ରାଜ୍ୟ ସ୍ପେଶାଲ ରିପୋର୍ଟ

ଲଣ୍ଡା ପାହାଡ଼ ହେଲା ସବୁଜ ସୁନ୍ଦର

ବ୍ରହ୍ମପୁର : ଗିରିସୋଲା ନିକଟରେ ଥିବା ଏକ ଲଣ୍ଡା ପାହାଡ଼ରେ ମଞ୍ଜି ଓ ସିଡ୍‌ବଲ୍‌ ବିଞ୍ଚିବା ଫଳରେ ବିଭିନ୍ନ କିସମର ଫଳ ଗଛ ବଢ଼ିଛି। ଏହି ଲଣ୍ଡାପାହାଡ଼ ସବୁଜ ସୁନ୍ଦର ପାଲଟିଛି। ପରିବେଶ ସୁରକ୍ଷା ପାଇଁ ୧୫ବର୍ଷ ଧରି ଅଣ୍ଟା ଭିଡ଼ିଥିବା ଜଣେ ଅଧ୍ୟାପକଙ୍କ ଉଦ୍ୟମ ଯୋଗୁ ଏହା ସମ୍ଭବପର ହୋଇଛି। ସେ ହେଉଛନ୍ତି, ବ୍ରହ୍ମପୁର ସହରର ସୁଧୀର ରାଉତ। ‘ସବୁଜ ମଣିଷ’ ଭାବେ ଜଣାଶୁଣା ଶ୍ରୀ ରାଉତ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ୍‌ର ଗ୍ରାମାଞ୍ଚଳ ଏବଂ ପାହାଡ଼ରେ ଦେଢ଼ଲକ୍ଷ ଚାରାରୋପଣ କରିସାରିଛନ୍ତି। ଆଗକୁ ଆହୁରି ୧୫ଟି ଲଣ୍ଡା ପାହାଡ଼କୁ ସବୁଜ ସୁନ୍ଦର କରିବା ପାଇଁ ସୁଧୀର ଅଣ୍ଟା ଭିଡ଼ିଛନ୍ତି।

