ମୁମ୍ବାଇ, ୨୭/୦୩: ଆଇପିଏଲ୍ର ତୃତୀୟ ଲିଗ୍ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ପଞ୍ଜାବ କିଙ୍ଗ୍ସ ସାମ୍ନାସାମ୍ନି ହେବେ । ଚଳିତ ବର୍ଷ ଉଭୟ ଦଳର ନୂଆ ଅଧିନାୟକ ନିଯୁକ୍ତ ହୋଇଛନ୍ତି । ଦକ୍ଷିଣ ଆଫ୍ରିକାର ଫାଫ୍ ଡୁ’ପ୍ଲେସି ରୟାଲ୍ ଚ୍ୟାଲେଞ୍ଜର୍ସ ଏବଂ ମୟଙ୍କ ଅଗ୍ରୱାଲ୍ ପଞ୍ଜାବ କିଙ୍ଗ୍ସର ମଙ୍ଗ ଧରିବେ । ଉଭୟ ଦଳ ବିଜୟ ସହ ନୂଆ ସିଜନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି ମ୍ୟାଚ୍ ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ରାତି ୭.୩୦ରୁ ଆରମ୍ଭ ହେବ ।
୨୦୨୧ ଆଇପିଏଲ୍ ଶେଷ ହେବା ପରେ ବିରାଟ କୋହଲି ରୟାଲ୍ ଚ୍ୟାଲେଞ୍ଜର୍ସ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ । ଆଜିର ମ୍ୟାଚ୍ ସେ ଜଣେ ବ୍ୟାଟର ରୂପେ ଖେଳିବେ । ଡୁ’ପ୍ଲେସି ନୂଆ ଇନିଂସ୍ ଆରମ୍ଭ କରିବେ । ଦଳ ପ୍ରଥମ ମ୍ୟାଚ୍ ଖେଳୁଥିବାରୁ ଏକାଦଶ ଚୟନ କରିବା ମୁସ୍କିଲ ବ୍ୟାପାର । ଷ୍ଟାର୍ ଖେଳାଳି ଗ୍ଲେନ୍ ମ୍ୟାକ୍ସୱେଲ୍ ଓ ଜୋଶ ହାଜେଲଉଡ୍ଙ୍କ ଅନୁପସ୍ଥିତି ଦଳ ପାଇଁ ଚିନ୍ତାର କାରଣ ରହିଛି ।
ଅନ୍ୟ ପଟରେ ମୟଙ୍କ୍ ପ୍ରଥମ ଥର କୌଣସି ଆଇପିଏଲ୍ ଦଳର ନେତୃତ୍ୱ ନେବେ । ଦଳରେ ଅନେକ ପାୱାର ହିଟର ରହିଛନ୍ତି । ଶିଖର ଧାୱାନ, ଲାଏମ ଲିଭିଙ୍ଗ୍ଷ୍ଟୋନ, ଓଡେନ ସ୍ମିଥ୍, ଶାହରୁଖ ଖାନ ତାରକା ଖେଳାଳିଙ୍କ ଉପସ୍ଥିତିରେ ବ୍ୟାଟିଂ ବିଭାଗ ଅଧିକ ଶକ୍ତିଶାଳୀ ରହିଛି ।