ରାଜ୍ୟ ସ୍ପେଶାଲ ରିପୋର୍ଟ

ରୋଚକ ସ୍ଥିତିରେ ଜଗତସିଂହପୁର ରାଜନୀତି: ସବୁ ଆସନରେ ବଦଳିଯିବ ଚେହେରା!

ଜଗତସିଂହପୁର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଜଗତସିଂହପୁର ଜିଲ୍ଲା ରାଜନୀତି ଏବେ ସବୁଠୁ ରୋଚକ ମୋଡ଼ରେ ରହିଛି। ସ୍ଥିତି ଏମିତି ହୋଇଛି ଯେ ଜିଲ୍ଲାର ୪ ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନରେ ପ୍ରାୟ ସବୁ ଦଳରେ ନୂଆ ମୁହଁ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ଜୋର୍ ଧରିଛି। ଏହା କେବଳ ଶାସକ ଦଳ ବିଜେଡି ଅଥବା ବର୍ତ୍ତମାନର ବିଧାୟକ ଓ ସାଂସଦଙ୍କ ପରିପ୍ରେକ୍ଷୀରେ ଆଲୋଚନା ହେଉ ନାହିଁ, ବିରୋଧୀ ଦଳ ବିଜେପି ଓ କଂଗ୍ରେସର ବି ପ୍ରାର୍ଥୀ ବଦଳିବା ସ୍ଥିତି ସୃଷ୍ଟି ହୋଇଛି। ଜଗତସିଂହପୁର ବିଧାନସଭା ଆସନରୁ ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ବିଜେଡି ପୁଣି ଥରେ ସୁଯୋଗ ଦେବ ନା ତାଙ୍କୁ ତାଙ୍କ ପୂର୍ବ କ୍ଷେତ୍ର ବାଲିକୁଦା-ଏରସମାକୁ ନେବ, ତାହାକୁ ନେଇ କଳ୍ପନାଜଳ୍ପନା ଚାଲିଛି। କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଚିରଂଜୀବ ବିଶ୍ବାଳ କଂଗ୍ରେସରୁ ନିଲମ୍ବିତ ହୋଇଥିବା ବେଳେ ସେ ବିଜେଡିରେ ଯୋଗ ଦେବାକୁ ନେଇ ଚର୍ଚ୍ଚା ଚାଲିଛି। ଯଦି ସେ ବିଜେଡିକୁ ଆସନ୍ତି ତେବେ ‌ତାଙ୍କୁ ଦଳ ଜଗତସିଂହପୁରରୁ ସୁଯୋଗ ଦେଇ ପ୍ରଶାନ୍ତଙ୍କୁ ବାଲିକୁଦା ନେବା ଆକଳନ କରାଯାଉଛି।

ଅନ୍ୟପଟେ ତିର୍ତ୍ତୋଲରୁ ବିଜୟଶଙ୍କର ଦାସ, ପାରାଦୀପରୁ ସମ୍ବିତ ରାଉତରାୟ ଓ ବାଲିକୁଦା-ଏରସମାରୁ ରଘୁନନ୍ଦନ ଦାସଙ୍କୁ ଦଳ ପୁଣି ସୁଯୋଗ ଦେବ କି ନାହିଁ, ତାହାକୁ ନେଇ ଆଶାଆଶଙ୍କା ଜାରି ରହିଛି। ଅନୁରୂପ ସ୍ଥିତି ଜଗତସିଂହପୁର ଲୋକସଭା ଆସନ ପାଇଁ ବି ସୃଷ୍ଟି ହୋଇଛି। ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକଙ୍କୁ ବିଜେଡି ପୁଣି ସୁଯୋଗ ଦେବା ନେଇ ମଧ୍ୟ ଅନିଶ୍ଚିତତା ବଢ଼ିବାରେ ଲାଗିଛି। ଅନ୍ୟପଟେ ଜିଲ୍ଲାରେ କଂଗ୍ରେସର ଏକାଧିକ ହେଭିୱେଟ୍ ନେତାଙ୍କ ଦଳ ବଦଳ ଚର୍ଚ୍ଚା ଜିଲ୍ଲାର ରାଜନୈତିକ ଦୃଶ୍ୟପଟ୍ଟରେ ଏକ ବିରାଟ ପରିବର୍ତ୍ତନ ଆଣିବ ବୋଲି ଆକଳନ କରାଯାଉଛି। ପାରାଦୀପ ନିର୍ବାଚନମଣ୍ଡଳୀରେ ଏବେ ବିଜେଡିରୁ ଏକାଧିକ ଆଶାୟୀ ମଇଦାନକୁ ଆସିଲେଣି। ଗତଥର ସମସ୍ତଙ୍କୁ ଚକମା ଦେଇ ଦଳ ବରିଷ୍ଠ ନେତା ଡାକ୍ତର ଦାମୋଦାର ରାଉତଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ଟିକଟ ଦେଇଥିଲା। ସମ୍ବିତଙ୍କୁ ନେଇ ବର୍ତ୍ତମାନ ଦଳ ଭିତରେ ଟଣାଓଟରା ଜାରି ରହିଥିବା ବେଳେ ଦଳର ବରିଷ୍ଠ ନେତା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ନେଇ ପାରାଦୀପରେ ଚର୍ଚ୍ଚା ବଢୁଛି। ପାରାଦୀପର ଶ୍ରମିକ ନେତା ବାପି ସର୍ଖେଲ କଂଗ୍ରେସ ଛାଡ଼ି ବିଜେଡିରେ ମିଶିବେ ବୋଲି ଚର୍ଚ୍ଚା ଜାରି ରହିଛି। ଏମିତିକି ତାଙ୍କ ସମର୍ଥକମାନେ ଏଥର ବିଜେଡିରୁ ବାପି ଟିକଟ ନେବେ ବୋଲି କହି ବୁଲୁଛୁନ୍ତି।

ଯଦି ବାପି ଦଳ ବଦଳାନ୍ତି ତେବେ ଏଠାରୁ କଂଗ୍ରେସ ନୂଆ ମୁହଁ ଖୋଜିବ। ବରିଷ୍ଠ ନେତା ସ୍ବର୍ଗତ ବିଷ୍ଣୁ ଚରଣ ଦାସଙ୍କ ପୁଅ ତଥା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବିଧାୟକ ବିଜୟ ଶଙ୍କର ଦାସ ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହୋଇ ଚାଲିଥିବା ବେଳେ ଦଳ ତାଙ୍କୁ ଆଉ ସୁଯୋଗ ଦେବ କି ନାହିଁ, ତାହାକୁ ନେଇ ସନ୍ଦେହ ରହୁଛି। ସେଭଳି ସ୍ଥିତିରେ ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ ପୁଣି ହୁଏତ ତିର୍ତ୍ତୋଲ କ୍ଷେତ୍ରକୁ ଫେରିପାରନ୍ତି ବୋଲି କୁହାଯାଉଛି। ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସ ଅସୁସ୍ଥ ଅଛନ୍ତି। ତାଙ୍କୁ ପୁଣି ସୁଯୋଗ ମିଳିବା ଆଶା କ୍ଷୀଣ ଥିବା ବେଳେ ସେଠାରୁ ତାଙ୍କ ପୁଅ ଅଥବା ପ୍ରଶାନ୍ତ ମୁଦୁଲି କି ଆଉ କିଏ ସୁଯୋଗ ପାଇବେ, ତାହା ଦେଖିବାକୁ ବାକି ରହିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।