୨୦୦୩ରେ ସୁଧୀର ବିଜୟୱାଡ଼ାରେ ଏକ କଲେଜରେ ଅଧ୍ୟାପନା କରୁଥିବା ବେଳେ ବୃକ୍ଷରୋପଣ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ। ଓଡ଼ିଶା ଫେରି ୨୦୦୭ରେ ସୁଧୀର ପ୍ରଥମେ ଆନ୍ଧ୍ର ବେପାରୀଙ୍କ ଠାରୁ ଚାରା କିଣି ନିଜ ଗାଁ ଚିକିଟି ବ୍ଲକ୍‌ ମାଧବନ୍ଧ ଗ୍ରାମର ଏକ ବନ୍ଧହୁଡ଼ା ଓ ମନ୍ଦିର ଚାରିପଟେ ରୋପଣ କରିଥିଲେ। ‘ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ୍‌’ ଅନୁଷ୍ଠାନ ଜରିଆରେ ବିଭିନ୍ନ ସ୍ବେଚ୍ଛାସେବୀଙ୍କୁ ଏଥିରେ ସାମିଲ୍‌ କରି ଏହି ଅଭିଯାନକୁ ତ୍ବରାନ୍ବିତ କରିଥିଲେ। ୨୦୧୦ରେ ନିଜସ୍ବ ଉଦ୍ୟମରେ ‘ସବୁଜ ରଥ’ ପରିକ୍ରମାର ଶୁଭାରମ୍ଭ କରି ଜିଲ୍ଲାର ଗାଁକୁ ଗାଁ ବୁଲି ଜନସାଧାରଣଙ୍କୁ ପଲିଥିନ୍ ଓ ପ୍ଲାଷ୍ଟିକମୁକ୍ତ ପରିବେଶ ଗଠନ ଏବଂ ବୃକ୍ଷରୋପଣ ଉପରେ ସଚେତନ କରାଇଥିଲେ। ୨୦୧୬ରେ ପିତାତଳି ପଞ୍ଚାୟତରେ ‘ଗ୍ରାମ୍ୟ ଜଙ୍ଗଲ’ ନାମରେ ଏକ ଅଭିନବ ପ୍ରୟାସ ହାତକୁ ନେଇଥିଲେ। ମାଧବନ୍ଧ, ପିତାତଳି ଓ ପଲସରା ଗାଁର ୨୫ ଏକର ପରିମିତ ଏକ ଅନୁର୍ବର ପଡ଼ିଆରେ ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି କରିଥିଲେ। ରାଜମହେନ୍ଦ୍ରୀରୁ ଆମ୍ବ, ପଣସ, ନିମ୍ବ, ବର, ଅଶ୍ବତଥ୍‌, କରଞ୍ଜ ଓ ରକ୍ତଚନ୍ଦନ ଭଳି ଚାରା ଆଣି ରୋପଣ କରିଥିଲେ। ଗ୍ରାମବାସୀଙ୍କ ସହଯୋଗରେ ସେଠାରେ ଜୈବିକ ସାର, ଖତ ଆଦି ପ୍ରୟୋଗ କରି ମାଟିର ଉର୍ବରତା ବୃଦ୍ଧି କରାଯାଇଥିଲା।
ଏହାପରେ ଲଣ୍ଡା ପାହାଡ଼କୁ ସବୁଜମୟ କରିବାକୁ ମନସ୍ଥ କରିଥିଲେ ସୁଧୀର। ଗିରିସୋଲା ନିକଟରେ ଅନେକ ଦିନରୁ ରହିଥିବା ଏକ ଲଣ୍ଡା ପାହାଡ଼ରେ ବନୀକରଣ କରାଯାଇଥିଲା। ଟାଙ୍ଗରା ପାହାଡ଼ର ବିଭିନ୍ନ ସ୍ଥାନରେ ମାଟି ଖୋସି ବିଭିନ୍ନ କିସମର ପ୍ରାୟ ଦେଢ଼ ଲକ୍ଷ ମଞ୍ଜି ୧୦ ଜଣ ମୁଲିଆ ଓ ‌ସ୍ବେଚ୍ଛାସେବୀଙ୍କ ସହଯୋଗରେ ପୋତାଯାଇଥିଲା। ବର୍ତ୍ତମାନ ସେହି ଲଣ୍ଡା ପାହାଡ଼ ଏକ ସବୁଜବନାନୀରେ ପରିଣତ ହେବା ସହିତ ଅନେକ ପଶୁପକ୍ଷୀ ଓ ସରୀସୃପଙ୍କ ବାସସ୍ଥଳୀ ପାଲଟିଛି। ୨୦୧୮ରେ ଟାମଣା ପାଖ ପାଞ୍ଚ ଏକର ପରିମିତ ଏକ ଶ୍ମଶାନ ପଡ଼ିଆରେ ଫଳଗଛ ସମେତ ଚାରାରୋପଣ କରାଯାଇଥିଲା। ତାହା ଏବେ ଏକ ଘଞ୍ଚ ଗ୍ରାମ୍ୟ ଜଙ୍ଗଲ ଭାବେ ସୃଷ୍ଟି ହୋଇଛି। ଲଣ୍ଡା ପାହାଡ଼ରେ କରାଯାଇଥିବା ବନୀକରଣ ବିଷୟରେ ଅବଗତ ହେବାପରେ ଅମରକଣ୍ଟକ ଅଞ୍ଚଳର ନିର୍ମଦା ଓ ତାପ୍ତି ନଦୀ ଅବବାହିକାରେ ସିଡ୍‌ବଲ୍ ଜରିଆରେ ସଫଳ ବନୀକରଣ କରିଥିବା ଏକ ଅନୁଷ୍ଠାନ ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ୍‌କୁ ସିଡ୍‌ବଲ୍‌ ତିଆରି ମେସିନ୍ ଉପହାର ଦେଇଥିଲେ। ସେହି ମେସିନ୍‌ ଜରିଆରେ ସିଡ୍‌ବଲ୍‌ ତିଆରି କରି ଆହୁରି ବିଭିନ୍ନ ପ୍ରାୟ ୧୫ଟି ପାହାଡ଼କୁ ସବୁଜମୟ କରିବା ଅଭିଯାନ ଜାରି ରଖିଛନ୍ତି ସୁଧୀର।

ବାଳକୁମାରୀ, ପୋଡ଼ାପଦର, ସାହାସପୁର, ଚାଙ୍ଗୁଡ଼ିଦେଇ, ପାକିଡ଼ି ପର୍ବତମାଳାର କରଞେଇ, ହିଞ୍ଜିଳି, ଖଲ୍ଲିକୋଟର କରାଖୋଲ, ତାରାତାରିଣୀ, କଙ୍କିଆ, ଭାଲିଆଗଡ଼, ବାଣିଆମାରୀ, ରାମଚନ୍ଦ୍ରପଲ୍ଲୀ, ମହୁରୀ କାଳୁଆପାଖ ପାହାଡ଼, ପାକିଡ଼ିର ଗୋଟିଏ ପାହାଡ଼ରେ ସିଡ୍‌ବଲ୍‌ ସହ ପ୍ରାୟ ଲକ୍ଷାଧିକ ମଞ୍ଜି ଖୋସା ଯାଇଥିବା ସୁଧୀର କହିଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ପରିବେଶର ସନ୍ତୁଳନ ବିଗିଡ଼ିବାରେ ଲାଗିଛି। ଏଥିପାଇଁ ବୃକ୍ଷରୋପଣ ନିହାତି ଆବଶ୍ୟକ। ନହେଲେ ମଣିଷ ସମାଜ ଖୁବ୍‌ଶୀଘ୍ର ଲୋପ ପାଇଯିବା ଭଳି ପରିସ୍ଥିତି ସୃଷ୍ଟି ହେବ। ଏଣୁ ଭବିଷ୍ୟତ ପିଢ଼ିର ସୁରକ୍ଷା ପାଇଁ ସମସ୍ତେ ବୃକ୍ଷରୋପଣ ପ୍ରତି ଆଗେଇ ଆସନ୍ତୁ ବୋଲି ସୁଧୀର କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।