ୟାର୍ଥୀଙ୍କୁ ଦେଲେ ସଫଳତାର ମନ୍ତ୍ର
ମୋହନା ପାଇଁ ୧୬୦ କୋଟି, ପାରଳାକୁ ୧୧୮ କୋଟିର ଅନୁଦାନ ଘୋଷଣା
ଆସନ୍ତା ମାସରୁ ମିଳିବ ବର୍ଦ୍ଧିତ ମାସିକ ଭତ୍ତା

ରାମଗିରି ହାଇସ୍କୁଲ ଖେଳପଡ଼ିଆ ଠାରେ ଆୟୋଜିତ ସମାବେଶରେ ଯୋଗ ଦେଇ ଶ୍ରୀ ପାଣ୍ଡିଆନ କହିଲେ – ବାର୍ଦ୍ଧକ୍ୟ ଭତ୍ତା ହେଉ କି ଭିନ୍ନକ୍ଷମ, କଳାକାର ଭତ୍ତା ହେଉ କି ଅନ୍ୟାନ୍ୟ ହିତାଧିକାରୀ, ସଭିଏଁ ବର୍ଦ୍ଧିତ ଭତ୍ତା ଆସନ୍ତା ମାସରୁ ପାଇବେ। ଏହି ଅବସରରେ ସେ ମୋହନା ବ୍ଲକର ୪ଟି ପଞ୍ଚାୟତର ଉନ୍ନତି ସକାଶେ ୧୬୦ କୋଟିର ଅନୁଦାନ ଘୋଷଣା କରିଥିଲେ। କରଡ଼ାସିଙ୍ଗି ସେତୁ ନିମନ୍ତେ ୧୯କୋଟି, ଅବାରସିଙ୍ଗ ସେତୁ ନିମନ୍ତେ ୫ କୋଟି ୭୦ ଲକ୍ଷ, ଡମ୍ବାଳ ସେତୁ ନିମନ୍ତେ ୪ କୋଟି ୯୫ ଲକ୍ଷ, ରାଇସିଙ୍ଗି ନାଳ ଉପରେ ସେତୁ ପାଇଁ ୪ କୋଟି ୮୦ ଲକ୍ଷ, ମୁରେଇସାହି ନାଳ ପାଇଁ ୪ କୋଟି ୪୦ଲକ୍ଷ, ଲିୟବ ଠାରୁ ଅତରସିଙ୍ଗ ରାସ୍ତା ସେତୁ ପାଇଁ ୪ କୋଟି, ବରିଓଲ ଠାରୁ କାନିମୁଣ୍ଡା ସେତୁ ପାଇଁ ୪ କୋଟି ୧୦ଲକ୍ଷ, ଲୁହାଙ୍ଗର ନାଳ ଉପରେ ପେଲାର ରାସ୍ତା ସେତୁ ପାଇଁ ୪ କୋଟି ୮ଲକ୍ଷ, କେରାଣ୍ଡି ବାଶଦାରା ନାଳ ଉପରେ ୩ କୋଟି ୩୦ ଲକ୍ଷ, ମାଙ୍କଡ଼ଡିଆଁ ଜଳପ୍ରପାତ ପାଇଁ ୨କୋଟି ୯୫ ଲକ୍ଷ, ଖସଡ଼ା ଜଳପ୍ରପାତ ପାଇଁ ୩ କୋଟି, ବ୍ରାହ୍ମଣଦେବୀ ଜଳପ୍ରପାତ ପାଇଁ ୧ କୋଟି ୫୦ ଲକ୍ଷ, କିଞ୍ଚରଲଙ୍ଗ ପାଇଁ ୧କୋଟି ୧୨ ଲକ୍ଷ ମଞ୍ଜୁର ହୋଇଥିବା ସେ ପ୍ରକାଶ କରିଛନ୍ତି।

ଗଜପତି ଷ୍ଟାଡିୟମ ଠାରେ ‌ଆୟୋଜିତ ‘ନୂଆ-ଓ’ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ପାଣ୍ଡିଆନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନ୍ତର୍ନିହିତ ପ୍ରତିଭାର ବିକାଶ ଉପରେ ଗୁରୁତ୍ବାରୋପ କରିଥିଲେ। ସେ କହିଥିଲେ ଯେ ପ୍ରତିଭାର ବିକାଶ ହୋଇ ପାରିଲେ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ବର ବିକାଶ ଘଟିବ। ଏହି ବ୍ୟକ୍ତିତ୍ବ ବୃଦ୍ଧି କରିବା ହିଁ ‘ନୂଆ-ଓ’ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି। କୌଣସି ପ୍ରତିଯୋଗିତାରେ ଜିତିବା ଅପେକ୍ଷା ଅଂଶଗ୍ରହଣ ଗୁରୁତ୍ବପୂର୍ଣ୍ଣ। ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ବାସ ବୃଦ୍ଧି କରେ। ଏଥି ସହିତ ସେମାନେ ଫିଟ୍ ରହିବା ବି ଜରୁରୀ। ପ୍ରତିଦିନ ୩୦ ମିନିଟ ଶାରୀରିକ ବ୍ୟାୟାମ ଓ ୧୫ ମିନିଟ ଧ୍ୟାନ କରିବାକୁ ହେବ। ସଫଳତାର ମୂଳମନ୍ତ୍ର ହେଉଛି – କଠିନ ପରିଶ୍ରମ, ଏହାର କୌଣସି ବିକଳ୍ପ ନାହିଁ। ୫ ବର୍ଷ ପରିଶ୍ରମ କଲେ ଆଗାମୀ ୫୦ ବର୍ଷ ଖୁସିରେ ରହିବେ। କାହିଁକିନା, ଦିନରାତି ଏକ କରି ଖଟୁଥିବା ବିଦ୍ୟାର୍ଥୀ ହିଁ ଉପରକୁ ଯାଏ। ପିଲାଙ୍କ ଭବିଷ୍ୟତ ଉଜ୍ଜ୍ବଳ ହେଲେ ଓଡ଼ିଶାର ଭବିଷ୍ୟତ ଉଜ୍ଜଳ ହେବ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।