ସୋର : ବାଲେଶ୍ବର ସୋର ଅଞ୍ଚଳରେ ସମୟ ଅତିକ୍ରାନ୍ତ ହୋଇ ନଥିବା ଅନେକ ମୂଲ୍ୟବାନ୍ ସରକାରୀ ଔଷଧ ରାସ୍ତାକଡ଼ରେ ପଡ଼ିଥିବା ଦେଖିବାକୁ ମିଳିଛି।
ସୂଚନା ଅନୁସାରେ, ସୋର ପୌରାଞ୍ଚଳ ତଳନଗର ଓଭର୍ବ୍ରିଜ୍ ନିକଟ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଆଜି ଅନେକ ଔଷଧ ବୋତଲ ଓ ବଟିକା ପଡ଼ିଥିବା ଦେଖିବାକୁ ମିଳିଥିଲା। ସେଗୁଡ଼ିକ ଆୟୁଷ ବିଭାଗ ଅଧୀନ ୟୁନାନି ଔଷଧ ବୋଲି ଚିହ୍ନଟ ହୋଇଛି। ଉକ୍ତ ଔଷଧଗୁଡ଼ିକର ସମୟ ଅବଧି ନଭେମ୍ବର ୨୦୨୪ ମସିହା ପର୍ଯ୍ୟନ୍ତ ରହିଥିବା ଦେଖିବାକୁ ମିଳିଛି। ତେବେ ସମୟ ଅବଧି ଥିବା ଔଷଧଗୁଡ଼ିକୁ କିଏ ଓ କାହିଁକି ରାସ୍ତାକଡ଼ରେ ଫିଙ୍ଗିଛନ୍ତି, ସେ ସଂପର୍କରେ କିଛି ଜଣାପଡ଼ିନାହିଁ।
ଗୋଟିଏପଟେ ଗରିବ ରୋଗୀମାନେ ସରକାରୀ ଆୟୁଷ ଔଷଧ ପାଉନଥିବାବେଳେ ସେଗୁଡ଼ିକ ବ୍ୟବହାର ନ ହୋଇ ଫିଙ୍ଗିଦିଆଯିବାକୁ ଲୋକେ ସହଜରେ ଗ୍ରହଣ କରିପାରିନାହାନ୍ତି। ଆୟୁଷ ବିଭାଗ ଯେ ଘୋର ଅବ୍ୟବସ୍ଥିତ ଢଙ୍ଗରେ ଚାଲିଛି, ତାହା ଏହି ଘଟଣାରୁ ଜଳଜଳ ଦିଶୁଛି।